ଆଇନଜୀବୀଙ୍କ ଅନ୍ଦୋଳନ ପ୍ରସଙ୍ଗ: ପ୍ରଧାନ ବିଚାରପତିଙ୍କୁ ଭେଟିଲେ ଆଇନଜୀବୀଙ୍କ ୬ ଜଣିଆ ପ୍ରତିନିଧି ଦଳ

କଟକ: ଜଣେ ବରିଷ୍ଠ ଆଇନଜୀବୀଙ୍କୁ ପୁଲିସର ମାଡ଼ମାରିବା ଘଟଣାରେ କଟକରେ ଆଇନଜୀବୀମାନେ ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରରେ ରବିବାର ଆଇନଜୀବୀଙ୍କ ୬ ଜଣିଆ ପ୍ରତିନିଧି ପ୍ରଧାନ ବିଚାରପତିଙ୍କୁ ଭେଟିଛନ୍ତି। ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି। ସାକ୍ଷାତକାର ପରେ ଆଇନଜୀବୀମାନେ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ କହିଛନ୍ତି, ଆନ୍ଦୋଳନ ସଂପର୍କରେ ଆଗାମୀ ବାର କାଉନସିଲ ବୈଠକରେ ନିଷ୍ପତ୍ତି ହେବ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ଆଇଜନୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ପୁଲିସ ମାଡ଼ ମାରିବା ଅଭିଯୋଗରେ ହାଇକୋର୍ଟ ଓକିଲ ସଂଘ ଅଗଷ୍ଟ ୨୯ରୁ ଆନ୍ଦୋଳନ ଜାରି ରଖିଛି। ଏହି ଆନ୍ଦୋଳନ ବ୍ୟାପକ ହେବା ପରେ ସେପ୍ଟେମ୍ବର ୧୮ରେ ରାଜ୍ୟସ୍ତରୀୟ ଆଇନଜୀବୀ ସମ୍ମଳନୀ ହୋଇଥଲା। ସମ୍ମିଳନୀରେ ରାଜ୍ୟର ୧୬୦ଟି ବାର ଆସୋସିଏସନର ପ୍ରତିନିଧି ଯୋଗଦେଇଥିଲେ। ନିଷ୍ପତ୍ତି ଥିଲା ଯେ, ଯେପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ପୂର୍ବରୁ କଟକ ବାର ଆସୋସିଏସନ ସଭାପତି ଓ ସଂପାଦକ, ନ୍ୟାସନାଲିଷ୍ଟ ଲୋୟର ଫୋରମ ଓ ସମାଜିକ କର୍ମୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ହାଇକୋର୍ଟରେ ଅଲଗା ଅଲଗା ୩ଟି ଅଭିଯୋଗ ହେବା ପରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମିଳିବା ପରେ ହାଇକୋର୍ଟ ସେପ୍ଟେମ୍ବର ୪ରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ। ସେପ୍ଟେମ୍ବର ୨୫ରେ କ୍ରାଇମବ୍ରାଞ୍ଚ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମାରିବା ଅଭିଯୋଗରେ ନୂଆବଜାରରୁ ଦିଲୀପ ସିଂହ ଓ ହୋମଗାର୍ଡ କିଶୋର ଜେନାଙ୍କୁ ଗିରଫ କରି କଟକ ଏସଡିଜେଏମଙ୍କ ନିବାସରେ ରାତିରେ ହାଜର କରିଥିଲା। ଗିରଫ ହେବାର କିଛି ସମୟ ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଜାମିନ ମଧ୍ୟ ମିଳି ଯାଇଥିଲା। ଫଳରେ ଆଇଜୀବୀଙ୍କ ଆନ୍ଦୋଳନ ଅଧିକ ତୀବ୍ର ରୂପ ନେଇଥିଲା। ପରେ ସେପ୍ଟେମ୍ବର ୨୫ ଓ ୨୬ କଟକର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ଆଇନଜୀବୀମାନେ ଅଚଳ କରି ଦେଇଥିଲେ।

ସମ୍ବନ୍ଧିତ ଖବର