ବିଷ୍ଣୁ ହତ୍ୟାର ଗୁମର ଖୋଲିଲେ ଡାକ୍ତର : ‘ନର୍ସଙ୍କ ସଙ୍ଗ ନଛାଡ଼ିବାରୁ ମାରିଲି’

ଏକୁଟିଆ ହତ୍ୟା କରି ଶବ କାଟି ପ୍ୟାକ୍‌ କରିଥିଲେ

ବ୍ରହ୍ମପୁର : ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁପ୍ରସାଦ ଗୌଡ଼କୁ ମୁଁ ଏକୁଟିଆ ମାରିଛି। ମାରିବା ପରେ ଶବକୁ କାଟି ପଲିଥିନ୍‌ରେ ପ୍ୟାକେଟ୍‌ ମଧ୍ୟ ମୁଁ ଏକା କରିଛି। ପରେ କେବଳ ଶବ ପ୍ୟାକେଟ୍‌ ସ୍ଥାନାନ୍ତର କରିବା ଓ ମାଟି ଘୋଡ଼ାଇବାକୁ ମାଳି ଗଙ୍ଗା ଓ ଗାଁର ପୁରୁଣା ହଳିଆ ବିଧାନଙ୍କୁ ଡକାଇଥିଲି। ନର୍ସଙ୍କୁ ମୁଁ ପ୍ରେମ କରୁଥିଲି। ହେଲେ ତା’ ସହ ପୁରୁଣା ପ୍ରେମ ସମ୍ପର୍କ ତୁଟାଇବାକୁ ବିଷ୍ଣୁକୁ କହୁଥିଲି। ସେ ନର୍ସ ସଙ୍ଗ ନ ଛାଡ଼ିବାରୁ ମାରିଦେଲି।

ବିଷ୍ଣୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଡା. ହୃଷୀକେଶ ତ୍ରିପାଠୀ ଜେରା ବେଳେ ପୁଲିସକୁ ଏମିତି ସୂଚନା ଦେଇଛନ୍ତି। ଆଜି ଜେରା ବେଳେ ଡାକ୍ତର ନିଜ ଦୋଷ ମାନିଥିବା ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର କହିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ସହଯୋଗୀ ତାଙ୍କ ଗାଁ ହଳିଆ ବିଧାନ ସେଠୀକୁ ମଧ୍ୟ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ରକ୍ତଲଗା ସର୍ଜରୀ ବ୍ଲେଡ୍‌, ୩ଟି ଗ୍ଲୋବ୍‌ସ୍‌, ଗଜ କନା, ୪ଟି ଖାଲି ସାଲାଇନ୍‌ ବୋତଲ ଜବତ ହୋଇଛି। ଏହା ସହିତ ବିଷ୍ଣୁଙ୍କ ବାଇକ୍‌ ଚାବି ଓ ଜୋତା ମଧ୍ୟ ଜବତ ହୋଇଛି।

ପୁଲିସ କହିଛି, ଡା.ତ୍ରିପାଠୀ ଏକୁଟିଆ ବିଷ୍ଣୁଙ୍କୁ ନିଶା ଇଂଜେକ୍ସନ୍‌ ଦେଇ ଶରୀରରୁ ରକ୍ତ ବାହାର କରିବା ପରେ ଖଣ୍ଡ ଖଣ୍ଡ କରିଥିଲେ। ତିନିଟି ପଲିଥିନ୍‌ ବ୍ୟାଗ୍‌ରେ କଟା ଶବ ପ୍ୟାକ୍‌ କରି ୨ଜଣ ସହଯୋଗୀଙ୍କ ସହାୟତାରେ ନିଜ କାର୍‌ରେ ଯାଇ ସହର ଉପକଣ୍ଠ ବଡ଼ଗୁଗୁଳା ସ୍ଥିତ ପରିତ୍ୟକ୍ତ କୂଅରେ ପୋତି ମାଟି ଘୋଡ଼ାଇ ଦେଇଥିଲେ। ପୂର୍ବରୁ ମାଳି ଗଙ୍ଗା ବେହେରା ଗିରଫ ହୋଇ ଜେଲ୍‌ ଯାଇଥିଲା। ବେଳେ ଅନ୍ୟତମ ସହଯୋଗୀ ବିଧାନକୁ ଆଜି ଗିରଫ କରା ଯାଇଥିବା ଏସ୍‌ପି କହିଛନ୍ତି। ଆଉ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରଥମେ ଡାକ୍ତରଙ୍କ ପୁରୁଣା ଡ୍ରାଇଭର୍‌ ହିଁ ସୁରାକ୍‌ ଦେଇଥିଲେ, ଯାହା ଘଟଣାର ପର୍ଦ୍ଦାଫାସ୍‌ କରିବାରେ ବଡ଼ ସଫଳତା ଦେଲା ବୋଲି ସେ କହିଛନ୍ତି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଣିିଆ ଗ୍ରାମର ବିଷ୍ଣୁ ବ୍ରହ୍ମପୁରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ କାମ କରୁଥିଲେ। ପ୍ରାୟ ୧୫ବର୍ଷ ତଳେ ସେ ନର୍ମଦା ଗୌଡ଼ଙ୍କୁ ବାହା ହୋଇଥିଲେ। ବିବାହ ପୂର୍ବରୁ ଗାୟତ୍ରୀ କ୍ଲିନିକ୍‌ରେ କାମ କରୁଥିବା ସଂପୃକ୍ତ ନର୍ସଙ୍କ ସହିତ ବିଷ୍ଣୁଙ୍କ ପ୍ରେମ ସମ୍ପର୍କ ଥିଲା। ବାହାଘର ପରେ ମଧ୍ୟ ବିଷ୍ଣୁ ବ୍ରହ୍ମପୁରରେ ନର୍ସଙ୍କ ସହିତ ରହି ଆସୁଥିଲେ। ଗତ ପ୍ରାୟ ୯ମାସ ପୂର୍ବରୁ ଡା.ତ୍ରିପାଠୀ ନର୍ସଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ପରେ ବିଷ୍ଣୁଙ୍କ ସହ ସମ୍ପର୍କ ତୁଟାଇବାକୁ ଡା.ତ୍ରିପାଠୀ ନର୍ସଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଏପରିକି ଏହି ପ୍ରେମ ସମ୍ପର୍କ ବିଷୟରେ ସେ ବିଷ୍ଣୁଙ୍କ ପତ୍ନୀ ନର୍ମଦା ଏବଂ ତାଙ୍କ ବାପାଙ୍କୁ ମଧ୍ୟ କହିଥିଲେ। କିନ୍ତୁ ସେ ବିଷ୍ଣୁ ଓ ନର୍ସଙ୍କୁ ଅଲଗା କରି ପାରି ନଥିଲେ। ପରେ ସେ ବିଷ୍ଣୁଙ୍କୁ ରାସ୍ତାରୁ ସବୁଦିନ ଲାଗି ହଟାଇ ଦେବାକୁ ଷଡ଼୍‍ଯନ୍ତ୍ର ଆରମ୍ଭ କରିଥିଲେ। ବିଷ୍ଣୁଙ୍କ ନିଶା ଛଡାଇବା ବାହାନାରେ ସେ ତାଙ୍କୁ ବାରମ୍ବାର କ୍ଲିନିକ୍‌ ଡାକୁଥିଲେ। ୧୯ତାରିଖ ସକାଳୁ ବିଷ୍ଣୁ ଡାକ୍ତରଙ୍କ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ଡା.ତ୍ରିପାଠୀ ତାଙ୍କୁ ଦ୍ୱିତୀୟ ମହଲାକୁ ନେଇ ଯାଇଥିଲେ। ସେ ସମୟରେ କ୍ଲିନିକ୍‌ରେ କେହି ନଥିଲେ। ଚିକିତ୍ସା ଆଳରେ ବିଷ୍ଣୁଙ୍କୁ ସେ ଏକ ନିଶା ଇଂଜେକ୍ସନ୍‌ ଦେଇଥିଲେ। ବିଷ୍ଣୁ ଅଚେତ ହୋଇଯିବା ପରେ ସେ ବିଷ୍ଣୁଙ୍କ ଶରୀରରୁ ସମସ୍ତ ରକ୍ତ ବାହାର କରି ସର୍ଜରୀ ବ୍ଲେଡ୍‌ ସହାୟତାରେ ୩ଖଣ୍ଡ କରି କାଟି ପଲିଥିନ୍‌ରେ ଭର୍ତ୍ତି କରିଥିଲେ। ଶବ ପୋତିବା ପାଇଁ ଡା. ତ୍ରିପାଠୀ ତାଙ୍କର ପୁରୁଣା ଡ୍ରାଇଭର୍‌ ଶାନ୍ତନୁ ପାତ୍ରଙ୍କୁ ଡକାଇଥିଲେ। ମାତ୍ର ସେ ଏଥିରେ ସହଯୋଗ କରିବେ ନାହିଁ ବୋଲି ମନା କରି ସେଠାରୁ ଚାଲି ଯାଇଥିଲେ। ଏହାପରେ ଡା.ତ୍ରିପାଠୀ ତାଙ୍କର ମାଳି ଗଙ୍ଗାର ସହାୟତା ନେଇଥିଲେ। ନିଜ ଲାଲ୍‌ ହୋଣ୍ଡାସିଟି କାର୍‌ରେ ଖଣ୍ଡବିଖଣ୍ଡିତ ଶବ ପ୍ୟାକେଟ୍‌ ଗୁଡ଼ିକୁ ନେଇ ବଡ଼ଗୁମୁଳା ସ୍ଥିତ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର