ରେଭେନ୍ସା କୁଳପତି ନିଯୁକ୍ତି ପ୍ରକ୍ରିୟା ଉପରୁ ଅଙ୍କୁଶ ଉଠିଲା

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଉପରୁ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ଉଠିଛି। ପୂର୍ବରୁ ଏ ସଂପର୍କିତ ମାମଲାର ଶୁଣାଣି କରି କୁଳପତି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଜାରି ରହି ପାରିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରସଂଗରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧୪ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପାରିବ। କିନ୍ତୁ ଏହି ବିଚାରାଧୀନ ମାମଲାର ଫଳାଫଳ ଉପରେ କୁଳପତି ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁଳପତି ନିଯୁକ୍ତି ସଂପର୍କିତ ନିଯୁକ୍ତି ପତ୍ରରେ ଏପରି ନିର୍ଦ୍ଦେଶ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯିବ। ଏଥି ସହିତ ଏ ସଂପର୍କିତ ମୂଳ ରିଟ୍‌ ପିଟିସନର ପରବର୍ତ୍ତୀ ଶୁଣାଣି ଶୀତ ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ପ୍ରସଂଗରେ ୨୦୧୭, ଡିସେମ୍ବର ୧୪ରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ରେଭେନ୍ସା କର୍ତ୍ତୃପକ୍ଷଙ୍କ ତରଫରୁ ଦାଖଲ ମିସ୍‌ କେସ୍‌ ଉପରେ ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚଳିତ ମାସ ୩୧ ତାରିଖରେ ରେଭେନ୍ସା କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ୨୦୧୭, ଅକ୍ଟୋବର ୨୩ରେ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଯୋଗ୍ୟତା ମାନଦଣ୍ଡ ୟୁଜିସି ନିୟମାବଳୀ ଅନୁସାରେ କରାଯାଇ ନାହିଁ ବୋଲି ଦର୍ଶାଇ ପ୍ରଫେସର ଡକ୍ଟର ନଚିକେତା ଦାସଙ୍କ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ କୁଳପତିଙ୍କ ନିଯୁକ୍ତି ବେଳେ ୟୁଜିସି ନିୟମାବଳୀ ଅନୁସରଣ କରାଯାଉଥିବା ବେଳେ ଅକ୍ଟୋବର ୨୩ରେ କୁଳପତି ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଓ ଅନୁଭବ ପ୍ରସଂଗରେ ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୪ରେ କୁଳପତି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ୟୁଜିସି ନିୟମାବଳୀ ଅନୁସାରେ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଥି ସହିତ କୁଳପତି ନିଯୁକ୍ତି ସଂପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣରେ େଓ୍ଵବସାଇଟ ଓ ନୋଟିସ୍‌ ବୋର୍ଡରେ ଉପଲବ୍ଧ କରି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣାଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର