ବ୍ରଜରାଜନଗର: ପ୍ରଥମ ପତ୍ନୀ ଥାଇ ଦ୍ବିତୀୟ ବିବାହ କରୁଥିବା ଅଭିଯୋଗରେ ବ୍ରଜରାଜନଗର ପୁଲିସ ଓପିଏମ୍ କଲୋନି ଏସ୍ଜିଏସ୍ କ୍ୱାର୍ଟର ନମ୍ବର୍-୧ରେ ରହୁଥିବା ଦୀପକ ତାଣ୍ଡି (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଦୀପକ ୨୦୧୪ ମସିହାରେ ଅନୁପମାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ୭ ବର୍ଷର ଏକ ଝିଅ ବି ଅଛି। ତେବେ ଦୀପକଙ୍କ ସ୍ତ୍ରୀ ଅନୁପମାଙ୍କ କହିବା ଅନୁସାରେ, ଗତ ୩୦ ତାରିଖରେ ଜଣେ ଯୁବତୀ ତାଙ୍କ ଘରକୁ ଯାଇ ଦୀପକଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ। ୪ ବର୍ଷ ହେବ ସେମାନଙ୍କ ପ୍ରେମ ସମ୍ପର୍କ ଥିବା କହିଥିଲେ। ପରେ ବୁଝାମଣା ହୋଇଥିଲା। ବିବାହ ନ ହେଲେ ୧୨ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ହୋଇଥିଲା। କିନ୍ତୁ ସମ୍ପୃକ୍ତ ଯୁବତୀ ପୁଣି ୬ ତାରିଖରେ ଯାଇ ଧମକଚମକ ଦେଇଥିଲେ। ୭ ତାରିଖରେ ଅନୁପମା ଏ ନେଇ ଥାନାରେ ଅଭିଯୋଗ କରିଥିଲେ।
୧୨ ତାରିଖରେ ଦୀପକ ରାମଚଣ୍ଡୀ ମନ୍ଦିରରେ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇ ଅନୁପମା ସ୍ଥାନୀୟ କାଉନସିଲର ରୁନୁ ସାହୁଙ୍କୁ ଜଣାଇଥିଲେ। ପରେ ସେମାନେ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଜଣାଇବା ସହିତ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚି ବିବାହ ପୂର୍ବରୁ ମଣ୍ଡପରେ ପହଞ୍ଚି ଦୀପକଙ୍କୁ ମଣ୍ଡପରୁ ଥାନାକୁ ଉଠାଇ ନେଇଥିଲା। ଏନେଇ ବିଭିନ୍ନ ମହିଳା ସଙ୍ଗଠନ ଥାନାରେ ପହଞ୍ଚି ଏଭଳି ଘଟଣାକୁ ନିନ୍ଦା କରି ଉଚିତ୍ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ଦୀପକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest1.jpg)