ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟଣା : ଶକ୍ତି ବିଭାଗ, ସାଉଥ୍‌କୋକୁ ଜବାବ ତଲବ

କଟକ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢାରାଜପୁରଠାରେ ୧୧କେଭି ବିଦ୍ୟୁତ ତାର ଲାଗି ଗୋଟିଏ ବସ୍‌ର ୧୦ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ପ୍ରାଣହାନି ଓ ୨୨ଜଣ ଗୁରୁତର ଆହତ ହେବା ଘଟଣାକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଶକ୍ତି ବିଭାଗ ଓ ସାଉଥ୍‌କୋ ନିକଟରୁ ଜବାବ ତଲବ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଉଚ୍ଚ କ୍ଷମତାସମ୍ପନ୍ନ ତାର ଟଣାଯିବା ପାଇଁ ରହିଥିବା ନିୟମାବଳୀ ଓ ରକ୍ଷଣାବେକ୍ଷଣ ପାଇଁ ଆଇନରେ ରହିଥିବା ବ୍ୟବସ୍ଥା ସଂପର୍କରେ ଅବଗତ କରିବାକୁ ଶକ୍ତି ବିଭାଗ ଓ ସାଉଥ୍‌କୋକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଳନ୍ଥରାରେ ୧୧ କେଭି ବିଦ୍ୟୁତ ତାର ଟଣାଯିବା ଓ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ନିୟମାବଳୀ ପାଳନ କରାଯାଇଥିଲା କି ନାହିଁ, ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଘଟଣାରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଜବାବ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨କୁ ଧାର୍ଯ୍ୟ କରାଯାଇଛି।

ବିବରଣୀରୁ ପ୍ରକାଶ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢାରାଜପୁର ଡଙ୍କଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଲାଗି ଗତ ୯ ତାରିଖରେ ୧୦ ଜଣଙ୍କ ଘଟଣାସ୍ଥଳରେ ପ୍ରାଣହାନି ହୋଇଥିବା ନେଇ ଫେବ୍ରୁଆରି ୧୦ରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାରେ ବିଦ୍ୟୁତ ତାର ଟାଣିବା ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା।

ସମ୍ବାଦପତ୍ରରେ ପ୍ରକାଶିତ ଖବର ସହିତ ହରପ୍ରିୟା ପଟେଲ ଏକ ଚିଠି ହାଇକୋର୍ଟଙ୍କୁ ଲେଖି ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ମାମଲାରେ ରାଜ୍ୟ ଗୃହ ବିଭାଗ, ଶକ୍ତି ବିଭାଗ, ଆଇନ ବିଭାଗ, ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲ୍ଲାପାଳ, ସାଉଥ୍‌କୋକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର