ରାଉରକେଲା : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମୁହଁରେ ଫୁଟିଛି ହସ । ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଆଜି ରାଉରକେଲା ରୋଟାରୀ କ୍ଲବ ଅଫ୍‌ ମିଡ୍‌ ଟାଉନରେ‌ ଆରମ୍ଭ ହୋଇଥିଲା ନିଆରା କାର୍ଯ୍ୟକ୍ରମ ‘ହୌସଲୋଁ କା ଉଡ଼ାନ’। ରାଉରକେଲା ବିମାନବନ୍ଦର ପରିସରରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ହେଲିକପ୍ଟରରେ ଉଡ଼ିଥିଲେ ସେକ୍ଟର-୭ ମୁକବଧିର ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀ। ଆକାଶମାର୍ଗରୁ ରାଉରକେଲା ସହରର ଓ ଏହାର ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍‌ ଉପଭୋଗ କରିଥିଲେ ଛାତ୍ରଛାତ୍ରୀ ।  ୧୫ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୫ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏହି ନିଆରା କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା।

Advertisment

ଥରକେ ଏକକାଳୀନ ୫ ଜଣ ଛାତ୍ରଛାତ୍ରୀ ରାଉରକେଲା ବିମାନବନ୍ଦରୁ ଉଡ଼ାଣ ଆରମ୍ଭ କରିଥିଲେ। ଆକାଶ ମାର୍ଗରୁ ସହର ଓ ଏହାର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟ ଦେଖିଥିଲେ। ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି ଦେଖିବାକୁ ରୋଟାରୀ କ୍ଲବ ମିଡ୍‌ ଟାଉନ୍‌ର ପୂର୍ବତନ ସଭାପତି ତଥା ଶିଳ୍ପପତି ରୋଟାରିୟାନ୍‌ ଡି.ଆର.ପଟ୍ଟନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆକାଶରେ ଉଡାଇବାକୁ ବିନା ମୂଲ୍ୟରେ ହେଲିକପ୍ଟର ଯୋଗାଇ ଦେବା ସହ ସେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଗହଣରେ ନିଜର ଖୁସି ବାଣ୍ଟିଥିଲେ।

publive-image

ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ଅନୁଭୂତି ମୋର ସର୍ବଦା ମନେ ରହିବ। କାର୍ଯ୍ୟକ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ (୩୨୬୧)ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏଫ.ସି. ମହାନ୍ତି, କ୍ଲବର ସଭାପତି ମୁକେଶ ଭଜିକା, ସମ୍ପାଦକ ମନୋଜ ଅଗ୍ରୱାଲ, ସ୍କୁଲର ପୂର୍ବତନ ସଭାପତି ସଞ୍ଜୟ ପୁରୋହିତ, ରୋଟାରିୟାନ୍ ବିୟନ ଗୁପ୍ତା, ସତୀଶ ଅଗ୍ରୱାଲ, ନରେଶ ଆର୍ଯ୍ୟା, ଜିତେନ୍ଦ୍ର ପ୍ରସାଦ, ଅସୀମ ମହାନ୍ତି, ରାମ ଅବତାର ଅଗ୍ରୱାଲ, ଜି.ଡି ଅଗ୍ରୱାଲ, ସୁରେନ୍ଦ୍ର ସିଂହ ଛାବ୍ରା, ଡାକ୍ତର ସୁବୋଧ କୁମାର ମେହେର, ବି.କେ. ପରମାର, ପ୍ରବୀଣ ବେଦୀ, ଆର.କେ. ବଜିର, ରାଜେଶ ଜୈନ, ଅମିତ ସାହୁ, ମିତାଲି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରୋଟାରୀ କ୍ଲବ ଅଫ୍‌ ରାଉରକେଲା ମିଡ଼ ଟାଉନ୍‌ ଦ୍ବାରା ସେକ୍ଟର-୭ରେ ଗତ ୧୦ ବର୍ଷ ଧରି ସେକ୍ଟର-୭ ମୁକବଧିର ବିଦ୍ୟାଳୟ ଚାଲି ଆସୁଛି। ଏଠାରେ ୧୫ ମୁକବଧିର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।