ବେଗୁନିଆ: ଏକାଦଶ ରୁଦ୍ର ବାବା ହାଟକେଶ୍ୱରଙ୍କ ପରିସରରେ ଗଛମୂଳରେ ପଥର ରଖି ପୂଜା କରିବାର ଜାଣି ମନ୍ଦିର କରିବାକୁ ନିଷ୍ପତ୍ତି ନେଇଥିଲେ ଗଜପତି ଜିଲ୍ଲାର ରଘୁ ରାଉତ। ରଘୁ ରାଉତ ପିଲାଟି ବେଳରୁ ଦୃଷ୍ଟିହୀନ। ବାପାମା’ଙ୍କୁ ଦେଖିନାହାନ୍ତି କି ବାପାମା’ ବୋଲି କିଏ ଜାଣିନାହାନ୍ତି। ହେତୁ ପାଇବା ଦିନଠୁ ରାସ୍ତାକଡ଼ରେ ବଢ଼ିଛନ୍ତି ଓ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି। ପିଲାଟି ବେଳରୁ ଭିକ୍ଷାବୃତ୍ତିକୁ ଆପଣେଇ ଥିବା ରଘୁ ନିଜର ସଂଚିତ ଅର୍ଥରେ ଏତେ ବଡ଼ କାମ କରିବେ କେହି କେବେ ଭାବି ନଥିଲେ।

Advertisment

ନିଜ ପେଟକୁ ନ ଖାଇ ଶନି ଠାକୁରଙ୍କ ମନ୍ଦିର ତିଆରି କରିବାର ଆଶାକୁ ଆଜି ସେ ପୂରଣ କରିପାରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଘମାରୀର ପ୍ରସିଦ୍ଧ ଏକାଦଶ ରୁଦ୍ରଙ୍କ ପୀଠରେ ଏହି ଶନିମନ୍ଦିର ସେ ନିର୍ମାଣ କରାଇଛନ୍ତି। ଦୁଇଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା। ମନ୍ଦିରରେ ଶନି, ରାହୁ, କେତୁ ତିନିଗ୍ରହଙ୍କୁ ପ୍ରତିଷ୍ଠା କରି ସେ ଆତ୍ମସନ୍ତୋଷ ଲାଭ କରିଛନ୍ତି। ଗଛମୂଳରେ ମହିଳାମାନେ ପୂଜା କରୁଥିବାର ଜାଣି ସନ୍ତୋଷ ମନ୍ଦିର ନିର୍ମାଣ ଲାଗି ନିଜର ସମସ୍ତ ସଂଚିତ ଅର୍ଥ ପାଖାପାଖି ୩ ଲକ୍ଷ ଟଙ୍କା ମନ୍ଦିର ବୋର୍ଡକୁ ଦାନ କରିଥିବା ମନ୍ଦିରର ପୂଜାପଣ୍ଡା ସେବକ ଦିଲୀପ କୁମାର ପଣ୍ଡା, ଟ୍ରଷ୍ଟ ବୋର୍ଡ ସଦସ୍ୟ ରଞ୍ଜନ କୁମାର ମହାପାତ୍ର କହିଛନ୍ତି।