ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଗୁରୁବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ଫୁଟ୍‌ ରହିଥିବା ‌ଶୁକ୍ରବାର ସନ୍ଧ୍ୟା ୬ଟାରେ ୬୧୭.୯୩ ଫୁଟ୍‌ରେ ପହଂଚିଛି। ଜଳପ୍ରବେଶ ହାର ବଢ଼ୁଥିବାରୁ ଆଜି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଖୋଲା ରହିଥିଲା। ମଧ୍ୟାହ୍ନ ୧୨ଟା ପରେ ଅଧିକ ୫ଟି ଗେଟ୍ ଖୋଲାଯାଇଥିଲା। ସେହିପରି ଅପରାହ୍‌ଣ ୫ଟାରେ ପୁଣି ୫ଟି ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସନ୍ଧ୍ୟା ୬ଟା ସମୟରେ ଜଳଭଣ୍ଡାରକୁ ୪, ୭୮,୮୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ସର୍ବମୋଟ ୨,୧୬, ୭୩୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଜଳଭଣ୍ଡାରର ୧୨ଟି ଗେଟ୍‌ଦେଇ ୧,୮୫,୭୨୪ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୧,୦୦୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି।

Advertisment

ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି। ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ଦୁଇ ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ସ୍ଥିତି ସୃଷ୍ଟି ହେବାରୁ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା କରିଦେଇଛି। ତେ‌ବେ, ଆଜି ଉପର ମୁଣ୍ଡରେ ସେଭଳି ଭଲ ବର୍ଷା ନାହିଁ। ତେଣୁ, ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାର ସମ୍ଭାବନା ଯଥେଷ୍ଟ ରହିଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ଦେଖିବା ପରେ ଆସନ୍ତାକାଲି ସକାଳେ ଆହୁରି ଅଧିକ ଗେଟ୍‌ ଖୋଲିଯବା କିମ୍ବା ବନ୍ଦ କରାଯିବା ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।