ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା ପଡ଼ିଲେ ଆମେ ଓଡ଼ିଶାବାସୀ ଯଦିଓ ତାଙ୍କୁ ଆମ ମାଟିର ପୁଅ ବୋଲି ଜାଣୁ, ଅବଶିଷ୍ଟ ଅଣବଙ୍ଗୀୟ ଲୋକଙ୍କ ଦୃଷ୍ଟିରେ ସେ କିନ୍ତୁ ଗୋଟାପଣେ ବଙ୍ଗଳାର। କଟକ ହେଉଛି ତାଙ୍କର ଜନ୍ମମାଟି, ପାଠମାଟି ଓ ଜୀବନ ଗଠନର ମାଟି। ଯିଏ ଜୀବନର ପ୍ରଥମ ୧୬ ବର୍ଷ ଗୋଟିଏ ସହରର ପାଣିପବନରେ ବଢ଼ିଛନ୍ତି, ମୂଳତଃ ସେ ସେହି ସହର ଓ ରାଜ୍ୟର ବୋଲି ଧରାଯିବା କଥା। ଭାରତୀୟ ଛାତ୍ରଙ୍କୁ ଦୁର୍ବ୍ୟବହାର କରିଥିବା ଜଣେ ୟୁରୋପୀୟ ଅଧ୍ୟାପକଙ୍କୁ ବିରୋଧ ଯୋଗୁଁ ପ୍ରେସିଡେନ୍ସି କଲେଜରୁ ତଡ଼ା ଖାଇ ସ୍କଟିସ୍ ଚର୍ଚ୍ଚ କଲେଜରେ ନାମ ଲେଖାଇବା ଭିତରେ ସୁଭାଷ ଆହୁରି ଦେଢ଼ ବର୍ଷ କାଳ ପୁଣି ସେଇ କଟକରେ ଅତିବାହିତ କରିଛନ୍ତି। ତେଣୁ ଜୀବନର ପାଖାପାଖି ପ୍ରଥମ ୧୮ ବର୍ଷ ତାଙ୍କର କଟକରେ ବିତିଛି। ହେଲେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ବେଳେ ଆମେ ନେତାଜୀଙ୍କ ଓଡ଼ିଶା ମୂଳକୁ ନେଇ ଦେଶବ୍ୟାପୀ ସେଭଳି ବାତାବରଣ ସୃଷ୍ଟି କରିପାରିଛୁ ବୋଲି କହିପାରିବା ନାହିଁ।

Advertisment

ନେତାଜୀ ଅଧିକ କାଳ ବଞ୍ଚିଥିଲେ ନିଜ ଆତ୍ମକଥା ଲେଖିବାର ସୁଯୋଗ ପାଇଥା’ନ୍ତେ। ଓଡ଼ିଶା ଓ କଟକ ସହର ଆପେ ପ୍ରମୁଖତା ପାଇଥା’ନ୍ତା। କିନ୍ତୁ ବିଡ଼ମ୍ବନା, ତାହା ହେଲାନାହିଁ। ତେଣୁ ସେ ଯେ ଓଡ଼ିଶା ମାଟିର ପୁଅ, ସେଇ କଥାଟି ବିଶ୍ବବାସୀ ଜାଣିବେ କିପରି?

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନେତାଜୀଙ୍କୁ ଶନିବାର ଶ୍ରଦ୍ଧାଂଜଳି ଦେବା ଅବସରରେ ତାଙ୍କ ଜୀବନର ନିର୍ଣ୍ଣାୟକ ମୁହୂର୍ତ୍ତମାନ ମନେ ପକାଇଛନ୍ତି। ଏବକାର ଛତିଶଗଡ଼ ସ୍ଥିତ ଜବଲପୁର ପାଖ ତ୍ରିପୁରୀ କଥା ଉଲ୍ଲେଖ କରୁଛନ୍ତି। ଅଥଚ ଓଡ଼ିଶା କଥା ଆଦୈା ସ୍ମରଣ କରୁନାହାନ୍ତି। ସେଥିପାଇଁ ଆମେ ତାଙ୍କୁ କେବଳ ଦାୟୀ କରିପାରିବା ନାହିଁ। ଆମେ ନିଜେ ମଧ୍ୟ ଦାୟୀ।

ନେତାଜୀ ବଙ୍ଗଳାର ନୁହନ୍ତି ବୋଲି କହିବା ସମୀଚୀନ ନୁହେଁ କି କାହାରି ଅଭିପ୍ରାୟ ମଧ୍ୟ ନୁହେଁ। କିନ୍ତୁ ପ୍ରଶ୍ନ ଉଠେ, ସେ ଯେ ଓଡ଼ିଶାର ମଧ୍ୟ, ସେ କଥା ବିଶ୍ବବାସୀଙ୍କୁ ଆମେ କାହିଁକି ଜଣାଇପାରିନୁ? ଆମେ ଆମ ପିଲାଙ୍କ ମନରେ ନେତାଜୀଙ୍କ ଓଡ଼ିଶା ସମ୍ପର୍କ ବିଷୟରେ ଯଥେଷ୍ଟ ଧାରଣା ସୃଷ୍ଟି କରିଛୁ ତ? ଆମେ ନିଜକୁ ଆଉ କେତୋଟି ପ୍ରଶ୍ନ ପଚାରିଲେ, ଏହି ମୂଳ ପ୍ରଶ୍ନର ଉତ୍ତର ପାଇଯିବା। ରେଭେନ୍ସା କଲେଜିଏଟ୍‌ରେ ତାଙ୍କ ଗୁରୁ ବେଣୀମାଧବ ଦାସଙ୍କ ଉଦ୍ଦେଶ୍ୟରେ ନେତାଜୀ ନିଜେ କହନ୍ତି, ବିପ୍ଳବର ସଂଜ୍ଞା ମୁଁ ମୋର ପ୍ରଧାନ ଶିକ୍ଷକଙ୍କଠାରୁ ଶିଖିଛି। ବେଣୀମାଧବଙ୍କ ବିଷୟରେ ତ ହେଲେ କୋଉଠି କେମିତି ଲେଖାହୋଇଛି! ନେତାଜୀଙ୍କ ତ୍ୟାଗ ଓ ବଳିଦାନର ଉପାଦାନ ଗଢ଼ିଥିବା ତାଙ୍କର ଆଉ ଜଣେ ଶିକ୍ଷକ ନାରାୟଣ ପ୍ରସାଦ ମହାନ୍ତିଙ୍କ ବିଷୟରେ ଆଜିଯାଏ ଆଖିଦୃଶିଆ ଲେଖାପଢ଼ା ହୋଇନାହିଁ କାହିଁକି? ୧୯୧୦ରେ ନେତାଜୀଙ୍କୁ ମାତ୍ର ୧୩ ବର୍ଷ ହେଉଥିଲା। ସେ ବର୍ଷର ହଇଜା ମହାମାରୀ ବେଳେ ସାଙ୍ଗସାଥୀଙ୍କ ସହ ସେ କୋରେଇ ମାଡ଼ିଯାଇ ଔଷଧ ବାଣ୍ଟିବା ଆମ ଓଡ଼ିଆ ଲୋକକଥାର ଅଂଶବିଶେଷ ହେବା କଥା। କିନ୍ତୁ ତାହା ହେଇଛି କି? ସାରା ଦେଶରେ ପିଲାମାନଙ୍କୁ ଯେମିତି ସାର୍ ରିଚାର୍ଡ ଏଟେନ୍‌ବରୋଙ୍କ ‘ଗାନ୍ଧୀ’ ଚଳଚ୍ଚିତ୍ର ଦେଖିବାକୁ ପ୍ରେରିତ କରାଯାଏ, ପୀୟୂଷ ବୋଷଙ୍କ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ‘ସୁଭାଷ’କୁ ଦେଖିବା ପାଇଁ ଅନ୍ତତଃପକ୍ଷେ ଓଡ଼ିଶାର ପିଲାଙ୍କୁ ସେମିତି ପ୍ରେରିତ କରାଯାଏ କି? ନେତାଜୀଙ୍କ ଉପରେ ଗୋପାଳ ଘୋଷଙ୍କ ଦୁଇଦୁଇଟି ବୃତ୍ତଚିତ୍ର ଭିତରୁ ଅନ୍ତତଃ ଗୋଟିଏ ଦେଖିଛୁ ବୋଲି ଆମ ଯୁବବର୍ଗର କେତେ ପ୍ରତିଶତ ଦାବି କରିପାରିବେ? ନିଜ ସେନାବାହିନୀ ‘ଆଜାଦ୍ ହିନ୍ଦ ଫୈାଜ୍’ ଗଠନ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ ସୁଭାଷ। ହରଗୋବିନ୍ଦ ସିଂହ ନାମକ ଜଣେ ବଡ଼ ବ୍ୟବସାୟୀ ସୁଭାଷ ବୋଷଙ୍କ ଡାକରାରେ କେତେ ପ୍ରଭାବିତ ହୋଇନଥିବେ, ତାଙ୍କର ଏକ ଫୁଲମାଳକୁ ୮ ଲକ୍ଷ ଟଙ୍କା ଦେଇ କିଣିଥିଲେ। ସେତେବେଳକାର ୮ ଲକ୍ଷ ଟଙ୍କା ! ନେତାଜୀଙ୍କ ଜୀବନର ଏଇ ଉଜ୍ଜଳ ମୁହୂର୍ତ୍ତମାନ ଆମ ପିଲାମାନେ ବହୁ ସଂଖ୍ୟାରେ ଜାଣନ୍ତି ବୋଲି ଜୋର୍ ଦେଇ କହାଯାଇପାରିବ ତ? ତାଙ୍କର ଆଜାଦ ହିନ୍ଦ ଫୈାଜରେ ବର୍ମା, ମାଳୟ, ସିଙ୍ଗାପୁରର ଓଡ଼ିଆ ଓ ଯୁଦ୍ଧବନ୍ଦୀଙ୍କୁ ମିଶାଇଲେ ସଂଖ୍ୟା ହଜାରେରୁ ଅଧିକ ହେବ। ଆଜିଯାଏ ମାତ୍ର ୩୩୬ ଜଣଙ୍କ ତଥ୍ୟ ସଂଗୃହୀତ ହୋଇପାରିଲା। ଚେଷ୍ଟା କରିଥିଲେ ଏହି ସଂଖ୍ୟା ଅଧିକ ହୋଇପାରିନଥା’ନ୍ତା କି? ୧୯୩୯ରେ ଫର୍‌ୱାର୍ଡ଼ ବ୍ଲକ୍ ପାଇଁ ଓଡ଼ିଶା ଆସିଥିବା ବେଳେ ତତ୍କାଳୀନ ପିସିସି ସଭାପତି ପଣ୍ଠିତ ନୀଳକଣ୍ଠ ତାଙ୍କୁ ହାତୀରେ ବସାଇ କଟକ ସହର ପରିକ୍ରମା କରାଇଥିବା ଆମ ପିଲାଏ ଜାଣନ୍ତି ତ? ନୀଳକଣ୍ଠଙ୍କ କଥା ମାନି ସେ ହିନ୍ଦୀ ଓ ଓଡ଼ିଆରେ ହିଁ ଭାଷଣ ଦେଇଥିବା ଆମେ ଜାଣୁ ତ? କଲିକତାରେ ଓଡ଼ିଆ ଶ୍ରମିକ ସମାବେଶରେ ମଧ୍ୟ ସେ ଖାଣ୍ଟି ଓଡ଼ିଆରେ ହିଁ ଭାଷଣ ଦେଇଥିବା କଥା ଆମେ ପିଢ଼ି ପରେ ପିଢ଼ିକୁ କହିବାର ବ୍ୟବସ୍ଥା କରିଛୁ ତ?

ଖୁସିର କଥା, ହେଉ ପଛେ ବାହାଘର ବେଳେ ବାଇଗଣ ରୁଆ, ହେଉ ପଛେ ଏହା ପଶ୍ଚିମ ବଙ୍ଗର ନିର୍ବାଚନୀ ପ୍ରସଙ୍ଗ, ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି କେନ୍ଦ୍ର ସରକାର। ହେଲେ ପ୍ରଶ୍ନ ଉଠେ, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତି ବେଳେ ୮୫ ଜଣିଆ କମିଟିରେ ମାତ୍ର ୨ ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିବା କେତେ ଯୁକ୍ତିଯୁକ୍ତ? ଉକ୍ତ କାର୍ଯ୍ୟସୂଚୀରେ ଦିଲ୍ଲୀ ଓ କୋଲକାତା ସହ କଟକର ନାମ ଉଲ୍ଲେଖ ନହେବା ବିଡ଼ମ୍ବନା ନୁହେଁ କି? ଶନିବାର ପ୍ରଧାନମନ୍ତ୍ରୀ କୋଲକାତା ସାଙ୍ଗକୁ କଟକକୁ ମଧ୍ୟ ଆସିବା ଉଚିତ ନଥିଲା କି? ସେହିପରି, ନେତାଜୀ ଜୟନ୍ତୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି। ଆହୁରି ମଧ୍ୟ, କଟକ ମାଟି ନେତାଜୀଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିବାରୁ ଏହାକୁ କେନ୍ଦ୍ରକରି ତାଙ୍କ ସମ୍ମାନାର୍ଥେ ବର୍ଷତମାମ କାର୍ଯ୍ୟକ୍ରମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଅତୀତର ଅଭିଜ୍ଞତା ରାଜ୍ୟବାସୀଙ୍କ ମନରେ ଯେତିକି ଆଶା ଉଦ୍ଦୀପନା ଭରିବା କଥା, ତାହା କରିପାରୁନାହିଁ। ୨୦୦୪ରେ ଯାଇ ରାଜ୍ୟ ସରକାର ଜାନକୀନାଥ ଭବନରେ ସଂଗ୍ରାହଳୟଟିଏ କରାଇପାରିଥିଲେ। ତେବେ ଅଳ୍ପ କିଛିଦିନ ଚାଲିବା ପରେ ସେଠା ଲାଇଟ୍-ଆଣ୍ଡ୍-ସାଉଣ୍ଡ ବ୍ୟବସ୍ଥା ଅଚଳ ହେବା କିଛି ଭଲ ସଙ୍କେତ ଦେଉନାହିଁ। ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ପରିଦର୍ଶନରେ ଆସି ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହ ତାଙ୍କ ଦଳ କ୍ଷମତାକୁ ଆସିଲେ ସେହି ସଂଗ୍ରହାଳୟକୁ ଜାତୀୟ ସ୍ମାରକୀର ମର୍ଯ୍ୟାଦା ଦେବ ବୋଲି କହିଥିଲେ। ଏ ଯାଏ ତାହା ହୋଇନପାରିବା ତାଙ୍କ ସରକାରଙ୍କର ଓ ଓଡ଼ିଆ ଜାତିର ସାମଗ୍ରିକ ବିଫଳତା ଛଡ଼ା ଆଉ କିଛି ନୁହେଁ। କେନ୍ଦ୍ର ଓ ରାଜ୍ୟ ଉଭୟେ ଦାୟୀ। ରାଜ୍ୟ ସରକାର ଆନ୍ତରିକତାର ସହ ଚେଷ୍ଟା କରିବେ, ଅଥଚ ସୁଭାଷ ବୋଷଙ୍କୁ ଅଗ୍ରାଧିକାର ଦେବାର ଧାରଣା ସୃଷ୍ଟି କରୁଥିବା କେନ୍ଦ୍ର ସରକାର କାମଟିକୁ କରିବେ ନାହିଁ, ଏହା ବୁଝିବା କଷ୍ଟକର। ଯାହାହେଉ ୨୦୧୯ ନିବାର୍ଚନ ପୂର୍ବରୁ ଓଡ଼ିଶା ସରକାର ପୁରୀରେ ଜାନକୀନାଥଙ୍କ ଜମିରେ ନେତାଜୀଙ୍କ ପାଇଁ ଏକ ସଂଗ୍ରହାଳୟ କଲେ।

ଯୁକ୍ତି ହେଉଛି, ସୁଭାଷ ବୋଷ ଓଡ଼ିଶାର ବୋଲି ବିଶ୍ବବାସୀ ଜାଣିଲେ କ’ଣ ଲାଭ ହେବ? ଭାରତୀୟ ସ୍ବାଧୀନତା ସଂଗ୍ରାମର ଶ୍ରେଷ୍ଠ ଦୁଇ ମହାମନିଷୀ କିଏ ବୋଲି ପଚାରିଲେ ଛୋଟ ଛୁଆଟେ ବି ମହାତ୍ମା ଗାନ୍ଧୀ ଓ ସୁଭାଷ ବୋଷଙ୍କ ନାଁ କହିବ। ଏବର ଯୁବବର୍ଗ ତ ସୁଭାଷ ବୋଷଙ୍କୁ ବେଶି ପସନ୍ଦ କରନ୍ତି! ଭାରତର ସେଇ ବୀର ସନ୍ତାନ ଓଡ଼ିଶାର ବୋଲି ଜାଣିଲେ ଆମ ପିଲାମାନଙ୍କ ମନରେ ଯୋଉ ଆତ୍ମବିଶ୍ବାସ ଓ ଅସ୍ମିତାର ଭାବନା ସୃଷ୍ଟି ହେବ ତାକୁ ଭାଷାରେ ପ୍ରକାଶ କରାଯାଇପାରିବ ନାହିଁ।

ଓଡ଼ିଶାର କିଛି ଆଗଧାଡ଼ିର ବୁଦ୍ଧିଜୀବୀଙ୍କୁ ସୁଭାଷଙ୍କ ଓଡ଼ିଶା ସମ୍ପର୍କକୁ ନେଇ ଅଧିକ ଗବେଷଣା କରି ସାଧାରଣ ଲୋକଙ୍କ ମନରେ ସେ ନେଇ ପ୍ରତ୍ୟୟ ସୃଷ୍ଟି କରିବାକୁ ଅତୀତରେ ଅନୁରୋଧ କରାଯାଇଛି। କ୍ଷୋଭର କଥା, ଯୋଉମାନେ ପାରନ୍ତେ, ସେମାନେ ଏ ଦିଗରେ ବିଶେଷ ଆଗ୍ରହ ଦେଖାଇନାହାନ୍ତି। ଆଉ ଦଳେ ତଥାକଥିତ ଅନ୍ତଃସାରଶୂନ୍ୟ ଆତ୍ମଘୋଷିତ ବୁଦ୍ଧିଜୀବୀଙ୍କ କଥା ନକହିଲେ ଭଲ। ଗାନ୍ଧୀଜୀ ଓ ନେତାଜୀଙ୍କ ମଧ୍ୟରେ ଥିବା ବୈଚାରିକ ମତଭେଦକୁ ଆଧାର କରି ସେମାନେ ଉଭୟଙ୍କ ଅନୁଗାମୀଙ୍କ ମଧ୍ୟରେ ଘୃଣାର ଭାବ ସୃଷ୍ଟି କରିବାରେ ଲାଗିପଡ଼ନ୍ତି। ରେଙ୍ଗୁନରୁ ସୁଭାଷ ବୋଷ ହିଁ ଯେ ପ୍ରଥମ ଥର ପାଇଁ ଗାନ୍ଧୀଜୀଙ୍କୁ ‘ଜାତିର ଜନକ’ ସମ୍ବୋଧନ କରି ତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ, ସେ କଥା ତାଙ୍କର ମନେ ପଡ଼େନାହିଁ। ସେହିପରି ଗାନ୍ଧୀଜୀ ଯେ ସୁଭାଷ ବୋଷଙ୍କୁ ‘ଦେଶପ୍ରେମୀଙ୍କ ମଧ୍ୟରେ ରାଜକୁମାର’ ବୋଲି ପ୍ରଶଂସା କରୁଥିଲେ ତାକୁ ମଧ୍ୟ ସେମାନେ ଅଣଦେଖା କରନ୍ତି। ଗାନ୍ଧୀଜୀଙ୍କ ଉପରେ ଲେଖା ହୋଇଥିବା ସହସ୍ରାଧିକ ପୁସ୍ତକ ମଧ୍ୟରୁ ଆଗ ଖଣ୍ଡିଏ ବି ନ ପଢ଼ି କେବଳ ‘ନାଥୁରାମ ନଥି’ ପଢ଼ି ଜାତିର ଜନକଙ୍କୁ ଯୁବସମାଜ ଆଗରେ ଖଳନାୟକ ଭାବେ ଚିତ୍ରଣ କରିବାରେ ଦଳେ ବ୍ୟସ୍ତ। ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିବାବେଳେ ନେତାଜୀ ଗାନ୍ଧିଜୀଙ୍କ ସହ ଏକାଠି ଟ୍ରେନ୍ ଯାତ୍ରା କରି ନିଜ ଜନ୍ମଭୂମି ଓଡ଼ିଶା ମାଟିର ବହୁ ସ୍ଥାନରେ ନିଜ ରାଜ୍ୟବାସୀଙ୍କ ସହ ଯେ ବାର୍ତ୍ତାଳାପ କରିଥିଲେ ତା’ର ବିବରଣୀକୁ ନା ଆମ ଓଡ଼ିଆ ଲେଖକ ଓ ଇତିହାସକାରମାନେ ସାଧାରଣ ପାଠକମାନଙ୍କ ଆଗରେ ଥୁଅନ୍ତି, ନା ଆମ ସରକାର ସେ ସବୁକୁ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନ ଦିଅନ୍ତି।

ବହୁତ ବିଳମ୍ବ ହୋଇସାରିଛି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଆମକୁ ନିଦରୁ ଉଠାଉ।