୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଡିଆଇଜିଙ୍କୁ ନିର୍ଦ୍ଦେଶ
ଡାକ୍ତରଖାନା ନେବାର ଚାରିଘଣ୍ଟା ପୂର୍ବରୁ ସିସିଟିଭି ଫୁଟେଜ୍‌ ମାଗିଲେ

Advertisment

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବାଧିକାର କମିସନ୍‌(ଓଏଚ୍‌ଆର୍‌ସି)। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଓଏଚ୍‌ଆର୍‌ସି ନିଜଆଡ଼ୁ ମାମଲା ରୁଜୁ କରିବା ସହ ୪ ସପ୍ତାହ ମଧ୍ୟରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଭିଯୁକ୍ତଙ୍କୁ ହସ୍ପିଟାଲ୍‌ ନେବାର ୪ଘଣ୍ଟା ପୂର୍ବର ଥାନାର ସିସିଟିଭି ଫୁଟେଜ୍‌ ମଧ୍ୟ ଦାଖଲ କରିବାକୁ କୁହାଯାଇଛି।

ପୁଲିସ ଉପସ୍ଥିତିରେ ଗୋଳନ୍ଥରା ଥାନାରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ତଦନ୍ତ କରି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଗୋଳନ୍ଥରା ଥାନାର ଜଣେ ଏଏସ୍‌ଆଇ ଓ କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଥିଲେ। ସୋମବାର ଅପରାହ୍‌ଣରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଗାଁରେ ଗଣ୍ଡଗୋଳ କରୁଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନା ପୁଲିସ ଟିମ୍‌ ଘଟଣାସ୍ଥଳରୁ ଯାଇ ଗଣେଶଙ୍କୁ ଥାନାକୁ ଆଣିଥିଲା। କୋଭିଡ୍‌ ନିୟମ ପ୍ରକାରେ ଥାନା ପରିସରରେ ଥିବା ରିସେପସନ୍ ସେଣ୍ଟର୍‌ରେ ତାଙ୍କୁ ବସିବା ପାଇଁ କୁହାଯାଇଥିଲା। ରାତି ପ୍ରାୟ ୮ଟା ସମୟରେ ଗଣେଶ ପିନ୍ଧିଥିବା ବେଲ୍ଟକୁ ଝରକା ଲୁହାରେ ଲଗାଇ ଆତ୍ମହତ୍ୟା କରିଥିଲେ। ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ୍‌ ଜଣକ ଏହା ଦେଖି ଗଣେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଭିନ୍ନ ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ ଓଏଚ୍‌ଆର୍‌ସି ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଏହା ଏକ ହାଜତ ମୃତ୍ୟୁ ମାମଲା ହୋଇଥିବା ବେଳେ ମାନବାଧିକାର କ୍ଷୁଣ୍ଣ କଥା ମଧ୍ୟ ଉଠୁଛି। ଏହି ଘଟଣା ପଛରେ ପୁଲିସର ଅବହେଳା ମଧ୍ୟ ଦାୟୀ। ଏଣୁ କମିସନ୍‌ ନିଜଆଡ଼ୁ ମାମଲା ରୁଜୁ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।