ରାଉରକେଲା(ମଳୟ ରଂଜନ ସାହୁ): ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଉପାନ୍ତ ଗାଁ ଗୁରୁଣ୍ଡିଆ ବ୍ଲକର ପଙ୍କଡ଼ିହି ପଞ୍ଚାୟତ। ବାଲିଶଙ୍କରା ବ୍ଲକର ସଉନାମୁରା ଓ ଲୁଲକିଡିହି ପରି ଏଇ ପଙ୍କଡ଼ିହି ଆଉ ଏକ ‘ହକିଗାଁ’ ହେବାକୁ ଯାଉଛି। ଏଇ ଛୋଟିଆ ଗାଁରୁ ସୃଷ୍ଟି ହେଉଛନ୍ତି ଜାତୀୟ ହକି ଖେଳାଳି। ଜାତୀୟ କନିଷ୍ଠ ଦଳରେ ସ୍ଥାନପାଇ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଥିବା ଏହି ଖେଳାଳିମାନଙ୍କ ମଧ୍ୟରୁ କିଛି ବରିଷ୍ଠ ଦଳ ପାଇଁ ଯୋଗ୍ୟ ବିବେଚିତ ହେବେ, ସେଥିରେ ସନ୍ଦେହ ନାହିଁ। ପଙ୍କିଡିହି ଭଳି ମଫସଲ ଗାଁର ପିଲାଙ୍କୁ ବିଶ୍ବର ସ୍ବପ୍ନ ଦେଖିବାଲାଗି ପ୍ରେରଣା ଓ ପ୍ରଶିକ୍ଷଣ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ତିର୍ଲାକୋଚା ଗାଁର ଜାତୀୟ ହକି ଖେଳାଳି ସିକେନ୍ଦ୍ର କେର୍କେଟା। ସେ ଏବେ ପାଲଟି ଯାଇଛନ୍ତି ପଙ୍କିଡିହିର ହକି ପ୍ରତିଭାଙ୍କ କୋଚ୍। ସିକେନ୍ଦ୍ର ବିଏସ୍ଏଫ୍ରେ ଚାକିରି କରୁଥିଲେ।
ହେଲେ ହକି ନିଶା ତାଙ୍କୁ ବେଶି ଦିନ ଚାକିରିରେ ବାନ୍ଧି ରଖି ପାରି ନଥିଲା। ଚାକିରି ଛାଡି ଫେରି ଆସିଥିଲେ ଗାଁକୁ। ବନିଯାଇଥିଲେ ସ୍ଥାନୀୟ ସ୍କୁଲ କଲେଜ ଛାତ୍ରଙ୍କ ହକି କୋଚ୍। ଗତ ପ୍ରାୟ ୪ ବର୍ଷ ମଧ୍ୟରେ ସେ ପ୍ରାୟ ୪୦୦ ପିଲାଙ୍କୁ ହକି ତାଲିମ ଦେଇସାରିଲେଣି। ତାଙ୍କ ଠାରୁ ତାଲିମ ନେଇଥିବା ଅନେକ ଛାତ୍ରଛାତ୍ରୀ ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲ ପାଇଁ ଯୋଗ୍ୟ ବିବେଚିତ ହୋଇ ସେଠାରେ ପ୍ରଶିକ୍ଷଣ ନେଉଛନ୍ତି। କେବଳ ଏତିକି ନୁହେଁ, ଜାତୀୟ କନିଷ୍ଠ ଦଳରେ ମଧ୍ୟ ସ୍ଥାନ ପାଇଲେଣି। ନିକଟରେ ଯେଉଁ ୧୪ ବର୍ଷରୁ କମ୍ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାଲାଗି ମାଲେସିଆ ଯାଇଥିଲା, ସେଥିରେ ମଧ୍ୟ ତାଙ୍କର ଜଣେ ଛାତ୍ରୀ ସାବିତ୍ରୀ ଏକ୍କା ଥିଲେ। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁ ନଥିଲେ ହେଁ, ସେ କେବେ ନିରୁତ୍ସାହିତ ହୋଇନାହାନ୍ତି। ପ୍ରତିଦିନ ସକାଳ ୬ଟାରୁ ୮.୩୦ ଓ ଅପରାହ୍ନ ୩.୩୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ୪୦ରୁ ୫୦ ପିଲାଙ୍କୁ ସେ ମାଗଣାରେ ହକି ତାଲିମ ଦେଉଛନ୍ତି। ଆଗାମୀ ଦିନରେ ପଙ୍କିଡିହିକୁ ସେ ଜିଲ୍ଲାର ଅନ୍ୟତମ ହକି ହବ୍ କରିବାକୁ ସେ ସଂକଳ୍ପ ନେଇଛନ୍ତି । ଏଥିପାଇଁ ଗୁରୁଣ୍ଡିଆ ବ୍ଲକରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି। ପ୍ରତ୍ୟେକ ଦିନ ୪୦ରୁ ୫୦ ପିଲାଙ୍କୁ ତାଲିମ ଦେଉଛନ୍ତି।
ସିକେନ୍ଦ୍ର ପଞ୍ଜାବର ଜଳନ୍ଧରରେ ଆୟୋଜିତ ରାଜୀବ ଗାନ୍ଧୀ ଖେଳ ଅଭିଯାନ ଅନ୍ତର୍ଗତ ଜାତୀୟ ସ୍କୁଲ ହକି ଟୁର୍ଣାମେଣ୍ଟରେ ନିଜର ପାରଦର୍ଶିତା ଦେଖାଇଥିଲେ। ତା’ପରେ ଭାରତୀୟ ଜାତୀୟ ଦଳରେ ସାମିଲ ହେବାକୁ ଅନେକବାର ପ୍ରୟାସ କରିଥିଲେ ହେଁ ସଫଳ ହୋଇପାରି ନଥିଲେ। ତାହା ତାଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା ବୋଲି ସେ ସ୍ବୀକାର କରନ୍ତି। ସେହିଦିନଠୁ ସେ ନିଜେ କୋଚ୍ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳି ଗଢ଼ିବାକୁ ସଂକଳ୍ପ ନେଇଥିଲେ। ସିକେନ୍ଦ୍ର ୬ଷ୍ଠ ଶ୍ରେଣୀ ପାଠ ପଢ଼ୁଥିବାବେଳେ ହକି ପ୍ରତି ଆଗ୍ରହ ବଢ଼ିଥିଲା। ହକି ଷ୍ଟିକ୍ କିଣିବାକୁ ଘରେ ପଇସା ନଥିବାରୁ ବାଉଁଶ ଓ କାଠରେ ହକି ଷ୍ଟିକ୍ ତିଆରି କରି ସ୍କୁଲ ପଡିଆରେ ଅଭ୍ୟାସ କରୁଥିଲେ। ବର୍ଷକ ପରେ, ଅର୍ଥାତ୍ ୭ମ ଶ୍ରେଣୀରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ସ୍କୁଲରେ ହକି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା।
ସମୟକ୍ରମେ ସେ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ। ହକି ପାଇଁ ତାଙ୍କୁ ବିଏସ୍ଏଫ୍ରେ ଚାକିରି ମିଳିଥିଲା। ଯେଉଁଠି ବିଏସ୍ଏଫ୍ କ୍ୟାମ୍ପ ପଡୁଥିଲା, ସେଠି ମଧ୍ୟ ସେ ହକି ଷ୍ଟିକ୍ ଧରି ପଡିଆକୁ ବାହାରି ଯାଉଥିଲେ, ଅନ୍ୟ ସହଯୋଗୀଙ୍କୁ ହକି ଖେଳିବାକୁ ପ୍ରୋତ୍ସାହିତ କରୁଥିଲେ। ତେବେ ୨୦୧୭ରେ ସେ ଚାକିରିରୁ ଇସ୍ତଫା ଦେଇ ଫେରି ଆସିଥିଲେ ଜନ୍ମମାଟିକୁ। ପୂର୍ବପରି ହକି ଷ୍ଟିକ୍ ଧରି ବାହାରିଥିଲେ ଖେଳ ପଡିଆକୁ। ୨୦୧୭ ଠାରୁ ଆଜି ପର୍ଯ୍ୟନ୍ତ ନିଜ ଅଞ୍ଚଳର ପିଲାଙ୍କୁ ହକିମୁହାଁ କରିବାକୁ ଗାଁ ଗାଁ ବୁଲି ପିଲାମାନଙ୍କୁ ବୁଝାଉଛନ୍ତି। ଏଥିସହ ପିଲାମାନଙ୍କୁ ଗାଁ ପଡିଆକୁ ଡାକି ହକି ଷ୍ଟିକ୍ ଧରାଉଛନ୍ତି, ଘଣ୍ଟା ଘଣ୍ଟା ତାଲିମ ଦେଉଛନ୍ତି। ସିକେନ୍ଦ୍ର କହନ୍ତି, ‘‘ଭାରତୀୟ ଦଳର ସ୍ଥାନ ପାଇବାକୁ କଠିନ ପରିଶ୍ରମ କରିଥିଲି। କିନ୍ତୁ ସ୍ଥାନ ପାଇ ପାରି ନଥିଲି। ହେଲେ ଆଜି କେବଳ ପଙ୍କିଡିହି ନୁହେଁ, ଜିଲ୍ଲାର ଜଣେ ସୁପରିଚିତ କୋଚ୍ ଭାବେ ପରିଚିତ ହୋଇପାରିଥିବାରୁ ମୁଁ ବହୁତ ଖୁସି।’’