ଶୁକ୍ଳ ବସ୍ତ୍ର ପରିଧାନ କଲେ ମହାପ୍ରଭୁ, ଲାଗି ହେଲା ଧଳାଫୁଲ

ପୁରୀ : ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଆଜି ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ତାହା ମଧ୍ୟ ଖଣ୍ଡିଏ ବସ୍ତ୍ର। ନା ଅଣ୍ଟାରେ ଅଛି ନା କାନ୍ଧରେ। ଗୋଟିଏ ମାତ୍ର ବସ୍ତ୍ର ପରିଧାନ କରି ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଏହି ଶୁକ୍ଳ(ଧଳା) ବସ୍ତ୍ର ଲାଗି କରାଇଛନ୍ତି। ଶୁକ୍ଲ ବସ୍ତ୍ର ସହ ଆଜିଠାରୁ ମହାପ୍ରଭୁଙ୍କୁ ଫୁଲ ବି ଧଳା ରଙ୍ଗର ଲାଗି ହୋଇଛି। ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ବି ଆଜି ଲାଗି ହୋଇନାହିଁ। ଟଗର ସହ ଅନ୍ୟାନ୍ୟ ଧଳା ଫୁଲକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି।

ଅନ୍ୟ କୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ଆଜି ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଥିଲା। ଶ୍ରୀଜିଉଙ୍କୁ ଭୋଗ ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥିଲେ। ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ଏଣୁ ଅଣସର ପିଣ୍ଡିରେ ଥିବା ଶ୍ରୀଜିଉଙ୍କୁ ଏହି ଭୋଗ ଲାଗି ହେବା ପରେ ଦଇତାପତିମାନେ ଏହାକୁ ସେବନ କରିଥିଲେ। ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ। ଶ୍ରୀଜିଉ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି। ଜଗନମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ କରାଯାଇଛି। ସେପଟେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ଶ୍ରୀମନ୍ଦିରରେ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର