ରେଭେନ୍ସା କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ମାମଲା: ହାଇକୋର୍ଟଙ୍କ ନୋଟିସ୍‌

କଟକ : ରେଭେନ୍ସା କୁଳପତିଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁବାସ ଚନ୍ଦ୍ର ସାମଲଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ, ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳାଧିପତି, କୁଳପତି ଓ ୟୁଜିସିକୁ ନୋଟିସ୍‌ ଜାରି କରିଛନ୍ତି। ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ରଥ ଓ ଆଇନଜୀବୀ ଶାଶ୍ୱତ ଦାସ ମାମଲା ପରିଚାଳନା କରୁଛନ୍ତି। କଟକ ଜିଲ୍ଲା କାନପୁରର ସାମାଜିକ କର୍ମୀ ଶ୍ରୀ ସାମଲଙ୍କ ପକ୍ଷରୁ ଦାୟର ଏହି ମାମଲାରେ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ୟୁଜିସି ନିୟମାବଳୀର ଉଲ୍ଲଂଘନ କରାଯାଇଛି ବୋଲି ଦର୍ଶାଯାଇଛି। କୁଳପତି ନିଯୁକ୍ତି ପାଇଁ ଗଠିତ ସର୍ଚ୍ଚ କମିଟି ୟୁଜିସି ନିୟମାବଳୀ ଅନୁସାରେ କରାଯାଇ ନଥିଲା। ୟୁଜିସି ନିୟମାବଳୀ ଅନୁସାରେ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ଆବଶ୍ୟକ। ଏଥି ସହିତ ବିଶ୍ୱବିଦ୍ୟାଳୟ ସହିତ ତାଙ୍କର ସଂପର୍କ ନଥିବ। କିନ୍ତୁ ଗଠିତ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ଆଏଏସ୍‌ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସଦସ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ଭାବେ ଜଡିତ ଥିଲେ। ନିୟମ ଉଲ୍ଲଂଘନ କରାଯାଇ ସର୍ଚ୍ଚ କମିଟି ଗଠନ କରାଯାଇଥିବା ବେଳେ କୁଳପତି ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି ପରିସ୍ଥିତିରେ ୨୦୧୭, ଡିସେମ୍ବର ୨୩ରେ ରେଭେନ୍ସା କୁଳପତିଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର