ଢେଙ୍କାନାଳ : ସହରର ବାଜିଚୌକ୍ ସ୍ଥିତ ଶ୍ରୀ ଗୁଣ୍ତିଚା ମନ୍ଦିର ନିକଟରେ ମହାପ୍ରଭୁଙ୍କ ରଥକୁ ବୁଧବାର ଦକ୍ଷଣମୋଡ଼ କରାଯାଉଥିବା ବେଳେ ବଡରଥର ମୁଖ୍ୟକାଠ ଭାଙ୍ଗିଯିବାରୁ ଦକ୍ଷିଣମୋଡ଼ ହୋଇପାରିନଥିଲା। ଗୁରୁବାର ପୁନର୍ବାର ରଥକୁ ଦକ୍ଷିଣମୋଡ଼ କରାଯାଉଥିବା ବେଳେ ତାହା ନ ହେବାରୁ କ୍ରେନ୍ ଦ୍ବାରା ଦକ୍ଷିଣମୋଡ଼ କରାଯାଇଛି। ଦୁର୍ବଳ କାଠ ଏବଂ ସଠିକ୍ ତଦାରଖ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନେଇ ସାଧାରଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି।
ଚଳିତବର୍ଷ ରଥଯାତ୍ରା ଆରମ୍ଭରୁ ନାନା ଅଘଟଣ ଘଟିଚାଲିଛି । ଅଖକାଠ ପାଇଁ ଦେବୋତ୍ତେ ବିଭାଗକୁ ନାକେଦମ୍ ହେବାକୁ ପଡିଥିଲା। ସଠିକ୍ ସମୟରେ ଅଖକାଠ ନ ମିଳିବାରୁ ଚକରେ ପୁରୁଣା ଅଖ ଲଗାଯାଇ ବିଧିପାଳନ କରାଯାଇଥିଲା। ରଥଯାତ୍ରା ସମୟରେ ବାରମ୍ବାର ରଥ ପଛକୁ ଫେରାଇ ପୁଣି ଟଣାଯାଇଥିଲା। ନାନା ଅସୁବିଧା ମଧ୍ୟରେ ଲୀଳାମୟ ଶ୍ରୀ ଜଗନ୍ନାଥ ଘୋଷଯାତ୍ରାରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ। ମା’ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଙ୍ଗରେ ନ ନେଇ ଭାଇଭଉଣୀକୁ ନେଇ ଯାତ୍ରା କରିଥିବାରୁ ହେରାପଞ୍ଚମୀ ରାତିରେ ମା’ ଲକ୍ଷ୍ମୀ ପ୍ରଭୁଙ୍କୁ ମନ୍ଦିର ଫେରିବା ଲାଗି ନିମନ୍ତ୍ରଣ କରିବାକୁ ଯାଇଥିଲେ। ହଟିଆ ଠାକୁର ଆସିବାକୁ ମନା କରିଦେବାରୁ ମହାଲକ୍ଷ୍ମୀ ଫେରିବା ବାଟରେ ଅଭିମାନ କରି ପ୍ରଭୁ ଜଗନ୍ନାଥଙ୍କ ବଡରଥକୁ ଭାଙ୍ଗି ଦେଇଥିଲେ। ପରଦିନ ଉଭୟ ବଡରଥ ଓ ସାନରଥକୁ ଦକ୍ଷିଣମୋଡ଼ କରାଯାଇଥାଏ। ସେଥିପାଇଁ ବୁଧବାର ଅପରାହ୍ଣ ୨ଟା ପରଠାରୁ ସେବାୟତମାନେ ଏହି କାର୍ଯ୍ୟରେ ଲାଗିପଡ଼ିଥିଲେ।
ହେଲେ ବଡ଼ ରଥର ଭିତର ପାର୍ଶ୍ବରେ ଥିବା ମୁଖ୍ୟ କାଠ(ମୁଷଳୀ) ଭାଙ୍ଗିଯିବାରୁ ରଥ ପୂର୍ବ ପାଖକୁ ଢଳିକରି ରହିଲା, ଆଗକୁ ଗଲା ନାହିଁ। ଯେଉଁଥିପାଇଁ ସେହିଦିନ ରଥ ଦକ୍ଷିଣମୋଡ଼ ହୋଇପାରିଲା ନାହିଁ। ଗୁରୁବାର ସକାଳୁ ସେବାୟତମାନେ ରଥକୁ ମରାମତି କରି ଦକ୍ଷିଣମୋଡ଼ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ତାହା ହୋଇନଥିଲା। ପରେ ଉଭୟ ରଥକୁ କ୍ରେନ୍ ମାଧ୍ୟମରେ ଦକ୍ଷିଣମୋଡ଼ କରାଯାଇଥିଲା। ଏ ସଂପର୍କରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଲେ, ବଡରଥର ମୁଷଳୀକୁ ମହାରଣା ସଠିକ୍ ଭାବେ ତିଆରି କରିପାରିନଥିବାରୁ ତାହା ଭାଙ୍ଗିଯାଇଥିଲା। ଯେଉଁଥିପାଇଁ ବୁଧବାର ରଥ ଦକ୍ଷଣମୋଡ଼ ହୋଇପାରିଲା ନାହିଁ। ଆବଶ୍ୟକ ମରାମତି କରି ଦକ୍ଷିଣମୋଡ଼ କରାଯାଉଥିବା ବେଳେ ରଥଚକରେ କ୍ରାକ୍ ହୋଇଯିବାରୁ କ୍ରେନ୍ ଦ୍ବାରା ରଥକୁ ଦକ୍ଷିଣମୋଡ଼ କରାଯାଇଛି ବୋଲି କହିଥିଲେ।