କଟକ ଦୁର୍ଗା ପୂଜା ପ୍ରସଙ୍ଗରେ ପୁଲିସ କମିସନର କହିଲେ- ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ହେବ

ଭୁବନେଶ୍ୱର: ଆସନ୍ତା ଦୁର୍ଗାପୂଜା ସମୟରେ କଟକର ପୂଜା ମଣ୍ଡପ ଗୁଡ଼ିକରେ କେତେ ଉଚ୍ଚତାର ମୂର୍ତ୍ତି ପୂଜା କରାଯାଇପାରିବ, ସେ ନେଇ ହାଇକୋର୍ଟ ନିଷ୍ପତ୍ତି ନେବେ । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମୂର୍ତ୍ତିର ଉଚ୍ଚତା ବଦଳିବା ନେଇ ଏଯାବତ କୌଣସି ନିଷ୍ପତ୍ତି ହୋଇନାହିଁ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୁଲିସ କାମ କରିବ । ସୋମବାର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି ।

ସୂଚନାଯୋଗ୍ୟ, ଆସନ୍ତା ଦୁର୍ଗାପୂଜାରେ କଟକ ସହରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ମୂର୍ତ୍ତି ନିର୍ମାଣ କରାଯାଇପାରି ବୋଲି କମିସନରେଟ ପୁଲିସ ପକ୍ଷରୁ ଗତକାଲି କୁହାଯାଇଥିଲା । କମିସନରେଟ ପୁଲିସ ଗତକାଲି ୧୬୨ଟି ମଣ୍ଡପ ବୁଲି ଦେଖିବା ପରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ପାଇଁ ହାଇକୋର୍ଟଙ୍କୁ ସୁପାରିସ କରିଛି । ପୁଲିସ କମିସନର ପକ୍ଷରୁ କୁହାଯାଇଥିଲା ଯେ, ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ୧୪୨ଟି ମଣ୍ଡପରେ ଏଯାଏଁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । କିଛି ପୂଜା କମିଟି ପକ୍ଷରୁ ଅମାନିଆ ହୋଇ ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରି ଦେଇଛନ୍ତି । ଯଦି ଏହି ପୂଜା କମିଟିଗୁଡ଼ିକୁ ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତିକୁ ଅନୁମତି ଦିଆଯିବ, ତାହେଲେ ଅନ୍ୟମାନେ ଅସମ୍ମାନିତ ହେବେ ।

ପୂର୍ବରୁ, କଟକର ପ୍ରସିଦ୍ଧ ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିପାରିବ ସେ ନେଇ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଡିସିପିଙ୍କୁ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ପୂଜା କମିଟି ନିଜ ନିଜର ପୂଜା ମଣ୍ଡପରେ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଛନ୍ତି ଡିସିପିଙ୍କୁ ଜଣାଇବେ ବୋଲି ହାଇକୋର୍ଟ ନିଜର ନିର୍ଦ୍ଦେଶନାମାରେ କହିଥିଲେ ।

ସମ୍ବନ୍ଧିତ ଖବର