ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ନିଖୋଜ ଉପରୁ ପରଦା ହଟିଲା : ହତ୍ୟାକାରୀ ଡାକ୍ତର କ୍ଲିନିକ୍‌ରେ ତିନି ଗଡ଼ କରିଥିଲେ

ପଲିଥିନ୍‌ରେ ପୂରାଇ କୂଅରେ ପୋତିଥିଲେ, ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ

ବ୍ରହ୍ମପୁର : ଦୀର୍ଘ ୨୪ ଦିନ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ଖଲ୍ଲିକୋଟ ଥାନା ବାଣିଆ ଗ୍ରାମର ବିଷ୍ଣୁପ୍ରସାଦ ଗୌଡ଼ ନିଖୋଜ ରହସ୍ୟ ଉପରୁ ପର୍ଦ୍ଦା ହଟାଇଛି ପୁଲିସ। ଖୋଳତାଡ଼ ବେଳେ ପୁଲିସକୁ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି ତାହା ଛାତି ଥରାଇଦେବା ଭଳି। ହତ୍ୟାକାଣ୍ଡ ପଛରେ ଥିଲା ତ୍ରିକୋଣୀୟ ପ୍ରେମ ସମ୍ପର୍କ। ବିଷ୍ଣୁଙ୍କୁ ବ୍ରହ୍ମପୁରର ଜଣେ ଜଣାଶୁଣା ସର୍ଜରୀ ତଥା ପେଟରୋଗ ବିଶେଷଜ୍ଞ ଡାକ୍ତର ହୃଷିକେଶ ତ୍ରିପାଠୀ ହିଁ ତାଙ୍କ ନୂଆ ବସ୍‌ଷ୍ଟାଣ୍ଡ ରୋଡ଼ସ୍ଥିତ ଗାୟତ୍ରୀ କ୍ଲିନିକ୍‌ର ତୃତୀୟ ମହଲାରେ ହତ୍ୟା କରିଛନ୍ତି। ହତ୍ୟା ପରେ ଡାକ୍ତର ତ୍ରିପାଠୀ ଶବକୁ କାଟି ୩ ଖଣ୍ଡ କରିଥିଲେ ଏବଂ ମୁଣ୍ଡ, ଗଣ୍ଡି ଓ ଗୋଡ଼କୁ ପୃଥକ୍‌ ତିନିଟି ପଲିଥିନ୍‌ରେ ପ୍ୟାକ୍‌ କରି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ପରିତ୍ୟକ୍ତ କୂଅରୁ ତିନିଟି ପଲିଥିନ୍‌ରେ ବନ୍ଧା ହୋଇଥିବା ଗଳିତ ଶବ ପ୍ୟାକେଟ୍‌ ଉଦ୍ଧାର କରିଛି। ଏହି ଘଟଣାରେ ଡାକ୍ତର ତ୍ରିପାଠୀଙ୍କ ନିକଟରେ ମାଳି ଭାବେ କାମ କରୁଥିବା ଗଙ୍ଗା ବେହେରାକୁ ଗିରଫ କରାଯାଇଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଣିିଆ ଗ୍ରାମର ବିଷ୍ଣୁ ବ୍ରହ୍ମପୁରରେ କିଛି ବର୍ଷ ପୂର୍ବେ ଗାୟିତ୍ରୀ କ୍ଲିନିକ୍‌ରେ ଥିବା ଔଷଧ ଦୋକାନରେ କାମ କରୁଥିଲେ। ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭାରପ୍ରାପ୍ତ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ସର୍ଜରୀ ବିଭାଗ ଡା.ତ୍ରିପାଠୀ ଓ ତାଙ୍କ ପତ୍ନୀ ଏହି କ୍ଲିନିକ୍‌ ଚଳାଉଥିଲେ। କ୍ଲିନିକ୍‌ରେ କାମ କରିବା ସମୟରେ ବିଷ୍ଣୁ କ୍ଲିନିକ୍‌ର ଜଣେ ନର୍ସଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ଼ ହୋଇଥିଲା। ଡାକ୍ତରଙ୍କ ଦୁର୍ବଳତା ମଧ୍ୟ ସଂପୃକ୍ତ ନର୍ସଙ୍କ ପ୍ରତି ଥିଲା। ଏହା ଜାଣିବା ପରେ ଡା.ତ୍ରିପାଠୀ ବିଭିନ୍ନ ସମୟରେ ବିଷ୍ଣୁଙ୍କୁ ତାଗିଦ୍‌ କରିବା ସହ ହଇରାଣ କରି ଆସୁଥିଲେ। ଫଳରେ ବିଷ୍ଣୁ ବାଧ୍ୟ ହୋଇ କ୍ଲିନିକ୍‌ ଛାଡ଼ି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ଭାବେ କାମ ଆରମ୍ଭ କରିଥିଲେ। ସେ ଗତ ଅଗଷ୍ଟ ୧୮ ତାରିଖରେ ଗାଁରୁ ବ୍ରହ୍ମପୁର ଆସିବା ପରେ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ବି ଘର ଲୋକେ ବିଷ୍ଣୁଙ୍କ କୌଣସି ଖୋଜଖବର ପାଇ ନଥିଲେ। ଏ ନେଇ ତାଙ୍କ ପତ୍ନୀ ନର୍ମଦା ଗୌଡ଼ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ସହିତ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାମୀ ବିଷ୍ଣୁଙ୍କ ନିଖୋଜ ପଛରେ ସମ୍ପୃକ୍ତ ଡାକ୍ତର ଏବଂ ନର୍ସଙ୍କ ହାତ ଥିବା ନେଇ ପତ୍ନୀ ନର୍ମଦା ପ୍ରଥମରୁ ଅଭିଯୋଗ ଆଣିଥିଲେ। ପୁଲିସ ଡା.ତ୍ରିପାଠୀ ଓ ସମ୍ପୃକ୍ତ ନର୍ସଙ୍କୁ ପୂର୍ବରୁ ଜେରା ମଧ୍ୟ କରିଥିଲା। ଏପରିକି କ୍ଲିନିକ୍‌ ପରିସରରୁ ବିଷ୍ଣୁଙ୍କ ବାଇକ୍‌, ମୋବାଇଲ ଓ କଲେକ୍ସନ୍‌ ପାଇଁ ବ୍ୟବହାର କରୁଥିବା ଏକ ବ୍ୟାଗ୍‌ ଓ ଏଥିରେ ଥିବା ପ୍ରାୟ ୩୦ ହଜାର ଟଙ୍କା ପୁଲିସ ଜବତ କରିଥିଲା। ଏହା ପରଠାରୁ ଡାକ୍ତରଙ୍କ ଗତିବିଧି ଉପରେ ପୁଲିସ ବରାବର ନଜର ରଖୁଥିଲା। କିନ୍ତୁ ବିଷ୍ଣୁଙ୍କ ସ୍ଥିତି ନେଇ କୌଣସି ସୁରାକ୍‌ ମିଳୁ ନଥିଲା।

ହଠାତ୍‌ ଗତ କିଛି ଦିନ ତଳେ ଡା.ତ୍ରିପାଠୀ ଫେରାର୍‌ ହୋଇଯିବା ପରେ ତାଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ପୁଲିସ ପ୍ରଥମେ ଡାକ୍ତରଙ୍କ ମାଳି ଗଙ୍ଗାକୁ ଜେରା କରିବା ପରେ ସେ ଜଣେ ବ୍ୟକ୍ତିଙ୍କ ଶବ ବଡ଼ଗୁମୁଳାସ୍ଥିତ କ୍ଲିନିକ୍‌ର ପିଟ୍‌ (ବର୍ଜ୍ୟବସ୍ତୁ ଡମ୍ପିଂ ପଏଣ୍ଟ)ରେ ପୋତିଥିବା ସୂଚନା ଦେଇଥିଲା। ଗଙ୍ଗାର ବୟାନ ଥିଲା ଏମିତି। ୧୯ ତାରିଖ ଦିନ ବିଷ୍ଣୁଙ୍କୁ ଗାୟିତ୍ରୀ କ୍ଲିନିକ୍‌କୁ ଡକାଯାଇ ହତ୍ୟା କରାଯିବା ପରେ ଶବ ୩ ଖଣ୍ଡ କରାଯାଇ ପଲିଥିନ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଡା. ତ୍ରିପାଠୀ ଗଙ୍ଗାକୁ ଡକାଇଥିଲେ। ଅପରାହ୍ନରେ ଡା. ତ୍ରିପାଠୀଙ୍କ କାର୍‌ରେ ଉଭୟ ବିଷ୍ଣୁଙ୍କ ଖଣ୍ଡବିଖଣ୍ଡିତ ଶବ ଥିବା ୩ଟି ପଲିଥିନ୍‌ ନେଇ ବଡ଼ଗୁମୁଳାସ୍ଥିତ ଏକ କୂଅରେ ଶବ ଫିଙ୍ଗି ମାଟି ଘୋଡ଼ାଇ ପୋତି ଦେଇଥିଲେ। ଡା. ତ୍ରିପାଠୀ ଏକୁଟିଆ ବିଷ୍ଣୁଙ୍କୁ ହତ୍ୟା କରି ଶବକୁ କାଟି ଖଣ୍ଡ ଖଣ୍ଡ କରି ପ୍ୟାକ୍‌ କରିଥିଲେ ନା ଏଥିରେ ତାଙ୍କୁ ଆଉ କିଏ ସହଯୋଗ କରିଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର