ହାବିଲଦାର-ସିପାହୀ-କନଷ୍ଟେବଳଙ୍କ ଆନ୍ଦୋଳନ ଧମକ

ଡିଜିଙ୍କୁ ଭେଟିଲା ପୁଲିସ ମହାସ˚ଘ

କଟକ : ଆଇନଜୀବୀ-ପୁଲିସ ବିବାଦରେ କ୍ରାଇମ୍‌ବ୍ରାଞ୍ଚ ଜଣେ ହୋମଗାର୍ଡଙ୍କୁ ଗିରଫ କରିସାରିଛି। କିନ୍ତୁ ଅନ୍ୟ ୩ ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ ପାଇଁ ଯଦି ପଦକ୍ଷେପ ନିଆଯାଏ ତେବେ ରାଜ୍ୟର ୬୦ ହଜାର କନଷ୍ଟେବଳ, ହାବିଲ୍‌ଦାର ଆନ୍ଦୋଳନକୁ ଓହ୍ଲାଇବେ। ଆବଶ୍ୟକ ପଡ଼ିଲେ ପୁଲିସ ବିଭାଗରେ କର୍ମଚାରୀ ଅସ୍ତ୍ରଶସ୍ତ୍ର ଛାଡ଼ି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଆଜି ଏହି ମର୍ମରେ ହାବିଲ୍‌ଦାର କନଷ୍ଟେବଳ ଓ ସିପାହୀ ମହାସ˚ଘ ପକ୍ଷରୁ ପୁଲିସ ଡିଜିଙ୍କୁ ଚେତାଇ ଦିଆଯାଇଛି। ପାଖାପାଖି ଅଧଘଣ୍ଟା କାଳ ପୁଲିସ ମୁଖ୍ୟାଳୟରେ ଡିଜି ଡାକ୍ତର ଆର‌୍‌.ପି.ଶର୍ମାଙ୍କ ସହିତ ଆଲୋଚନା ପରେ ସ˚ଘ ପରବର୍ତ୍ତି କାର୍ଯ୍ୟାପନ୍ଥା ଗ୍ରହଣ ପାଇଁ ଯୋଜନା କରୁଛି।

ସୂଚନା ଅନୁଯାୟୀ, ନୂଆବଜାର ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ହାଇକୋର୍ଟ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍‌ ଉଦୟ କୁମାର ଭୂୟାଁ, ହୋମ୍‌ଗାର୍ଡ କିଶୋର ଜେନା, ହାବିଲ୍‌ଦାର ପ୍ରସନ୍ନ କୁମାର ବେହେରା ଏବଂ ଜଣେ ସାଧାରଣ ବ୍ୟକ୍ତି ଦିଲ୍ଲୀପ କୁମାର ସିଂହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ପ୍ରଥମେ ଚାଉଳିଆଗଞ୍ଜ ଥାନା ପୁଲିସ ଏବ˚ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ଦିଲ୍ଲୀପ ସିଂହ ଓ ହୋମଗାର୍ଡ ଶ୍ରୀ ଜେନାଙ୍କୁ ଗିରଫ କରାଯିବା ପରେ ଆଜି ସକ୍ରିୟ ହୋଇଉଠିଛି ମହାସ˚ଘ। ସେମାନଙ୍କୁ ଯଦିଓ ଜାମିନ ମିଳି ସାରିଛି କିନ୍ତୁ ସେହି ଗିରଫଦାରୀ ପରେ ଆଜି ଦିନ ପ୍ରାୟ ୨ଟା ବେଳେ ହାବିଲ୍‌ଦାର କନଷ୍ଟେବଳ ଓ ସିପାହୀ ମହାସ˚ଘର ସଭାପତି ସନ୍ତୋଷ ଶତପଥୀଙ୍କ ନେତୃତ୍ବରେ ଏକ ଟିମ ପୁଲିସ ମୁଖ୍ୟାଳୟରେ ଡିଜି ଶ୍ରୀ ଶର୍ମାଙ୍କୁ ଭେଟିଛି। ପାଖାପାଖି ଅଧଘଣ୍ଟା କାଳ ଏହି ଟିମ୍‌ ଡିଜିଙ୍କ ସହିତ ଆଲୋଚନା କରିଥିଲେ। ପରେ ଅପରାହ୍ନ ୫ଟା ବେଳେ ମହାସ˚ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଶତପଥୀ କହିଛନ୍ତି ଯେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଉପରେ ଆଇନଜୀବୀଙ୍କ ବିଶ୍ବାସ, ଭରସା ନାହିଁ ବୋଲି ଆନ୍ଦୋଳନ କରୁଛନ୍ତି। ଏବେ ୩ ପୁଲିସ କର୍ମଚାରୀଙ୍କୁ ଗିରଫଦାରୀ ପାଇଁ ଚାପ ପ୍ରୟୋଗ କରାଯାଉଛି। ଯଦ୍ବାରା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦିଗହରା ହେବାର ଆଶଙ୍କା ରହିଛି। କେବଳ କ୍ରାଇମବ୍ରାଞ୍ଚ ନୁହେଁ, ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତକୁ ମଧ୍ୟ ସଂଘ ସ୍ବାଗତ କରୁଛି। ମହାସ˚ଘ ରାଜ୍ୟ ସରକାର ଓ ଡିଜିଙ୍କ ସହିତ ଆଲୋଚନା କରିବ। ଯଦି ନିର୍ଭର ପ୍ରତିଶ୍ରୁତି ନମିଳିଲା, ପରବର୍ତ୍ତି ବୈଠକରେ ଏ ସ˚କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ହେବ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଆଜି ଡିଜିଙ୍କ ସହିତ ଆଲୋଚନା ଅବସରରେ ମହାସ˚ଘ ପକ୍ଷରୁ ସଭାପତି ଶ୍ରୀ ଶତପଥୀଙ୍କ ସମେତ ମହାସ˚ଘର ସମ୍ପାଦକ ପଞ୍ଚାନନ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ତା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ପାତ୍ର, ସା˚ଗଠନିକ ସମ୍ପାଦକ ବୃନ୍ଦାବନ ପ୍ରଧାନ ଏବ˚ କଟକ ଜିଆର‌୍‌ପି ଆସୋସିଏସନ୍‌, କଟକ କମିସନରେଟ୍‌, ସପ୍ତମ ବାଟାଲିୟନ୍‌ ଆସୋସିଏସନ୍‌, ତୃତୀୟ ବାଟାଲିୟନ୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର