ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ : ଆଜିଠୁ ଅନଶନ, ୨୩ ଯାଏଁ କାର୍ଯ୍ୟ ବନ୍ଦ

କଟକ : ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନ ଫେବ୍ରୁଆରି ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆଜି ଦିନ ପ୍ରାୟ ୧ଟା ୨୦ରେ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏ ନେଇ ସଦସ୍ୟମାନେ ଆଲୋଚନା କରିଥିଲେ। ଖାଲି ପଡ଼ିଥିବା ବିିଚାରପତି ପଦ ପୂରଣ ଓ ମାମଲା ଗୁଡିକର ଲିଷ୍ଟିଂ ପ୍ରସଂଗରେ ସଦସ୍ୟମାନେ ମତାମତ ରଖିଥିଲେ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଥିଲା। ଏଥିସହ ଦାବି ପୂରଣ ନେଇ ଆସନ୍ତାକାଲି ଠାରୁ ହାଇକୋର୍ଟ ବାର୍‌ ପରିସରରେ ରିଲେ ଅନଶନ ଚାଲିବ ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

ଆନ୍ଦୋଳନକୁ ତୀବ୍ର କରାଯାଇ ମଙ୍ଗଳବାରଠାରୁ ହାଇକୋର୍ଟରେ କୌଣସି ମାମଲା ରୁଜୁ କରାଯିବ ନାହିଁ। ଏଥି ସହିତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା ପାଇଁ କୌଣସି ବ୍ୟକ୍ତିଙ୍କୁ କୋର୍ଟ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସୋସିଏସନ୍‌ ପକ୍ଷରୁ ଏକ ଷ୍ଟିଅରିଂ କମଟି ଗଠନ ପାଇଁ ଆଜି ସାଧାରଣ ପରିଷଦରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆନ୍ଦୋଳନ ଜାରି ରହିଥିବା ବେଳେ ସ୍ଥିତି ଅନୁଧ୍ୟାନ କରି ବିଭିନ୍ନ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବ ଏହି ଷ୍ଟିଅରିଂ କମିଟି। ଆସୋସିଏସନର ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯିବ। ଆସୋସିଏସନ ପକ୍ଷରୁ ଦାବି ପୂରଣ ପାଇଁ ରାଷ୍ଟପତି, ଭାରତର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀ, ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଫେବ୍ରୁଆରି ୨୩ ତାରିଖ ଦିନ ୧ଟା ୨୦ରେ ସାଧାରଣ ପରିଷଦର ପରବର୍ତ୍ତୀ ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ଜଣା ପଡିଛି।

ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅବଗତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପ୍ରସଂଗକୁ ନେଇ ଫେବ୍ରୁଆରି ୧୨ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଫେବ୍ରୁଆରି ୧୨ ତାରିଖ ମଧ୍ୟାହ୍ନ ୨ଟାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ପାଠାଗାର ସହ ସଂପାଦକ ସୁରେଶ କୁମାର ଜେନା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ, ବୀଣାପାଣି ତ୍ରିପାଠୀ, ଶିଶିର ଚନ୍ଦ୍ର ଦାଶ, ସୁଲୋଚନା ପାତ୍ରଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର