ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବି : ପଶ୍ଚିମ ଓଡ଼ିଶାରେ ମହାବନ୍ଦ, ୪ ଜିଲ୍ଲା ଅଚଳ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ୪୮ ଘଣ୍ଟିଆ ମହାବନ୍ଦରେ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ ଜନଜୀବନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏଥିସହ ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ବି ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ପ୍ରକାର ଗାଡ଼ିମଟର ଚଳାଚଳ ବନ୍ଦ ରହିବାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇପଡ଼ିଛି। ‌େଦାକାନବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଏମିତିକି ଶିଳ୍ପସଂସ୍ଥାକୁ ବି ବନ୍ଦ ରଖାଯାଇଛି। ଟ୍ରେନ୍‌ସେବା ମଧ୍ୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅନେକ ଟ୍ରେନ୍ ଅଟକି ରହିଛି। ବାହାରୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ମହାବନ୍ଦରେ ବିଜେଡି, କଂଗ୍ରେସ, ବିଜେପି, ସିପିଆଇ, ସିପିଏମ୍‌, ବିଏସପି, ସପା, ଆପ ସମେତ ସମସ୍ତ ରାଜନୈତିକ ଦଳର ସ୍ଥାନୀୟ ସଂଗଠନ ସହ ୧୮୦ରୁ ଅଧିକ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଦେଉଥିବା ସଂଘ ପକ୍ଷରୁ କୁହାଯାଇଛି। କାଁ ଭାଁ ଛୋଟ ଘଟଣାକୁ ବାଦ୍‌ ଦେଲେ ମହାବନ୍ଦ ଶାନ୍ତିପୂର୍ଣ୍ଣ ରହିଛି। ଏହି ମହାବନ୍ଦ ଶବିବାର ସକାଳ ପର୍ଯ୍ୟନ୍ତ ଚାଲିବ। ରାତିରେ ବି ବନ୍ଦ ପାଳନ କରାଯିବ। ଏଥିପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସିଏସିର ଆହ୍ବାନ କ୍ରମେ ଚାଲିଥିବା ମହାବନ୍ଦ ପରିପ୍ରେକ୍ଷୀରେ ଆହୁରି ୨୪ ଘଣ୍ଟା (ଆଜି ଅର୍ଥାତ୍ ୩୦ ନଭେମ୍ବର) ମଧ୍ୟ ବନ୍ଦ ରହିବ।

ଆଜି ସକାଳେ ସମ୍ବଲପୁର କ୍ଷେତରାଜପୁର, ସିଟି, ଫାଟକ, ଯୁଯୁମୁରା, ମାନେଶ୍ବର ଷ୍ଟେସନରେ ୯ ଯାତ୍ରୀବାହୀ ଟ୍ରେନ ଏବଂ ୨ ମାଲବାହୀ ‌େଟ୍ରନକୁ ଅଟକାଯାଇ ଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ, ସିକନ୍ଦରାବାଦ ହମସଫର ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି, ଜମୁତଇ, ସମ୍ବଲପୁର-ନାନ୍ଦେର ଆ‌ଦି ଟ୍ରେନ୍ ଅଟକି ରହିଥିଲେ। ଶେଷରେ ଏହି ଟ୍ରେନ ଗୁଡ଼ିକୁ ବାତିଲ କରିବାକୁ ପଡ଼ିଥିଲା। କଲିକତା ମୁମ୍ବାଇ ରୁଟ୍‌ରେ ଟ୍ରେନ୍ ଚଳାଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଆନ୍ଦୋଳନକାରୀମାନେ ଏମ୍‌ସିଏଲ ଗେଟ ସମ୍ମୁଖରେ ଧାରଣା ଦେବା ସହିତ ବୁର୍ଲା, ହୀରାକୁଦ, ସମ୍ବଲପୁର ସହରର ରେମେଡ଼, ବରେଇପାଲି, ଅଇଁଠାପାଲି ଛକ, ଧନୁପାଲି, ସିନ୍ଦୁରପଙ୍କ, ନେଲସନ ମଣ୍ଡେଲା (କଚେରି) ଛକରେ ରାସ୍ତା ଅବରୋଧ କରିଥିଲେ। ଏଥିସହିତ ବିଭିନ୍ନ ଗଳିରେ ମଧ୍ୟ ଯିଏ ଯେଉଁଠି ପାରିଲେ ନିଆଁ ଜଳାଇ ରାସ୍ତା ଅବରୋଧ କରିଥିଲେ। ରାଜପଥ ଓମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ରକ, ବସ, ବିଭିନ୍ନ ପ୍ରକାର ଯାତ୍ରୀବାହୀ ଗାଡ଼ି ଅଟକି ରହିଥିଲା। ଏହି ଅବସରରେ ହାଇକୋର୍ଟ ବେଞ୍ଚ ଦାବି ସମର୍ଥନରେ ନାକଟିଦେଉଲରୁ କଂଗ୍ରେସ ପକ୍ଷରୁ ୭୦୦ ଲୋକଙ୍କ ବାଇକ୍‌ ରାଲି ବାହାରି ସହର ପରିକ୍ରମା କରିଥିଲା।

ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଏହି ୪୮ ଘଣ୍ଟାର ମହାବନ୍ଦ ଆହ୍ବାନ ଦିଆଯାଇଛି। ଆସନ୍ତାକାଲି (ଶୁକ୍ରବାର) ମଧ୍ୟ ଏହିଭଳି ବନ୍ଦ ଜାରି ରହିବ ବୋଲି ସଂଘ ପକ୍ଷରୁ କହିଛି। ଓକିଲ ସଂଘର ୧୫୦୦ରୁ ଅଧିକ କର୍ମକର୍ତ୍ତା ସମ୍ବଲପୁରର ବିଭିନ୍ନ ସ୍ଥାନରେ ରହି ପିକେଟିଂ କରୁଥିଲେ। ଏଥିସହିତ ମୋବାଇଲ ପିକେଟିଂ ମଧ୍ୟ ଜାରି ରହିଥିଲା।

ଆମ ଝାରସୁଗୁଡା ପ୍ରତିନିଧିଙ୍କ ସୁଚନାନୁସାରେ ବନ୍ଦ ଯୋଗୁ ଏଠାରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଓକିଲ ସଂଘର ସଦସ୍ୟମାନେ ବିଭିନ୍ନ ରାସ୍ତାକୁ ଅବରୋଧ କରି ରଖିବାରୁ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଭୁବନେଶ୍ବର ଠାରୁ ଝାରସୁଗୁଡ଼ା ଦେଇ ବିଭିନ୍ନ ସ୍ଥାନକୁ ଯାଉଥିବା ବସ୍ ଗୁଡ଼ିକ ଝାରସୁଗୁଡ଼ା ଠାରେ ଅଟକି ରହିଥିଲା। ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ ରହିଛି।

ସେହିପରି ମହାବନ୍ଦ ଯୋଗୁଁ ସୁବର୍ଣ୍ଣପୁରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, କୋର୍ଟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାକି ସବୁ ଠପ ହୋଇଥିବା ଆମ ପ୍ରତିନିଧିଙ୍କ ଠାରୁ ପ୍ରକାଶ।

ଦେବଗଡ଼ ଜିଲ୍ଲାରେ ମଧ୍ୟ ମହାବନ୍ଦ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଏଠାରେ ମଧ୍ୟ ସମସ୍ତ ଅଫିସ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ୪୯ନ˚ ଜାତୀୟ ରାଜପଥ ଏବ˚ ୨୩ ନ˚ ଜାତୀୟ ରାଜପଥକୁ ଓକିଲମାନେ ଅବରୋଧ କରିଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଆମ ବରଗଡ଼ ପ୍ରତିନିଧିଙ୍କଠାରୁ ପ୍ରକାଶ ଯେ ଜିଲ୍ଲାର ଅତାବିରାରେ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଥିବାବେଳେ ପଦ୍ମପୁର, ବରପାଲି ଓ ପାଇକମାଲରେ ୧୨ ଘଣ୍ଟିଆ ବନ୍ଦ ରହିଥିଲା। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ କେବଳ ରାଉରକେଲା ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ମହାବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି। ଅନ୍ୟପକ୍ଷରେ ଏହି ମହାବନ୍ଦରେ ବାଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ସାମିଲ ହୋଇ ନଥିବା ବେଳେ ଆସନ୍ତା ୩ ତାରିଖ ବଲାଙ୍ଗିର ବାର୍‌ ଜିଲ୍ଲା ବନ୍ଦ ଡାକରା ଦେଇଛି। ସେହିପର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକରେ ଆଜି ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର