କଟକ: ଓଡ଼ିଶା ପୁଲିସରେ ପୁଲିସ ଅଫିସରଙ୍କ ଭଳି ସିଆଇ(କ୍ରାଇମ୍ ଇଣ୍ଟେଲିଜେନ୍ସ) ହାବିଲଦାର୍ ଓ କନେଷ୍ଟବଳଙ୍କୁ ମଧ୍ୟ ତଦନ୍ତ ଦାୟିତ୍ବ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏମାନେ ତଦନ୍ତ ଦାୟିତ୍ବ ନେଲେ ପୁଲିସ ଅଫିସରଙ୍କ କାନ୍ଧରୁ ବୋଝ ହାଲୁକା ହେବା ସହିତ ତଦନ୍ତ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇପାରିଥାନ୍ତା। କିନ୍ତୁ ରାଜ୍ୟ ସରକାର ଏଥିପାଇଁ କୌଣସି ପ୍ରୋତ୍ସାହନମୂଳକ ରାଶି ଦେବାର ବ୍ୟବସ୍ଥା କରି ନ ଥିବାରୁ ଏହାକୁ ନେଇ ପୁଲିସ କର୍ମଚାରୀମାନେ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ନିର୍ଦ୍ଦେଶନାମାକୁ ରଦ୍ଦ କରାଯାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସବୁଦିନ ପାଇଁ ଅକାମୀ ହୋଇଯାଇଛି।
ରାଜ୍ୟରେ ବର୍ଷକୁ ପ୍ରାୟ ୯୦ ପ୍ରତିଶତ ଅଭିଯୁକ୍ତ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ପୁଲିସ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୨ରେ ଦୋଷୀ ସାବ୍ୟସ୍ତ ହାର ୧୧.୯% ଥିବା ବେଳେ ୨୦୨୧ରେ ୮.୩%, ୨୦୨୦ରେ ୧୧.୨% ରହିଥିଲା। ଗୁଣାତ୍ମକ ତଦନ୍ତ ଅଭାବରୁ ହିଁ ଏଭଳି ସ୍ଥିତି ରାଜ୍ୟରେ ସୃଷ୍ଟି ହେଉଛି। ଗୋଟିଏ ପଟେ ରାଜ୍ୟ ପୁଲିସରେ ଅଫିସର ପଦବି ପାଖାପାଖି ୩୦ ପ୍ରତିଶତ ଖାଲିପଡ଼ିଛି। ଓଡ଼ିଶା ପୁଲିସରେ ଗୁଣାତ୍ମକ ତଦନ୍ତ କରିବା କ୍ଷେତ୍ରରେ ଗ୍ରାଜୁଏଟ୍ ସିଆଇ(କ୍ରାଇମ୍ ଇଣ୍ଟେଲିଜେନ୍ସ) ହାବିଲଦାର ଓ କନେଷ୍ଟବଳମାନେ ଅଫିସରଙ୍କୁ ସହଯୋଗ କରିବା ପାଇଁ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ପକ୍ଷରୁ ତତ୍କାଳୀନ ପୁଲିସ ଡିଜି ଆର.ପି. ଶର୍ମାଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। କନେଷ୍ଟବଳ ଓ ହାବିଲଦାର୍ ପରବର୍ତ୍ତୀ ସମୟରେ ଯେତେବେଳେ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ପାଇବେ ସେତେବେଳେ ସେମାନଙ୍କୁ ତଦନ୍ତ କରିବାକୁ ଅଧିକ ସହଜ ହୋଇପାରିବ। ଏଭଳି ଉଦ୍ଦେଶ୍ୟ ରଖି ଦାବି ଉପସ୍ଥାପନା କରାଯାଇଥିଲା। ୨୦୧୮ ଜାନୁଆରି ୨୭ରେ ତତ୍କାଳୀନ ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ପକ୍ଷରୁ ଗୃହ ବିଭାଗକୁ ସୁପାରିସ କରାଯାଇଥିଲା। ୨୦୧୯ ଜାନୁଆରି ୧ରେ ଗୃହ ବିଭାଗ ଏଭଳି ପ୍ରସ୍ତାବରେ ମୋହର ମାରିଥିଲା।
ପ୍ରୋତ୍ସାହନ ରାଶି ନ ଦେବାରୁ କେହି ରାଜି ହେଲେନି
୨୦୧୯ର ନିର୍ଦ୍ଦେଶନାମା ଅକାମୀ ହୋଇଗଲା
ତତ୍କାଳୀନ ଡିଜି ଆର୍ ପି ଶର୍ମା କରିଥିଲେ ସୁପାରିସ
ସିଆର୍ପିସିର ଧାରା ୧୫୭ ବଳରେ ରାଜ୍ୟରେ ଥାନା ସ୍ତରରେ କାର୍ଯ୍ୟ କରୁଥିବା ସିଆଇ ହାବିଲ୍ଦାର ଏବ˚ କନେଷ୍ଟବଳଙ୍କୁ ତଦନ୍ତ ଅଧିକାର ପ୍ରଦାନ କରାଯାଇଥିଲା। ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ତବିଧାନ ବ୍ୟବସ୍ଥା ଥିବା ଆପରାଧିକ ମାମଲାର ତଦନ୍ତ ଦାୟିତ୍ବ ସେମାନଙ୍କୁ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଦି ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲି˚ ଆକ୍ଟ-୧୯୫୫, ଦି ଓଡ଼ିଶା ଫାୟାର ଵାର୍କସ୍ ଆଣ୍ତ ଲାଉଡ୍-ସ୍ପିକର୍(ରେଗୁଲେସନ୍) ଆକ୍ଟ-୧୯୫୮, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ-୨୦୧୫, ମୋଟର ଚୋରି ମାମଲା, ଅବକାରୀ ମାମଲାରେ ସେମାନଙ୍କୁ ତଦନ୍ତ ଭାର ପ୍ରଦାନ କରାଯିବ। ସିଆଇ ହାବିଲଦାର ଓ କନେଷ୍ଟବଳମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନି˚ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ବିଭିନ୍ନ ତାଲିମ କେନ୍ଦ୍ରରେ ତାଲିମ ଦିଆଯିବ। ପରେ ଥାନା ସ୍ତରରେ ୪୫ ଦିନ ତାଲିମ ଏବଂ ତାଲିମ ଶେଷ ହେବା ପରେ ପୁଲିସ ଡିଜି କିମ୍ବା ଆଇଜିଙ୍କ ଦ୍ବାରା ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ପରେ ଜିଲ୍ଲାସ୍ତରର ହାବିଲଦାର ଓ କନେଷ୍ଟବଳଙ୍କୁ ୨୦୧୯ ଶେଷ ସୁଦ୍ଧା ଏସ୍ପି/ଡିସିପିଙ୍କ ପକ୍ଷରୁ ଏଥିପାଇଁ ସମ୍ମତିପତ୍ର ମଗାଯାଇଥିଲା। ପାଖାପାଖି ୧୮୭ ଜଣ କନେଷ୍ଟବଳ ଓ ହାବିଲଦାର୍ ଦୁଇଟି ପର୍ଯ୍ୟାୟରେ ତାଲିମ ନେଇଥିଲେ। ନିୟମ ଅନୁଯାୟୀ ପରୀକ୍ଷା ବି ହେଲା। ହାବିଲଦାର ଓ କନେଷ୍ଟବଳଙ୍କୁ କୌଣସି ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ନ ଥିବାରୁ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ କନେଷ୍ଟବଳ ଓ ହାବିଲଦାର୍ ଦ୍ବାରସ୍ଥ ହୋଇଥିଲେ। ଆର୍ଥିକ ସୁବିଧା ନଥିବାରୁ ଅଦାଲତ ଏଭଳି ପୁଲିସ ନିର୍ଦ୍ଦେଶନାମାକୁ ବାତିଲ କରିଥିଲେ। ଉପରୋକ୍ତ ପରୀକ୍ଷାର କୌଣସି ଫଳାଫଳ ବି ପରବର୍ତ୍ତୀ ସମୟରେ ପ୍ରକାଶ ହେଲା ନାହିଁ।
ପୂର୍ବତନ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ସଭାପତି ସନ୍ତୋଷ ଶତପଥୀଙ୍କ କହିବା ଅନୁଯାୟୀ, ୨୦୧୯ରେ ହାଲିଦାର ଓ କନେଷ୍ଟବଳଙ୍କୁ ତଦନ୍ତ ଦାୟିତ୍ବ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲୁ। ନିର୍ଦ୍ଦେଶନାମା ଜାରି ପରେ ଏକାଧିକ ହାବିଲଦାର ଓ କନେଷ୍ଟବଳ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ଆରମ୍ଭ ହୋଇଥିଲା, ତାହା ଅକାମୀ ହୋଇଗଲା। ଏଭଳି ପଦକ୍ଷେପ ଲାଗୁ ହୋଇଥିଲେ ଗ୍ରାଜୁଏଟ୍ କନେଷ୍ଟବଳମାନେ ତଦନ୍ତ ସମ୍ପର୍କିତ ଜ୍ଞାନ କୌଶଳ କ୍ଷେତ୍ରରେ ଅଧିକ ଦକ୍ଷ ହୋଇପାରିଥାନ୍ତେ ଏବଂ ଆର୍ଥିକ ସହାୟତା ପାଇଁ ପରବର୍ତ୍ତୀ ସମୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ପାରିଥାନ୍ତେ ବୋଲି ଶ୍ରୀ ଶତପଥୀ କହିଛନ୍ତି।