୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ଆଶଙ୍କା, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୫.୦ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି। ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘୂର୍ଣ୍ଣିଝଡ ବର୍ଷା ହେବା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ଆଜି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, କଟକ, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଆଦି ସ୍ଥାନର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ବଜୁଳି ଘଡ଼ଘଡି ମାରିବାର ଆଶଙ୍କା ରହିଛି। ସେହିପରି ଆସନ୍ତାକାଲି ବର୍ଷା ଅଧିକ ହେବା ସହ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଆଦି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, କଟକ, ଅନୁଗୁଳ, କନ୍ଧମାଳ ଆଦି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଗତ ୨ରୁ ୩ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ତେବେ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନା ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼,ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ ଓ ଯାଜପୁର ଆଦି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ସେହିପରି ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘୂର୍ଣ୍ଣିଝଡ ସହ ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର