ମାସ୍କ ପିନ୍ଧିନଥିବାରୁ ବାଇକ୍‌ ଭାଂଗିଦେଲେ, ବରପାଲି ପୁଲିସ୍‌ର ଦବଂଗଗିରି

ବରଗଡ଼: ବରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି। ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ସ୍ଥାନ‌ରେ ପୁଲିସ୍‌ ମାସ୍କ ଯାଂଚ କରୁଛି। ପିନ୍ଧିନଥିଲେ ଫାଇନ୍‌ ଅସୁଲି କରୁଛି। ଏପରିକି ପୁଲିସ୍‌ ମାସ୍କ ବି ବାଣ୍ଟୁଛି। ହେଲେ‌ ଗୁଡ଼ାଏ ଅମାନିଆ ଏହାକୁ କରୋନା ଗାଇଡ୍‌ଲାଇନ୍‌ ପାଳନ ନକରି ପୁଲିସ୍‌କୁ ଚକମା ଦେବାକୁ ଚେଷ୍ଟା କରୁଛନ୍ତି। ଯଦ୍ବାରା କରୋନା ଦମନ ଅଭିଯାନ ଶତପ୍ରତିଶତ ଫଳପ୍ରଦ ହେଉନାହିଁ। ହେଲେ ଏଭଳି ଅମାନିଆଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୁଲିସ୍‌କୁ ନିନ୍ଦାର ବଳୟ ଭିତରକୁ ଟାଣି ଦେଇଛି।

ମଂଗଳବାର ଦିନ ସାଢ଼େ ୧୦ଟା ବେଳର ଘଟଣା। ସ୍ଥାନ ବରପାଲିର ମୁଖ୍ୟ ଗାନ୍ଧୀ ଛକ। ସେଠାରେ ଥିବା ଗଛମୂଳେ ପୁଲିସ୍‌ର ପିସିଆର୍‌ ଛିଡ଼ା ହୋଇଥାଏ। ଏଏସ୍‌ଆଇ ତାରାବତୀ କିସାନ୍‌ଙ୍କ ନେତୃତ୍ବରେ ମାସ୍କ ଯାଂଚ ଚାଲିଥିଲା। କିଛି ରିଜର୍ଭ କନଷ୍ଟେବଳ ବାଡ଼ି ଧରି ଛକର ଉଭୟ ପାର୍ଶ୍ବରେ ଛିଡ଼ା ହୋଇଥାନ୍ତି। ଗୋଟିଏ ବାଇକ୍‌ରେ ଦୁଇଜଣ ଯୁବକ ବିନା ମାସ୍କରେ ବରଗଡ଼ରୁ ବରପାଲି ସହର ଅଭିମୁଖେ ଯାଉଥିଲେ। କନଷ୍ଟେବଳମାନେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବାକୁ ବାଇକ୍‌ ଚାଳକମାନେ ଚକମା ଦେବାକୁ ଚେଷ୍ଟା କରିଥିଲେ। ଏତିକିରେ ଆରମ୍ଭ ହୋଇଥିବା କନ‌ଷ୍ଟେବଳମାନଙ୍କ ଦମନଲୀଳା। ଗୋଡ଼ାଇ ଗୋଡ଼ାଇ ବାଇକ୍‌କୁ ଲାଠିରେ ପିଟି ଆଗପଟ ଚୂରମାର କରି ଦେଇଥିଲେ।

ବାଇକ୍‌ ପଛରେ ବସିଥିବା ଯୁବକଙ୍କୁ ଆଖିବୁଜା ଲାଠିମାଡ଼ ଚାଲିଥିଲା। ମାସ୍କ ନପିନ୍ଧିବା ନିଶ୍ଚିତ ଭାବେ କରୋନା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ। ତେବେ ପ୍ରଶ୍ନ ଉଠୁଛି, ମାସ୍କ ନପିନ୍ଧିଲେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟିବାର ନିୟମ ଅଛି କି? କନଷ୍ଟେବଳମାନଙ୍କୁ ବିଚ୍‌ ରାସ୍ତାରେ ‌ଲାଠିମାଡ଼ କରିବାର କ୍ଷମତା ଦେଲା କିଏ? ଯଦି ସଂପୃକ୍ତ ଯୁବକମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତେ, ନତୁବା ଲାଠିମାଡ଼ରେ ଗୁରୁତର ହୋଇଥାନ୍ତେ, ପୁଲିସ୍‌ ଏହାର ଦୋଷ ମୁଣ୍ଡାଇଥାନ୍ତା କି? ଅନ୍ୟପକ୍ଷରେ ବାଇକ୍‌କୁ ଭାଙ୍ଗି ଚୂରମାର୍‌ କରିବା କେତେ ଯୁକ୍ତିଯୁକ୍ତ? ଏଭଳି ପ୍ରଶ୍ନ ଦାୟିତ୍ବରେ ଥିବା ମହିଳା ଏଏସ୍‌ଆଇ ଏବଂ କନଷ୍ଟେବଳଙ୍କୁ ପଚାରିବାରୁ ସେମାନେ ଦୋଷ ଝାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ତେବେ ଏହି ଘଟଣା ଉପସ୍ଥିତ ବରପାଲିବାସୀଙ୍କୁ ବ୍ୟଥିତ କରିଥିଲା। କରୋନା ମାରୁ ନମାରୁ, ପୁଲିସ୍‌ ମାରି ଦେବ ବୋଲି ଲୋକେ କୁହାକୁହି ହେଉଛନ୍ତି। ଏଭଳି ଘଟଣା ବେଳେବେଳେ ପୁଲିସ୍‌ର ଭାବମୂର୍ତ୍ତି ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ମାସ୍କ ଯାଂଚ ବେଳେ ବିଶେଷକରି କନଷ୍ଟେବଳଙ୍କ ଔଦ୍ଧତ୍ୟ ବଢ଼ି ଯାଉଛି। ଜନତାଙ୍କ ପ୍ରତି ସେମାନଙ୍କ ଆଚରଣ ଏବଂ ଉଚ୍ଚାରଣ‌ ଅତି ଖରାପ ରହୁଛି। ଯଦ୍ବାରା ପୁଲିସ୍‌ ଜନତାଙ୍କ ଆସ୍ଥାଭାଜନ ହେଉନାହିଁ। ବରପାଲିର ଘଟଣାକୁ ନେଇ ପୁଲିସ୍‌ର ଆଭିମୁଖ୍ୟ ଆଗକୁ କ’ଣ ରହିବ, ତାହା ଉପରେ ନଜର ରହିଛି।

ସମ୍ବନ୍ଧିତ ଖବର