ଆଜି ଏଫ୍‌ସିଆଇ ଅଫିସ୍ ଘେରିବ ବିଜେଡି: ତୁରନ୍ତ ବଳକା ଚାଉଳ ଉଠାଇବାକୁ ଦାବି

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡ଼ିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି । କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକଠୋକ୍ ଭାବେ ମନା କରିବା। ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନାଟନରେ ପଡ଼ିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ୮ ତାରିଖରେ ବିଜେଡି ଏଫ୍‌ସିଆଇ ଅଫିସ୍ ଘେରାଉ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ କହିଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ହେଉଛି ତୃତୀୟ ବୃହତ୍ତମ ଯୋଗଦାନକାରୀ। ଓଡ଼ିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର ଦାୟିତ୍ବ, ରାଜ୍ୟର ନୁହେଁ। ଓଡ଼ିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ କିଣିଥା’ନ୍ତି। କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡ଼ିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି। କୃଷକଙ୍କ କଲ୍ୟାଣକୁ ନେଇ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏହାର ମିଥ୍ୟା ଏବଂ ଦୋମୁହାଁ କାର୍ଯ୍ୟ ବର୍ତ୍ତମାନ ଓଡ଼ିଶାର ଲୋକ ଏବଂ ବିଶେଷ କରି ଓଡ଼ିଶାର କୃଷକଙ୍କ ଆଗରେ ଧରାପଡ଼ିଯାଇଛି। ରାଜ୍ୟର ବିଜେପି ସାଂସଦମାନେ ଚାଷୀଙ୍କ ପାଖକୁ ଯାଇ ନିର୍ବାଚନ ସମୟରେ ଭୋଟ୍ ମାଗିଥା’ନ୍ତି। କିନ୍ତୁ ଯେତେବେଳେ ଚାଷୀଙ୍କ ଉପରେ ଏଭଳି ଘୋର ବିପଦ ଆସେ, ସେତେବେଳେ ସେମାନେ ଦେଖା ଦିଅନ୍ତି ନାହିଁ।

ଓଡ଼ିଶାର କୃଷକ ଏବଂ ସେମାନଙ୍କ ହକ୍ ପାଇଁ ଛିଡ଼ା ହେବା ପରିବର୍ତ୍ତେ ବିଜେପି ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ। ଓଡ଼ିଶା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ। ଓଡ଼ିଶାର ଲୋକ ଏବଂ ବିଶେଷ କରି ଓଡ଼ିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର