ପ୍ରତିଶ୍ରୁତି ଦେଇଥିଲେ, ରଖିଲେ : ବରଗଡ଼ ପାଇଁ ୭୨୪କୋଟିର ପାଣି ପ୍ରକଳ୍ପ

କନ୍ଧମାଳରେ ୧୦୦ସିଟ୍‌ର ମେଡିକାଲ କଲେଜ, କୋରାପୁଟରେ ୬୫୦ ଶଯ୍ୟାର ମେଡିକାଲ

ଭୁବନେଶ୍ବର: ବରଗଡ଼ ଜିଲ୍ଲାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୭୨୪ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାରେ ୧୦୦ଟି ସିଟ୍ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ କୋରାପୁଟରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟରେ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ମିଳିଛି। ମୋଟ ୧୨ଟି ପ୍ରସ୍ତାବ ବିଭିନ୍ନ ବିଭାଗ ଅନୁମୋଦନ ପାଇଁ ଆଜି କ୍ୟାବିନେଟ୍‌ ରେ ଆଣିଥିଲେ। ଏଥିରେ ବିଧାନସଭାର ଶୀତ ଅଧିବେଶନ ସତ୍ରାବସାନ ବି ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ବେଳେ ଜିଲ୍ଲା ବିକାଶ ଦାୟିତ୍ବ ନିଜେ ନେବେ ବୋଲି କହିଥିଲେ। ସେହିଭଳି କନ୍ଧମାଳ ଡାକ୍ତରଖାନା ପାଇଁ ପରବର୍ତୀ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଆଜି କ୍ୟାବିନେଟ୍ ଅନୁମୋଦନ ସହିତ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି।

କନ୍ଧମାଳ, କୋରାପୁଟରେ ଖର୍ଚ୍ଚ ହେବ ୬୮୦କୋଟି

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ରାଜ୍ୟ ସରକାର ସ୍ବାସ୍ଥ୍ୟ ଅନୁଷ୍ଠାନରେ ଆବଶ୍ୟକ ଯୋଗ୍ୟ ଡାକ୍ତର ଅଭାବ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ କନ୍ଧମାଳରେ ମେଡ଼ିକାଲ କଲେଜ କରାଯିବ। ଏଥିରେ ୧୦୦ ସିଟ୍ ରହିବ। େସହିଭଳି କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଆବଶ୍ୟକତା ରହିଛି, ଯାହା ମେଡିକାଲ କଲେଜକୁ ଆହୁରି କ୍ରିୟାଶୀଳ କରିବ। ଉଭୟ ପ୍ରକଳ୍ପ ଟର୍ଣ୍ଣକି ଭିତ୍ତିରେ ମେସର୍ସ ଶାର୍ପୁଜି ପାଲୋନ୍‌ଜି ଏଣ୍ଡ କଂପାନି ପ୍ରାଇଭେଟ୍ ଲିମିଟେଡ୍ କରିବେ। ୬୮୦ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ୩୬ ମାସ ମଧ୍ୟରେ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିଭଳି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଣ ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ େହଉଛି। ଏହି କ୍ରମରେ ବରଗଡ ଜିଲ୍ଲାର ଗୋଟିଏ ପ୍ରକଳ୍ପ ୫ଟି ବ୍ଲକ ଅଧୀନସ୍ଥ ୯୫ଟି ପଞ୍ଚାୟତର ୩୪୯ଟି ଗାଁ ପାଇଁ କାର୍ଯ୍ୟକାରୀ ହେବ। ଏହାଦ୍ବାରା ୫ଲକ୍ଷ ୮ ହଜାର ୩୦୪ଜଣ ଲୋକ ନିରାପଦ ପିଇବା ପାଣି ପାଇପାରିବେ।

ଏହି ପାଞ୍ଚଟି ବ୍ଲକ ମଧ୍ୟରେ ଅତାବିରା ବ୍ଲକ ( ୨୪ଟି ପଞ୍ଚାୟତ ଅନ୍ତର୍ଗତ ୭୩ଟି ଗ୍ରାମର ୧ଲକ୍ଷ ୩୯ ହଜାର ୨୪୫ ଲୋକ), ବରପାଲି ବ୍ଲକ (ଗୋଟିଏ ପଞ୍ଚାୟତ ଅନ୍ତର୍ଗତ ୩ଟି ଗ୍ରାମର ୫ ହଜାର ୭୬୬ ଲୋକ), ବିଜେପୁର ବ୍ଲକ (୨୪ଟି ପଞ୍ଚାୟତ ଅନ୍ତର୍ଗତ ୧୦୯ଟି ଗାଁର ୧ଲକ୍ଷ ୬ ହଜାର ୯୩୯ ଜଣ ଲୋକ), ଗାଇସିଲେଟ୍ ବ୍ଲକ (୧୯ଟି ପଞ୍ଚାୟତ ଅନ୍ତର୍ଗତ ୧୦୨ଟି ଗାଁର ୯୨ହଜାର ୯୭୬ ଲୋକ) ଓ ବରଗଡ ବ୍ଲକ (୨୭ଟି ପଞ୍ଚାୟତ ଅନ୍ତର୍ଗତ ୬୨ଟି ଗାଁର ୧ଲକ୍ଷ ୬୩ହଜାର ୩୭୯ ଲୋକ) ରହିଛି। ମେସର୍ସ ଏଲ୍ ଏଣ୍ଡ ଟି ଲିମିଟେଡ୍, ଚେନ୍ନାଇ ୫୦୮ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରିବେ ଓ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ ସାରିବା ଲାଗି ଲକ୍ଷ୍ୟ ରହିଛି। ସେହିଭଳି ବରପାଲି ବ୍ଲକର ୨୨ଟି ପଞ୍ଚାୟତ ଅନ୍ତର୍ଗତ ୭୦ଟି ଗ୍ରାମର ୧ଲକ୍ଷ ୧ହଜାର ୬୫୫ ଜଣ ଲୋକ ଓ ଭେଡେନ୍ ବ୍ଲକର ୨୧ଟି ପଞ୍ଚାୟତ ଅନ୍ତର୍ଗତ ୯୬ଟି ଗ୍ରାମର ପ୍ରାୟ ୧ଲକ୍ଷ ୨୭ହଜାର ୪୦୯ ଜଣ ଲୋକଙ୍କ ପାଇଁ ଆଉ ଏକ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ୨୧୫ କୋଟି ୩୧ ଲକ୍ଷ ୨୮ ହଜାର ୫୮୫ ଟଙ୍କାର ଏହି ପ୍ରକଲ୍ପ ମେସର୍ସ କେଇସି-କାଭେରି ( ଜଏଣ୍ଟ ଭେଞ୍ଚର) ଵାରାଙ୍ଗଲ୍ କରିବେ। ଏହି ପ୍ରକଳ୍ପ ମଧ୍ୟ ୨୪ମାସ ମଧ୍ୟରେ ସରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର