ଭୁବନେଶ୍ବର : ହାଇେକାର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଚାଲିଛି। ସମ୍ବଲପୁର ଆଦି ଜିଲ୍ଲାରେ ସରକାରୀ ଅଫିସ ବନ୍ଦ ରହିଥିବାରୁ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେଣି। ହେଲେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କେହି ବି ଏ ନେଇ ଠୋସ୍ ପଦକ୍ଷେପ ନେଉନାହାନ୍ତି। ଏମିତି ଏକ ସମୟରେ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ପ୍ରେସ ବିବୃତି ଜାରି କରିଛି। ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବଙ୍କ ଦସ୍ତଖତରେ ଜାରି ଏହି ବିଜ୍ଞପ୍ତିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନ ଗୁଡିକ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପରିହାର କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।
ଏଥିରେ ଆହୁରି କୁହାଯାଇଛି ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡିଶା ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ଦୀର୍ଘ ତିନି ଦଶନ୍ଧି ଧରି ଏଭଳି ନିରନ୍ତର ଉଦ୍ୟମ ଚାଲିଛି। ରାଜ୍ୟ ସରକାର ଏ ନେଇ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ସରକାର ସମସ୍ତ ଭିତ୍ତିଭୂମି ଏବଂ ମାନବସମ୍ବଳ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଏ ସଂକ୍ରାନ୍ତରେ ଅନୁରୋଧ କରାଯାଇଛି । ବସ୍ତୁତଃ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାର ଓ ସଂସଦ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ।
ଗୃହ ବିଭାଗ କହିଛି, ଇତିମଧ୍ୟରେ ପଶ୍ଚିମାଞ୍ଚଳର ବିଭିନ୍ନ ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ସର୍ବସାଧାରଣ ସେବା, ସରକାରୀ ଏବଂ ଅଦାଲତର କାର୍ଯ୍ୟ ବହୁଳ ଭାବରେ ବାଧାପ୍ରାପ୍ତ ହେବା ସଂଗେ ସଂଗେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଓଡିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଅତୀତରେ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ତେଣୁ ସଂଗଠନ ଓ ଅନୁଷ୍ଠାନ ଗୁଡିକ ଆନ୍ଦୋଳନରୁ ଓହରିଯାଇ ଲୋକଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଜନସେବା, ସରକାରୀ କାର୍ଯ୍ୟାଳୟ ତଥା ଅଦାଲତ ଗୁଡିକର କାର୍ଯ୍ୟ ପରିଚାଳନାରେ ପୂର୍ଣ୍ଣ ସହଯୋଗ ଲାଗି ସରକାର ନିବେଦନ କରିଛନ୍ତି ।