ପୁରୀ: ସାଧାରଣତଃ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀମାନେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରମ୍ପରା ଭାଙ୍ଗିଛନ୍ତି। ରଥଯାତ୍ରା ପୂର୍ବଦିନ ପୁରୀ ଯାଇ ବଡ଼ ଦାଣ୍ଡରେ ସଫେଇ କରିଛନ୍ତି। ଜଣେ ସାଧାରଣ ସେବକ ଭଳି ହାତରେ ଝାଡ଼ୁ ଧରି ବଡ଼ ଦାଣ୍ଡ ସଫା କରିଛନ୍ତି। ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଝାଡ଼ୁ ମାରି ସମସ୍ତଙ୍କୁ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି। ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥ ଗଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହିତ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ସମ୍ବିତ ପାତ୍ର, ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବଡ଼ଦାଣ୍ଡରେ ଝାଡ଼ୁ ମାରୁଥିବା ଦେଖି ଶହଶହ ଶ୍ରଦ୍ଧାଳୁ ଓ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।