ସୁନ୍ଦରଗଡ଼: ସୁନ୍ଦରଗଡ଼ ଏମ୍ସିଏଲ କ୍ଷେତ୍ର ଅଧୀନ ତେଲେନଡିହି, ରତନସରା, ଭୋଗ୍ରାକଛାର ଆଦି ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଥିବା ଖଣିଜ ଲୁଟ୍ ଘଟଣାର ଖୋଳତାଡ଼ ପାଇଁ ଶୁକ୍ରବାର ଭୁବନେଶ୍ବରରୁ ଖଣି ଓ ଭୂତତ୍ତ୍ବ ବିଭାଗର ଏକ ୯ ଜଣିଆ ଟିମ୍ ଆସି ପହଞ୍ଚିଛି। ୨ ଜଣ ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁ, ବିଶ୍ବରଞ୍ଜନ ସେଠୀ ଓ ଭୂତତ୍ତ୍ବ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁଙ୍କ ସମେତ କନିଷ୍ଠ ଖଣି ଅଧିକାରୀ ବାସୁଦେବ ଟୁଡୁ ଓ ୫ ପୁଲିସ ଅଧିକାରୀ ଆସି ବେଆଇନ କୋଇଲା ଖଣିଗୁଡ଼ିକ ବୁଲି ଦେଖିବା ସହ ମାପଚୁପ କରୁଛନ୍ତି। ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ପରେ ଗୋଟିଏ ଚୋରା ଖଣିକୁ ଯାଇ କେତେ ପରିମାଣର କୋଇଲା ଲୁଟ୍ କରାଯାଇଛି, ତାର ଆକଳନ କରୁଛନ୍ତି। ହେମଗିରି ତହସିଲଦାର ସାରିକାରାଣୀ ଧମେଲ, ଗୋପାଳପୁର ବନାଞ୍ଚଳ ଅଧିକାରୀ ହରିହର ପାତ୍ର ସେମାନଙ୍କୁ ସହଯୋଗ କରୁଛନ୍ତି।
୯ ଜଣିଆ ଟିମ୍ର ତନାଘନା
ଏହି ଟିମ୍ ପ୍ରଥମେ ତେଲେନଡିହି ରାଜସ୍ବ ଜଙ୍ଗଲରେ ଖଣି ମାପ କରିଥିଲା। ସେଠାରେ ସମାନ୍ତରାଳ ଭାବେ ମାଫିଆ ଚଳାଇଥିବା ବିଶାଳ ଖଣି ଓ କୋଇଲା ଲୁଟ୍ ଦେଖି ହତବାକ୍ ହୋଇ ଯାଇଥିଲା ଟିମ। ପ୍ରଥମ ଦିନରେ ପାଖାପାଖି ୧୬ଟି ବେଆଇନ ଖଣିର ଆକଳନ କରିଥିବା ବେଳେ ଶନିବାର ଅନ୍ୟ ଖଣିଗୁଡ଼ିକର ଆକଳନ କରିବ। ଖଣି ଲୁଟ୍ ହେଉଥିବା ତେଲେନଡିହି, ରତନସରା, ଭୋଗ୍ରାକଛାରକୁ ନେଇ ରହିଥିବା ବସୁନ୍ଧରା ପଶ୍ଚିମ କୋଇଲା ଖଣିକ୍ଷେତ୍ର ଏମ୍ସିଏଲକୁ ଆବଣ୍ଟିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖଣି ଖୋଳା ଆରମ୍ଭ ହୋଇନାହିଁ। ଏହି ସୁଯୋଗରେ ମାଫିଆ ଏଠାରେ କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏହି ଅଞ୍ଚଳର ଖଣିକୁ ସୁରକ୍ଷା ଦେବାରେ ଏମ୍ସିଏଲ୍ର ମଧ୍ୟ ଉତ୍ତରଦାୟିତ୍ୱ ରହିଛି। ଏ ପରିପ୍ରେକ୍ଷୀରେ ଏମ୍ସିଏଲ୍ ସିଆରମାଲ କୋଇଲା ଖଣି କ୍ଷେତ୍ରର ପ୍ରକଳ୍ପ ଅଧିକାରୀ ପ୍ରକାଶ କୁମାର ଓଝାଙ୍କୁ ଡାକି ପ୍ରବର୍ତ୍ତନ ଟିମ୍ର ଅଧିକାରୀମାନେ ତାଗିଦ କରିଛନ୍ତି। ଖଣି ଲୁଟ୍ ଘଟଣା ପଦାକୁ ଆସିବାର ୮ ଦିନ ବିତିଗଲାଣି। ରାଉରକେଲା ଖଣି ବିଭାଗ, ଜିଲ୍ଲା ପ୍ରଶାସନର ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି ୨୫୦ ଟନ୍ରୁ ଅଧିକ ବେଆଇନ କୋଇଲା ଜବତ କରିଛି। ଏବେ ଭୁବନେଶ୍ବରରୁ ଆସିଥିବା ୯ ଜଣିଆ ଟିମ୍ କେତେ କୋଇଲା ଲୁଟ୍ ହୋଇଛି, ତାର ଆକଳନ କରୁଛି। ଏବେ ସବୁଠୁ ବଡ଼ ପ୍ରଶ୍ନ; ଚଢ଼ଉ ହେଲା, ବେଆଇନ କୋଇଲା ଖଣି ଠାବ ହେଲା, କୋଇଲା ମଧ୍ୟ ଜବତ ହେଲା। ହେଲେ କଳାହୀରାର କଳା କାରବାର କରୁଥିବା ମାଫିଆମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ କେବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/11/lEX2B3Kc3NQyMVB803OM.jpg)