ସ୍କୁୁଲ ଫି ଛାଡ଼ ପ୍ରସଂଗ, ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ସ୍କୁଲ ଫି’ ଛାଡ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ସରକାରଙ୍କୁ ଏହି ପ୍ରସଂଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ୭ଟି ସ୍ଲାବ୍‌ରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ରିପୋର୍ଟରେ ସୁପାରିସ କରାଯାଇଥିବା ବେଳେ ଏହି ପ୍ରସଂଗରେ ସରକାରଙ୍କ କଣ ଆଭିମୁଖ୍ୟ ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ସେପ୍ଟେମ୍ବର ୨୯ରେ ହାଇକୋର୍ଟରେ ଦାଖଲ ହୋଇଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ସମ୍ମତି ପ୍ରକାଶ କରିଥିବା ବେଳେ ରିଟ୍ ପିଟିସନ୍ ନମ୍ବର.୧୧୨୯୯/୨୦୨୦ର ଆବେଦନକାରୀଙ୍କ ପ୍ରତିନିଧି ସମ୍ମତି ପ୍ରଦାନ କରି ନଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ କେତେକ ଘେରାଇ ସ୍କୁଲ ପକ୍ଷରୁ ଏପରି ରିପୋର୍ଟକୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ଏପରି ଆଲୋଚନାରେ ସେମାନେ ପକ୍ଷ ନଥିବା ବେଳେ ସ୍କୁଲ ଫି ଛାଡ଼ ସଂପର୍କିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଘରୋଇ ସ୍କୁଲ ସଂଘ, ଶିକ୍ଷକ ସଂଘ, ଆବେଦନକାରୀଙ୍କ ପ୍ରତିନିଧି ଓ ଗଣଶିକ୍ଷା ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠରେ ଏହି ପ୍ରସଂଗର ଆପୋସରେ ସମାଧାନ ପାଇଁ ଉଦ୍ୟମ କରାଯାଇ ଏପରି ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବା ଉଚିତ। କେତେକ ଘରୋଇ ସ୍କୁଲ ଓ ସ୍କୁଲ ସଂଘ ସ୍କୁଲ ଫି ଛାଡ ପ୍ରସ୍ତାବକୁ ବିରୋଧ କରୁଥିବା ବେଳେ ସରକାରଙ୍କ ଏହି ପ୍ରସଂଗରେ କଣ ଆଭିମୁଖ୍ୟ ରହିଛି ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ। ଏହାପରେ ମାମଲାର ଚୂଡାନ୍ତ ଶୁଣାଣି ହୋଇ ରାୟ ପ୍ରକାଶ ପାଇବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ କେତେକ ପକ୍ଷ ହାଇକୋର୍ଟଙ୍କ ସେପ୍ଟେମ୍ବର ୨୯ ନିର୍ଦ୍ଦେଶ ପାଳନ କରି ଲିଖିତ ଯୁକ୍ତି ମଧ୍ୟ ଦାଖଲ କରି ସାରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌, ସ୍କୁଲ ଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇ ସ୍କୁଲ ପିଟିସନ୍  ଦାଖଲ କରିଥିଲେ। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୁତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର