ପାଖରେ ୩ ସ୍ୱାସ୍ଥ୍ୟବୀମା କାର୍ଡ଼: ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ଚିକିତ୍ସା ନପାଇ ଚିନ୍ତାରେ ଗୋପାଳ

ଘୁ.ଉଦୟଗିରି :  ବିନା ଖର୍ଚ୍ଚରେ ଗରିବ ପରିବାରଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟବୀମା କାର୍ଡ଼ ପ୍ରଦାନ କରିଛନ୍ତି। କିନ୍ତୁ ଉକ୍ତ ବୀମାକାର୍ଡ଼ ଠିକ ସମୟରେ ଲୋକଙ୍କ କାମରେ ଲାଗୁ ନାହିଁ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଥାନା ଗଡ଼ଗୁଡା ପଞ୍ଚାୟତର ପେନାଲା ଗ୍ରାମର ଗୋପାଳ ପ୍ରଧାନଙ୍କ କ୍ଷେତ୍ରରେ। ୩୮ ବର୍ଷିୟ ଗୋପାଳ ଜଣେ ଗରିବ ଅସହାୟ ଆଦିବାସୀ ସମ୍ପ୍ରଦାୟର। ଚାଷବାସ କରି ମୂଲ ଲାଗି ପରିବାର ପ୍ରତିପୋ‌ଷଣ କରୁଛନ୍ତି। ୨୦୧୯ମସିହା ଜୁଲାଇ ମାସରେ ହଠାତ୍ ଗୋପାଳଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା। ଏହାପରେ ସମ୍ପୂର୍ଣ୍ଣ ବଦଳି ଗଲା ଗୋପାଳଙ୍କ ଜୀବନ। ଗୋପାଳ ଆଉ କାମଧନ୍ଦା କରିପାରିଲେନି।  ସ୍ଥାନୀୟ ଅଂଚଳରେ ଡାକ୍ତରଙ୍କ ପରାମର୍ଶ  ନେଇ ଔଷଧ ଖାଇଲେ।  କିଛିଦିନ ପରେ ପୁଣି  ଅନ୍ୟଜଣେ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବା ପରେ  ସେ ଭୁବନେଶ୍ୱର ଏମ୍‌ସକୁ  ରେଫର କରିଦେଲେ।
ଗୋପାଳ ଗରିବ ଓ ଅସହାୟ ସତ୍ତ୍ୱେ ଧାରକରଜ କରି ଟଙ୍କା ଯୋଗାଡ଼ କରି ଭୁବନେଶ୍ୱର ଏମ୍‌ସକୁ ଯାଇ  ଚିକିତ୍ସିତ ହେଲେ। ସେଠାରେ କିଛିଦିନ ରହି ଚିକିତ୍ସିତ ହେବାକୁ ପଡିଲା। ଆଉ ଚିକିତ୍ସା ନିମନ୍ତେ ଟଙ୍କାର ଆବଶ୍ୟକ ପଡିଲା। ପାଖରେ ତିନି ତିନିଟି ସ୍ୱାସ୍ଥ୍ୟବୀମା କାର୍ଡ଼ ଥିଲା। ହେଲେ ଗୋଟିଏ ବି କାର୍ଡ କାମ ଦେଲା ନାହିଁ। ନିରାଶ ହୋଇ ଗୋପାଳ ପୁଣି ଧାରଉଧାର କରି ଅର୍ଥ ଯୋଗାଡ଼ କରି ଚିକିତ୍ସିତ ହେଲେ ସିନା କିଛି ମୂଲ୍ୟ ରହିଲାନି। ଗୋପାଳଙ୍କ ମେରୁଦଣ୍ଡ ସମସ୍ୟା ସୁଧୁରିଲାନି। ପ୍ରାୟ ଦୁଇ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହୋଇ ନିଜ ଘରକୁ ଫେରିଲେ।
ଯୁବାବସ୍ଥାରେ ଅର୍ଥ ଅଭାବରୁ ଘରେ ପଡ଼ି ରହିଛନ୍ତି ଗୋପାଳ। ସ୍ତ୍ରୀ ମୂଲ ଲାଗି ଘର ଚଳାଉଛନ୍ତି। ଗୋପାଳ ନିଜର ଚିକିତ୍ସା ପାଇଁ ସରକାରୀ ସହାୟତା ଅପେକ୍ଷାରେ ବସିଛନ୍ତି। ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଗରିବଙ୍କ ପାଇଁ ଯେଉଁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କାହା କାମରେ ଲାଗୁଛି। ପ୍ରକୃତ ଗରିବ ଲୋକ ନିଜ ଚିକିତ୍ସା ସମୟରେ ଏହି ସ୍ୱାସ୍ଥ୍ୟବୀମା କାର୍ଡ଼ ଦ୍ୱାରା ଉପକୃତ ହୋଇପାରୁ ନାହାନ୍ତି ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୋପାଳ ପ୍ରଧାନ। ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଅସହାୟ ଗୋପାଳଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧିତ ଖବର