ବିଦ୍ୟାଳୟରେ ଚିକେନ୍‌ ଝୋଳ ଘଟଣା : ବଣାଇଁ ବିଇଓ ସସ୍‌ପେଣ୍ଡ, ତୁମୁଡ଼ିବନ୍ଧରେ ମାଫ୍‌!

ତୁମୁଡ଼ିବନ୍ଧ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଶିକ୍ଷାଧିକାରୀ ପରିଦର୍ଶନରେ ଯାଇ ତିଲେଇମାଲ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯାଞ୍ଚ ଆଳରେ ପିଲାଙ୍କ ସହ ବସି ଚିକେନ୍ ଝୋଳ ଖାଇଲେ। ଏ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାପାଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ, ତୁରନ୍ତ ବିଇଓଙ୍କୁ ସସ୍‌ପେଣ୍ଡ କଲେ। ଦୁଇ ସପ୍ତାହ ତଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ମଧ୍ୟ ସେହି ସମାନ ଘଟଣା ଘଟିଥିଲେ ମଧ୍ୟ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସୂଚନା ଅନୁଯାୟୀ ତୁମୁଡ଼ିବନ୍ଧ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିଆର୍‌ସିସି ଗଣେଶ୍ୱର ନାୟକ ବେଲଘର ପଞ୍ଚାୟତ ନିକଟସ୍ଥ ରଙ୍ଗାପାରୁ ବିଦ୍ୟାଳୟକୁ ମନିଟରିଂରେ ଯାଇଥିଲେ। ସେହିଦିନ ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ କରାଯାଇ ନ ଥିଲା। କୋମଳମତି ଛାତ୍ରଛାତ୍ରୀ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଭୋକରେ ଘରକୁ ଫେରି ଯାଇଥିଲେ। ହେଲେ ସଂପୃକ୍ତ ଅଧିକାରୀ ଜଣଙ୍କ ପିଲାଙ୍କୁ ଖାଇବା ବ୍ୟବସ୍ଥା ନ କରାଇ ମାନବିକତା ଭୁଲିଯାଇ ନିଜେ କିଛି ଶିକ୍ଷକଙ୍କ ସହ ମିଶି ବେଲଘର ବିଦ୍ୟାଳୟରେ ଦେଶୀ ଚିକେନ ଝୋଳ ଖାଇଥିଲେ। ବିଦ୍ୟାଳୟ ଭିତରେ ଥିବା ରୋଷେଇ ଘରେ ଅଧିକାରୀଙ୍କ ପାଇଁ ଅଣା ଯାଇଥିବା ଦେଶୀ କୁକୁଡ଼ା ମାଂସ ରୋଷେଇ ହୋଇଥିଲା। ମଧ୍ୟାହ୍ନ ସମୟରେ ଏହି ବିଦ୍ୟାଳୟ ଭିତରେ କିଛି ଶିକ୍ଷକଙ୍କ ସହ ମିଶି ବିଆରସିସି ଦେଶୀ ଚିକେନ ଝୋଳ ଖାଇଥିଲେ ବୋଲି ଉକ୍ତ ଶିକ୍ଷକ ଜଣଙ୍କ ନିଜ ନାମକୁ ଗୋପନ ରଖି ବୟାନ ଦେଇଥିଲେ।

ଏହି ଖବର ‘ସମ୍ବାଦ’ରେ ଗତ ମାସ ୨୬ ତାରିଖରେ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି. ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ଘଟଣାକୁ ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯିବା ପଛରେ କାରଣ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଓ ବିଇଓଙ୍କୁ ନିଲମ୍ବନ ଘଟଣା ପରେ ଏବେ କନ୍ଧମାଳ ଜିଲ୍ଲାପାଳ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର