ମୁଖିଆଙ୍କ ମୁହଁରେ ମିଛ କୁହାଇଲେ: ବେଙ୍ଗାଲୁରୁ ନୁହେଁ, ଭୁବନେଶ୍ବରରୁ ଗିରଫ ହୋଇଥିଲେ ଏଟିଏମ୍ ଲୁଟେରା

କୁଆଡ଼େ ଗଲା ଲୁଟ୍ ଟଙ୍କା? ପତ୍ତା ପାଉନି ପୁଲିସ, ଫେରାର ୫ ସହଯୋଗୀଙ୍କ ସୁରାକ୍ ମିଳୁନି

ଭୁବନେଶ୍ବର: ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରସ୍ଥିତ ବହୁଚର୍ଚ୍ଚିତ ଏଟିଏମ୍ ତାଡ଼ି ନେଇ ଲୁଟ୍ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଭଳି ଘଟଣା ରାଜ୍ୟ ପାଇଁ ପ୍ରଥମ ହୋଇଥିବା ବେଳେ କମିସନରେଟ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଥିଲା। ଗତ ୧୬ ତାରିଖରେ ମାମଲାର ପର୍ଦ୍ଦାଫାସ୍ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ନିଜେ ସୂଚନା ଦେଇଥିଲେ, ବାଂଲାଦେଶୀ ଲୁଟେରା ବେଙ୍ଗାଲୁରୁରେ ଥିବା ଖବର ପାଇ ସ୍ବତନ୍ତ୍ର ଟିମ୍‌ର ନେତୃତ୍ବ ନେଉଥିବା ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ, ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁ ଓ ଧଉଳି ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ ସେଠାରେ ପହଞ୍ଚିଥିଲେ। ଚାଲି ଚାଲି ବିଭିନ୍ନ ସ୍ଥାନ ବୁଲିବା ସହ ପ୍ରାୟ ୩୦ଟି ହୋଟେଲ ଯାଞ୍ଚ କରିଥିଲେ। ୧୫ ତାରିଖରେ ଗିରଫ ଦୁଇ ଅଭିଯୁକ୍ତ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ବେଙ୍ଗାଲୁରୁ ପୁଲିସ ସହାୟତାରେ କମିସନରେଟ ପୁଲିସ ଟିମ୍ ସେଠାରୁ ତାଙ୍କୁ ଗିରଫ କରିଥିଲା। ଏହି ଅପରେସନ୍ ‘ମିସନ୍ ଇମ୍ପସିବଲ୍’ ଥିଲା। ପୁଲିସକୁ ସଫଳତା ମିଳିଥିଲା।

ଏହି ଘଟଣାରେ ତଦନ୍ତକାରୀ ଟିମ୍ ଟଙ୍କାଟିଏ ଜବତ କରି ନ ପାରିବା, ଟଙ୍କା କେଉଁଠିକି ଯାଇଛି ତାହାର ସନ୍ଧାନ ପାଇ ନ ପାରିବା ଭଳି ଅନେକ ତଥ୍ୟ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। କିନ୍ତୁ ‘ସମ୍ବାଦ’ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ଦୁଇ ଅଭିଯୁକ୍ତ ଖୋକନ ମୋଲ୍ଲା ଓ ମିଜାମୁର ରେହମାନ୍ ମୋଲ୍ଲାକୁ ବେଙ୍ଗାଲୁରୁ ନୁହେଁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଗିରଫ କରା ଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ କୋର୍ଟଚାଲାଣ(ଫରଓ୍ଵାର୍ଡିଂ) ରିପୋର୍ଟରେ ଦର୍ଶାଇଛନ୍ତି। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଅଭିଯୁକ୍ତମାନେ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ସେଠାରେ ତଦନ୍ତକାରୀ ଟିମ୍ ପହଞ୍ଚି ଛାନଭିନ୍ କରିବା ପରେ ଅଭିଯୁକ୍ତଙ୍କୁ ପାଇ ନ ଥିଲା।

କଲ୍ ଡିଟେଲ୍ସ ରିପୋର୍ଟ(ସିଡିଆର୍) ଯାଞ୍ଚ ପରେ ଅଭିଯୁକ୍ତମାନେ ଭୁବନେଶ୍ବର ଚାଲି ଆସିଥିବା ପୁଲିସ ସୂଚନା ପାଇଥିଲା। ଭୁବନେଶ୍ବର ରେଳ ଷ୍ଟେସନରୁ ସେମାନେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗିରଫ କରାଯାଇଥିଲା। ଗିରଫ ସମୟରେ ଦୁଇ ଅଭିଯୁକ୍ତଙ୍କ ଠାରୁ ଜାଲ୍ ଆଧାର କାର୍ଡ, ମୋବାଇଲ ଫୋନ୍, ପରିଚୟପତ୍ର, ହୋଟେଲ ବିଲ୍ ଜବତ କରା ଯାଇଥିଲା। କିନ୍ତୁ ଉଭୟଙ୍କ ଠାରୁ ଟଙ୍କାଟିଏ ମିଳି ନ ଥିଲା କି ଲୁଟ୍ ଟଙ୍କାର ସନ୍ଧାନ ପାଇପାରି ନ ଥିଲା ତଦନ୍ତକାରୀ ଟିମ୍।

କୁଆଡ଼େ ଗଲା ଲୁଟ୍ ଟଙ୍କା? ପତ୍ତା ପାଉନି ପୁଲିସ
ଫେରାର ୫ ସହଯୋଗୀଙ୍କ ସୁରାକ୍ ମିଳୁନି
ଏଟିଏମ୍ ତାଡ଼ି ନେଇ ଲୁଟ୍ ଘଟଣା

ଏଠାରେ ପ୍ରଶ୍ନ ଉଠୁଛି ଦୁଇ ଅଭିଯୁକ୍ତ ଭୁବନେଶ୍ବରରୁ ଗିରଫ ହୋଇଥିଲେ ମଧ୍ୟ କାହିଁକି ପୁଲିସ କମିସନରଙ୍କ ମୁହଁରେ ମିଛ କୁହାଗଲା? ବାହାଦୁରି ନେବାକୁ ଏପରି ପ୍ରାୟୋଜିତ ନାଟକ ରଚା ଯାଇଥିଲା କି ବୋଲି ସନ୍ଦେହ କରାଯାଉଛି। ସେହିପରି ଗିରଫ ଅଭିଯୁକ୍ତମାନେ ଏଟିଏମ୍ ତାଡ଼ି ଲୁଟ୍ କରିବା ପରେ ବେଙ୍ଗାଲୁରୁ ଗଲେ କେମିତି? ବସ୍, ଟ୍ରେନ୍ ନା ଅନ୍ୟ କୌଣସି ଗାଡ଼ିରେ ଯାଇଥିଲେ? ସେଠାରୁ ଭୁବନେଶ୍ବର କେମିତି ଫେରିଥିଲେ? କେଉଁଠି ଲୁଚିଥିଲେ? ପାଖରେ ଟଙ୍କାଟିଏ ନ ଥିବା ବେଳେ କେମିତି ରେଳ ଷ୍ଟେସନରୁ ଫେରାର ହୋଇଥାନ୍ତେ? କାରଣ ଟିକଟ ନ କାଟିଥିଲେ ଧରାପଡ଼ିବାର ସମ୍ଭାବନା ଅଧିକ କିମ୍ବା ଟଙ୍କା ନ ଥିବାରୁ ଜରିମାନା ଦେବାକୁ ପଡ଼ିଲେ କେଉଁଠି ଅର୍ଥ ଯୋଗାଡ଼ କରିଥାନ୍ତେ? ଲୁଟ୍ ଟଙ୍କା କୁଆଡ଼େ ଯାଇଛି? କେଉଁ ଏଜେନ୍ସି ଜରିଆରେ ଲୁଟ୍ ଅର୍ଥ କାରବାର କରାଯାଇଛି? କେଉଁଠି ନଗଦ କରାବାର କରାଯାଇଛି? ଭୁବନେଶ୍ବରରେ ନା କୋଲକାତାରେ ନା ଅନ୍ୟ କେଉଁ ସ୍ଥାନରେ? ଫେରାର ୫ ସହଯୋଗୀ ଏବେ କେଉଁଠି? ତାହାର ସନ୍ଧାନ ପାଇପାରି ନାହିଁ କମିସନରେଟ୍ ପୁଲିସ। କିମ୍ବା ଏ ସବୁର ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇପାରି ନାହିଁ।

ସୂଚନାଯୋଗ୍ୟ, ଗତ ୪ ତାରିଖ ରାତିରେ ଲିଙ୍ଗିପୁର ହାଉସିଂବୋର୍ଡ ଅଞ୍ଚଳରୁ ଏଟିଏମ୍ ତାଡ଼ି ଲୁଟ୍ ହୋଇଥିଲା। ମେସିନରେ ଥିବା ୨୦ ଲକ୍ଷ ୩୩ ହଜାର ୭ଶହ ଟଙ୍କା ଲୁଟ୍ ନେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ୭ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ନୁର୍ ଇସଲାମ୍ ବୋଲି ଜଣାପଡ଼ିଛି। ସେ ଫେରାର ଥିବା ବେଳେ ଲୁଟ୍ ଟଙ୍କା ବିଷୟରେ ଜାଣିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ମାମଲାର ଅନ୍ୟ ଅଭିଯୁକ୍ତ ସୁମନ୍ ଓରଫ୍ ମାମୁନ ଖାନ୍, ରଫିକ୍ ଗୁଲୁ, ବସ୍କର, ରାଜୁ ଫେରାର ଅଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦ ଅକ୍ଟୋବରରେ ଦିଲ୍ଲୀ ପୁଲିସ ସମାନ ଧରଣର ଗ୍ୟାଙ୍ଗକୁ ଗିରଫ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୩ ଲକ୍ଷ ୩୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରିଥିଲା।

ସମ୍ବନ୍ଧିତ ଖବର