ବାରିପଦା କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଂଗ: ମାନବାଧିକାର କମିସନଙ୍କ ଜବାବ ତଲବ

କଟକ: ବାରିପଦା କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ପ୍ରସଂଗକୁ ରାଜ୍ୟ ମାନବାଧିକାର କମିସନ୍ ଗୁରୂତ୍ବର ସହିତ ଗ୍ରହଣ କରି ମାମଲା‌େର ଜବାବ ତଲବ କରିଛନ୍ତି। କମିସନଙ୍କ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କୁ ନୋଟିସ୍ ଜାରି କରାଯିବା ସହିତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ ଘଟଣାର ତଦନ୍ତ କରି ମାନବାଧିକାର କମିସନଙ୍କ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବେ। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନର ଶୁଣାଣି କରି କମିସନ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଯତ୍ନରେ ଅ‌ବହେଳାକୁ ନେଇ ଅଭିଯୋଗ ହେଉଥିବା ବେଳେ ବାରିପଦା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ପ୍ରସଂଗରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ଶ୍ରୀ ମିଶ୍ରଙ୍କ ତରଫରୁ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଅନେକ ସମୟରେ ଚିକିତ୍ସାରେ ଅବହେଳା ଓ ରୋଗୀଙ୍କୁ ହଇରାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।

ମୟୁରଭଞ୍ଜ ଜିଲ୍ଲା ବାରିପଦା କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ଚରମ ସୀମା ଟପି ଯାଇଥିଲା। କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ପାଇଖାନା ପାଖରେ ବିନା କୌଣସି ବସ୍ତ୍ରରେ ଚଟାଣରେ ପଡି ରହିଥିବା ଫଟୋ ଦେଖିବାକୁ ମିଳିଥିଲା। ଏଥି ସହିତ କିଏ ବେଡ୍ ତଳେ ତ  ଆଉ କିଏ ଅଇଁଠା ଖାଦ୍ୟ ପାଖରେ ଗଡୁଥିଲେ। ରୋଗୀଙ୍କ ପାଇଁ ବେଡ୍‌ସିଟ୍ କି ତକିଆ କିଛି ନଥିବା ଦେଖିବାକୁ ମିଳିଥିଲା। ଡାକ୍ତର, ନର୍ସ କି ଅନ୍ୟ କୌଣସି କର୍ମଚାରୀ ରୋଗୀଙ୍କ ନିକଟକୁ ଆସୁ ନଥିବା ଘଟଣା ସମ୍ମୁଖକୁ ଆସିଥିଲା। ରୋଗୀଙ୍କୁ ଆବଶ୍ୟକ ବେଳେ ଅକ୍ସିଜେନ ଦେବା ଏଭଳି ହସ୍ପିଟାଲରେ ଏକ ପ୍ରକାର ସ୍ବପ୍ନ ଭଳି ମନେ ହୁଏ। ଏଭଳି କରୁଣ ଦୃଶ୍ୟ କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ହେଉଥିବା ଅବହେଳା ସଂପର୍କରେ ଚିତ୍ର ସ୍ପଷ୍ଟ କରିଥିଲା।

ମେ’ ୨୩ରେ ନିଜ ସଂପର୍କୀୟଙ୍କୁ ଏଭଳି ପରିସ୍ଥିତି ଯୋଗୁଁ ହରାଇଥିବା ବିଭୁଦତ୍ତ ଦାଶ ଅଭିଯୋଗ କରିଥିଲେ। ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କୋଭଡି ହସ୍ପିଟାଲ ଗୁଡିକରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ପ୍ରକୃତରେ କିଛି ଚିକତ୍ସା ପ୍ରଦାନ କରାଯାଉ ନାହିଁ ବୋଲି ବାରିପଦା ଘଟଣାରୁ ଜଣା ପଡୁଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ଓ କୋଭିଡ ହସ୍ପିଟାଲ ଗୁଡିକରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବହୁ କରୋନା ରୋଗୀ ପ୍ରାଣ ହରାଉଛନ୍ତି। ମଣିଷକୁ ମଣିଷ ଭଳି କୋଭିଡ ହସ୍ପିଟାଲରେ ବ୍ୟବହାର କରାଯାଉ ନାହିଁ। ଏହା ମାନବିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ। କମିସନ୍ ନିଜ ତଦନ୍ତ ଶାଖା ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ। ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ରୋଗୀଙ୍କ ନିକଟ ସଂପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର