ଚିଟ୍‌ଫଣ୍ଡ ମାମଲା: ମିଡାସ ନିର୍ଦ୍ଦେଶିକାଙ୍କୁ ସର୍ତ୍ତମୂଳକ ଜାମିନ

କଟକ :ମିଡାସ ଟଚ୍‌ ଚିଟ୍‌ଫଣ୍ଡ ମାମଲାରେ କମ୍ପାନୀ ନିର୍ଦ୍ଦେଶିକା ନିରୁପମା ସାମଲଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମାମଲାର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦୁଇ କୋଟି ଟଙ୍କାର ବ୍ୟକ୍ତିଗତ ମୁଚାଲିକା, ଦୁଇ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବିନିମୟରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ପାସପୋର୍ଟ ଜମା କରିବା ସହ ରାଜ୍ୟ ବାହାରକୁ ଯେପରି ନ ଯାଇ ପାରିବେ ସେ ନେଇ କୋର୍ଟ ସର୍ତ୍ତ ଆରୋପ କରିଛନ୍ତି । ସ୍ଥାନୀୟ ପୁଲିସ ନିକଟରେ ମଧ୍ୟ ନିୟମିତ ହାଜିରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ମିଡାସ ଟଚ୍‌ ଚିଟ୍‌ଫଣ୍ଡ କମ୍ପାନୀ ଜମାକରୀମାନଙ୍କୁ ଲୋଭନୀୟ ଅଫର ଦେଇ ଅର୍ଥ କାରବାର ଜାରି ରଖିଥିଲା । କିନ୍ତୁ ଗ୍ରାହକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କମ୍ପାନୀ ପୂରଣ ନ କରି କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା । ଖୋଲତାଡ ପରେ କମ୍ପାନୀ ଆକାଉଣ୍ଟରୁ ନିର୍ଦ୍ଦେଶିକା ନିରୁପମା ସାମଲଙ୍କ ଆକାଉଣ୍ଟକୁ ୬୫ ଲକ୍ଷ ଟଙ୍କା ଟ୍ରାନସଫର ହୋଇଥିବା ଜଣାପଡିଥିଲା। ଏହି ବେଆଇନ ଅର୍ଥ କାରବାର ଜଣାପଡିବା ପରେ ସିବିଆଇ ଶ୍ରୀମତୀ ସାମଲଙ୍କୁ ଗତବର୍ଷ ଗିରଫ କରିଥିଲା। ତେବେ ନିମ୍ନ ଅଦାଲତ ଶ୍ରୀମତୀ ସାମଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏ ନେଇ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ବିଚାରପତି ଜଷ୍ଟିସ ଏସ୍‌. କେ. ମିଶ୍ରଙ୍କ ଇଜିଲାସରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର