ପୂର୍ବତନ ଥାନା ଅଧିକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ପୂର୍ବତନ ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ମାମଲାରେ ଅଭିଯୁକ୍ତଙ୍କ ନାମରେ ଲାଗିଥିବା ଦଫାକୁ କାଟି ଦେବା ପାଇଁ  ଲାଞ୍ଚ ନେଇଥିଲେ। ଏହି ମାମଲାର ବିଚାର କରି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ବିଚାରପତି ବିକ୍ରମ ପଟ୍ଟନାୟକ ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ଏହି ମାମଲାରେ ପୂର୍ବତନ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ  ଲକ୍ଷ୍ମଣ ସେଠୀ ଏବଂ ବ୍ୟକ୍ତିଗତ ଗାଡ଼ି ଚାଳକ ପ୍ରକାଶ ମହାଳିକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ  ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ୩ ମାସ ଅଧିକ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ନିହଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ନାମରେ ତାଙ୍କ ବୋହୂ ଯୌତୁକଜନିତ ନିର୍ଯାତନା ଅଭିଯୋଗ ସ୍ଥାନୀୟ ଥାନାରେ କରିଥିଲେ। ସେତେବେଳେ ଶ୍ରୀ ସେଠୀଙ୍କ ବିରୋଧରେ ୩୦୭ ଦଫା ଲାଗିଥିଲା। ଏହି ୩୦୭ ଦଫାକୁ କାଟି ଦେବା ଲାଗି ତତ୍କାଳୀନ ନିହଲପ୍ରସାନ ଥାନା ଅଧିକାରୀ ଶ୍ରୀ ବେହେରା ତାଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ସେଠୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଥାନା ଅଧିକାରୀ ଶ୍ରୀ ବେହେରା ନିଜ ବ୍ୟକ୍ତିଗତ ସହାୟକ ଶ୍ରୀ ସେଠୀ ଏବଂ ଗାଡ଼ି ଚାଳକ ଶ୍ରୀ ମହାଳିକଙ୍କ ମାଧ୍ୟମରେ  ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍‌ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ବିକ୍ରମ ପଟ୍ଟନାୟକ ୫ ଜଣ ସରକାରୀ ସାକ୍ଷୀ, ମୁଦାଲାଙ୍କ ପକ୍ଷରୁ ଜଣଙ୍କର ସାକ୍ଷ୍ୟ ପ୍ରମାଣ ଏବଂ କାଗଜପତ୍ର ଆଧାରରେ ବିଚାର କରି ଅଭିଯୁକ୍ତ ଥାନା ଅଧିକାରୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଉପରୋକ୍ତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର୍ ଢେଙ୍କାନାଳର ହେମନ୍ତ ଖଟୁଆ ଓ ସ୍ପେସାଲ୍‌ ପବ୍ଲିକ ପ୍ରସିକ୍ୟୁଟର୍‌ (କ୍ୟାଡର୍‌) ଅନୁଗୁଳର ଗଦାଧର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର