ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ସେତୁ ବିତରକ

ଆଜି ଅନ୍ତର୍ଜାତୀୟ ହକର୍ସ ଡେ’

ରାଉରକେଲା: ଗୁରୁବାର ହେଉଛି ଖବରକାଗଜ ବିତରକ ଭାଇ-ଭଉଣୀମାନଙ୍କ ପାଇଁ ଦିନଟିଏ। କାରଣ ମେ’ ୨୬ ତାରିଖକୁ ସମଗ୍ର ବିଶ୍ବରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ହକର୍ସ ଡେ’ ବା ବିତରକ ଦିବସ। ସୂଚନା ପ୍ରସାରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ବିତରକମାନଙ୍କୁ ସମ୍ମାନ ଦେବା ଏହି ଦିବସର ଉଦ୍ଦେଶ୍ୟ। ଖବରକାଗଜ ବାଣ୍ଟିବା ବା ବିକ୍ରି କରିବା ଅନ୍ୟ ଖାଉଟି ଦ୍ରବ୍ୟ ବାଣ୍ଟିବା ବା ବିକ୍ରି କରିବା ଭଳି କାମ ନୁହେଁ, ଏହା ଏକ ସମ୍ମାନଜନକ ପେସା ବୋଲି ଏହି ଦିବସ ଆମକୁ ମନେ ପକାଇଦିଏ। ଉଲ୍ଲେଖନୀୟ ଯେ ବିଶ୍ବର ଅନେକ ବିଶିଷ୍ଟ ବ୍ୟକ୍ତି ଖବରକାଗଜ ବିତରକ ଭାବେ କାମ କରିଥିଲେ। ସେମାନଙ୍କ ଭିତରେ ଅଛନ୍ତି ମାର୍କ ଟ୍ବାଇନ୍‌ଙ୍କ ଭଳି ବିଶ୍ବବିଦିତ ଲେଖକ, ଥମାସ୍ ଏଡିସନ୍‌ଙ୍କ ଭଳି ଶ୍ରେଷ୍ଠ ବୈଜ୍ଞାନିକ, ଏପରିକି ଡିଗ୍ୟୁଟ୍‌ ଏଜେନହୋର୍‌ ଓ ହ୍ୟାରି ଟ୍ରୁମ୍ୟାନଙ୍କ ଭଳି ଆମେରିକୀୟ ରାଷ୍ଟ୍ରପତି।

ସକାଳୁ ଉଠିବା ପରେ ଚା’ କପ୍‌ ସହ ଖୋଜା ପଡିଥାଏ ଖବରକାଗଜ। ‌ସେଥିପାଇଁ ଅପେକ୍ଷା ଥାଏ ବିତରକ ବନ୍ଧୁଙ୍କୁ। ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ସେତୁ ହେଉଛନ୍ତି ବିତରକ। ବର୍ଷା ଓ ଶୀତ କାକରକୁ ଖାତିର ନକରି ବର୍ଷକ ୩୬୫ ଦିନ ଘରେ ଘରେ ପାଠକଙ୍କ ନିକଟରେ ଖବର ପହଞ୍ଚାଉଛନ୍ତି ଏମାନେ। ଆଜିକାର ଡିଜିଟାଲ୍‌ ଯୁଗରେ ମଧ୍ୟ ହକରଭାଇମାଙ୍କର ଚାହିଦାରେ କୌଣସି ଫରକ ପଡ଼ିନି। ବରଂ ଏମାନଙ୍କ ଗୁରୁତ୍ବ ବେଶ୍‌ ବଢ଼ିଛି। ରାଜ୍ୟରେ ପ୍ରମୁଖ ସହର କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ପରି  ସ୍ମାର୍ଟସିଟି ରାଉରକେଲାରେ ୨୫୦ ପାଖାପାଖି ବିତରକ କାମ କରୁଛନ୍ତି।  ଓଡ଼ିଆ, ହିନ୍ଦି, ଇଂରାଜୀ, ଉର୍ଦ୍ଦୁ, ବେଙ୍ଗଲି ଆଦି ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ଦୈନିକ, ପାକ୍ଷିକ, ସାପ୍ତାହିକ ଖବରକାଗଜ ବିକ୍ରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି।

ରାଉରକେଲା ସହରର ସେକ୍ଟର-୨ ଓ ନୂଆ ବସଷ୍ଟାଣ୍ଡରେ ଖବରକାଗଜ ବିକ୍ରି କେନ୍ଦ୍ର ରହିଛି। ଯେଉଁଠି ଭୋର ପ୍ରାୟ ୫ଟା ସୁଦ୍ଧା ‌ରାଜ୍ୟରେ ପ୍ରକାଶ ପାଉଥିବା ପ୍ରମୁଖ କାଗଜ ସମ୍ବାଦ, ସମାଜ, ପ୍ରମେୟ, ଧରିତ୍ରୀ ସହ ସକାଳ, ପ୍ରଗତିବାଦୀ ଆଞ୍ଚଳିକ ଓଡ଼ିଆ ଉତ୍କଳ ମେଲ୍‌, ଭାରତ ଦର୍ଶନ, ଉତ୍କଳ ସମାଚାର  ଆଦି ଓଡ଼ିଆ ଖବରକାଗଜ ପହଞ୍ଚିଥାଏ। ଏଥିସହ‌ ଦୈନ୍ଦିକ ହିନ୍ଦୀ ଖବରକାଗଜ ଦୈନିକ ଜାଗରଣ, ପ୍ରଭାତ ଖବର, ହିନ୍ଦୁସ୍ଥାନ, ନବଭାରତ, ଦୈନିକ ଭାସ୍କର, ଦେନିକ ଇଂରାଜୀ ଟାଇମ୍‌ସ ଅପ୍‌ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ୍‌, ଦି ହିନ୍ଦୁ, ଇକୋନମିକ୍ସ ଟାଇମ୍‌, ବେଙ୍ଗଲି ‌ଖବରକାଗଜ ‘ପ୍ରତିଦିନ’ ଓ ଆଜ୍‌ କାଲ୍‌ ପରି ଅନେକ ଆସିଥାଏ। ଦୁଇଟି କେନ୍ଦ୍ରରୁ ବିତରକମାନେ ଖବରକାଗଜ ନେଇ ସହରର କୋଣଅନୁକୋଣରେ ବଣ୍ଟନ କରିବାକୁ ସାଇକେଲ ଧରି ବାହାରି ପଡିନ୍ତି।

କଲୋନିରୁ କଲୋନି, ବସ୍ତିରୁ ବସ୍ତି, ଦୋକାନରୁ ଦୋକାନ, ଅଫିସ୍‌ରୁ ଅଫିସ୍ ସେମାନେ ବୁଲନ୍ତି। ଗ୍ରାହକ ପାଠକଙ୍କ ସହିତ ତାଙ୍କର ସାଧାରଣ କ୍ରେତା ଓ ବିକ୍ରେତାର ସଂପର୍କ ନଥାଏ,  ଥାଏ ଏକ ଅନ୍ତରଙ୍ଗ ସଂପର୍କ। ଉଭୟ ପରସ୍ପରର ସୁଖ ଦୁଃଖରେ ସାମିଲ ହୁଅନ୍ତି। ଏମିତି ଅନେକ ଥର ଘଟେ ଯେ ଖବରକାଗଜ ପଢ଼ିବା ବନ୍ଦ କରିଦେଲେ ହେଁ କିଛି ପାଠକ ବିତାରକ ବନ୍ଧୁଙ୍କ ସହିତ ଥିବା ବର୍ଷ ବର୍ଷର ସଂପର୍କ ହେତୁ ଖବରକାଗଜ ବନ୍ଦ କରିବାକୁ ଚାହାନ୍ତି ନାହିଁ। ସୁଖର କଥା ଯେ ଦୀର୍ଘ ଦିନ ଦାବି ପରେ ରାଜ୍ୟ ସରକାର ଏମାନଙ୍କ ଦୁଃଖ ଶୁଣିଛନ୍ତି। ନିକଟରେ ରାଜ୍ୟର ସମସ୍ତ ବିତରକ ଭାଇଭଉଣୀଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଛି।

ରାଉର‌କେଲା ବିତରକ ସଂଘର ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି, ‘‘ବିତରକ ଭାଇ ଓ ଭଉଣୀମାନେ ହେଉଛନ୍ତି ସମ୍ବାଦପତ୍ରର ଏକ ଅଂଶ। କେବଳ ଖବରକାଗଜ ଛପା ହୋଇଗଲେ ପାଠକମାନେ ଖବର ପାଇପାରିବେ ନାହିଁ। ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ମାଧ୍ୟମ ହେଉଛନ୍ତି ବିତରକ। ତାଙ୍କର ପରିଶ୍ରମକୁ ସରକାର ବୁଝିବା ଦରକାର। ଶ୍ରମିକ କର୍ମଚାରୀ ହିସାବରେ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ସମସ୍ତ ସୁବିଧା ସୁଯୋଗ ମିଳିବା ଦରକାର।’’

ନୂଆ ବସ୍‌ଷ୍ଟାଣ୍ଡ ସମ୍ବାଦପତ୍ର ବିକ୍ରି କେନ୍ଦ୍ରର ସମ୍ପାଦକ କିଶୋର ରାଉତ ଓ ଉପସଭାପତି ମିହିର ପାତ୍ର ମିଳିତ ସ୍ବରରେ କହନ୍ତି, ‘‘ଆଜି ଦିନ ଆମ ପାଇଁ ଉତ୍ସର୍ଗୀକୃତ ହୋଇଥିବାରୁ ଆମେ ବେଶ୍‌ ଖୁସି। ନିକଟରେ ଆମକୁ ସରକାର ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି। ମାତ୍ର ଶ୍ରମିକ କର୍ମଚାରୀ ହିସାବରେ ଆମକୁ ସରକାରଙ୍କ ଅନ୍ୟ ସମସ୍ତ ସୁବିଧା ମିଳିବାକୁ ଆମେ ଆଜିର ଦିନର ସରକାରଙ୍କୁ ନିବେଦନ କରୁଛୁ।’’

ସେକ୍ଟର-୨ କେନ୍ଦ୍ରର ସମ୍ପାଦକ ଶୁକେନ୍ଦୁ ପାତ୍ର, ଉପସଭାପତି ଅଶୋକ ବିଶ୍ବାଳ, ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା ମଧ୍ୟ ମତ ଦିଅନ୍ତି, ‘‘ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଅନ୍ତର୍ଜାତୀୟ ହକର୍ସ ଡେ’ରେ ଉଭୟ ସରକାର ଆମ ହକର ସମାଜର ମଙ୍ଗଳ ହେବା ଭଳି କିଛି ଯୋଜନା ଘୋଷଣା କରିବା ଦରକାର, ଯାହା ଆମର ଦୁଃଖ ଓ କଷ୍ଟ ଲାଘବ କରିପାରିବ।’’

ସମ୍ବନ୍ଧିତ ଖବର