ଜଣେ ଅନନ୍ୟ ଆଧ୍ୟାତ୍ମିକ ପୁରୁଷ ଗୌରଗୋବିନ୍ଦ ସ୍ବାମୀ

ଶ୍ରୀପାଦ ରାଧାକାନ୍ତ ଦାସ

ଆନ୍ତର୍ଜାତିକ କୃଷ୍ଣଭାବନା ସଂଘର ଓଡ଼ିଆ ଗୁରୁ, ବୈଷ୍ଣବ ଆଚାର୍ଯ୍ୟ, ପରିବ୍ରାଜକ, ପ୍ରଚାରକ ଶ୍ରୀଲ ଶ୍ରୀମଦ୍ ଗୌରଗୋବିନ୍ଦ ସ୍ବାମୀ ମହାରାଜ ୧୯୨୯ ମସିହା ସେପ୍ଟେମ୍ବର ୨ ତାରିଖରେ ଜଗତସିଂହପୁର ଜିଲ୍ଲାର ଜଗନ୍ନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାତାଙ୍କ ନାମ ପାଟ୍ଟମହାଦେଈ ଓ ପିତାଙ୍କ ନାମ ଈଶ୍ବରଚନ୍ଦ୍ର ମାଣିକ। ତାଙ୍କର ପିଲାଦିନର ନାମ ଥିଲା ବ୍ରଜବନ୍ଧୁ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଦିନରୁ ତାଙ୍କ ପ୍ରତିଭା ପ୍ରକାଶ ପାଇଥିଲା। ଆଠ ବର୍ଷ ବେଳକୁ ସେ ଭାଗବତ, ଗୀତା ଓ ଚୈତନ୍ୟ ଚରିତାମୃତ ପୂର୍ଣ୍ଣ ପ୍ରାଣରେ ପଠନ କରିବା ସହିତ ଓ ଧର୍ମଗ୍ରନ୍ଥର ବାଖ୍ୟା କରିପାରୁଥିଲେ। ବ୍ରଜବନ୍ଧୁ ୧୯୫୮ ମସିହାରେ କଳାରେ ଓ ୧୯୬୧ ମସିହାରେ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ। ତାଙ୍କ ଉପରେ ପରିବାରର ବୋଝ ନ୍ୟସ୍ତ ହେବାରୁ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ। ପିତାମାତାଙ୍କ ଇଚ୍ଛାକୁ ସାକାର କରିବାକୁ ଯାଇ ୧୯୫୩ ମସିହାରେ ବାସନ୍ତୀ ଦେବୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାଂସାରିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରେ ୨୨ ବର୍ଷର ଶିକ୍ଷକତା ଓ ସାଂସାରିକ ଜୀବନକୁ ଜଳାଞ୍ଜଳି ଦେଇ ସେ ସନ୍ନ୍ୟାସୀ ଜୀବନ ବିତାଇବାର ନିଷ୍ପତ୍ତି ନେଇଥିଲେ। ୧୯୭୪ରେ ଗୃହ ତ୍ୟାଗ କରି ନିଜକୁ ଗୌରଗୋପାଳ ନାମରେ ନାମିତ କଲେ। ଭାରତବର୍ଷର ନଗରରୁ ନଗର ପରିଭ୍ରମଣ କରି ସର୍ବଶେଷରେ ବୃନ୍ଦାବନ ପହଞ୍ଚିଥିଲେ। ବୃନ୍ଦାବନରେ ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଏ. ସି. ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦଙ୍କୁ ଗୁରୁ ରୂପେ ଗ୍ରହଣ କରି ସେ ହରିନାମ ଦୀକ୍ଷା ନେଇଥିଲେ।

ସ୍ବାମୀ ଭକ୍ତିବେଦାନ୍ତଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଆସି ଇସ୍କନ ମନ୍ଦିର ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କ୍ରମେ ତାଙ୍କ ନାମ ପରିବର୍ତ୍ତିତ ହୋଇ ଗୌରଗୋବିନ୍ଦ ସ୍ବାମୀ ହୋଇଥିଲା। ତାଙ୍କର ଅକ୍ଳାନ୍ତ ଉଦ୍ୟମ ଯୋଗୁ ୧୯୭୭ରେ ନୟାପଲ୍ଲୀଠାରେ କୃଷ୍ଣ ବଳରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ୧୯୯୧ରେ ପ୍ରତିଷ୍ଠିତ ହୋଇଥିଲା। ଗୁରୁ ମହାରାଜ ସାରା ପୃଥିବୀ ପରିଭ୍ରମଣ କରି କୃଷ୍ଣବାଣୀ ପ୍ରଚାର କରୁଥିଲେ। ୧୯୯୪ ମସିହାରେ ଇସ୍କନ ପରିସରରେ ପଦ୍ମ ମନ୍ଦିର (ଲୋଟସ୍ ଟେମ୍ପୁଲ୍) ନିର୍ମାଣ କରି ‘ରାଧା ଗୋପୀନାଥ’ଙ୍କୁ ଅବସ୍ଥାପିତ କରିଥିଲେ। ୧୯୯୬ ଫେବ୍ରୁଆର ୯ ତାରିଖରେ ପାଶ୍ଚାତ୍ୟ ଭକ୍ତମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଅବସ୍ଥାରେ ତାଙ୍କର ମହାପ୍ରୟାଣ ଘଟିଥିଲା। ଆଜି ଗୌରଗୋବିନ୍ଦ ସ୍ବାମୀ ମହାରାଜଙ୍କ ୨୫ତମ ଶୁଭ ତିରୋଧାନ ତିଥି। ଭୁବନେଶ୍ବରର ଇସ୍କନ ପରିସରରେ ପ୍ରତି ବର୍ଷ ଆନ୍ତର୍ଜାତିକ ସ୍ତରରେ ମହାଆଡ଼ମ୍ବରରେ ଗୁରୁ ମହାରାଜାଙ୍କର ତିରୋଧାନ ଉତ୍ସବ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର