ଭୁବନେଶ୍ୱର: ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସହଯୋଗୀମାନେ ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍ଓଙ୍କୁ ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି। ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ଦ୍ବିତୀୟ ଥର ପାଇଁ ରାଜଭବନ ଘେରି ସରକାରଙ୍କୁ ଭର୍ତ୍ସନା କରିଛି। ଏପଟେ ସରକାର ଓ ସରକାରୀ ଦଳ ଏହି ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିଯାଇଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଏଏସ୍ଓଙ୍କୁ ଯେଉଁଭଳି ଭାବେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କଲେ ତାହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି ? ଆଇନ ସମସ୍ତଙ୍କ ପାଇଁ ସମାନ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ହେଲେ ଜଣେ ଅଣ ଓଡ଼ିଆ ଲୋକ ଓଡ଼ିଆ ଲୋକଙ୍କୁ ବାଡ଼େଇବା କି ପ୍ରକାର ଓଡ଼ିଆ ଅସ୍ମିତା ? ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅଭିଯୁକ୍ତକୁ ଗିରଫ କରାଯିବା ବଦଳରେ ଏଏସ୍ଓଙ୍କୁ କାହିଁକି ବଦଳି କରାଗଲା ? ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରାଯାଉ।
ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ରାଜନୀତି ତେଜିଲା
ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁଣ ମାଫ୍: ବିଜେଡି
ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି: କଂଗ୍ରେସ
ରାଜଭବନ ସାମ୍ନାରେ ଧାରଣା ଦେଲା ଯୁବ-ଛାତ୍ର କଂଗ୍ରେସ
ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ପୁଅ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏଏସ୍ଓଙ୍କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଯୋଗ ଦେଇ ବିଧାୟକ ତାରାପ୍ରସାଦ ବାହିନପତି କହିଥିଲେ ଯେ, ସରକାର ଓଡ଼ିଶାର ଆଇନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛନ୍ତି। ରାଜ୍ୟପାଳଙ୍କ ପୁଅ ଉପରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ। ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତାର କଥା କହୁଥିବା ସୌଦାଗରମାନେ ଏବେ କ’ଣ ପାଇଁ ନିରବ ରହିଛନ୍ତି? ଜଣେ ଅସହାୟ ଓଡ଼ିଆକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ, ଜନକୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଲେ, ରାଜଭବନରେ କାର୍ଯ୍ୟରତ ଏଏସ୍ଓଙ୍କୁ ତରବରିଆ ବଦଳି କରାଗଲା। ଏହା ସ୍ପଷ୍ଟ ପ୍ରମାଣିତ କରୁଛି, ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ଆତ୍ମସମ୍ମାନଙ୍କୁ ଦଳିମକଚି ଦେବାକୁ ଠିକା ନେଇଛନ୍ତି ବିଜେପି ସରକାର। ଜଣେ ଝାଡ଼ଖଣ୍ଡ ଲୋକଙ୍କ ଦ୍ୱାରା ଓଡ଼ିଆ ଏଏସ୍ଓ ଅଧିକାରୀ ମାଡ଼ ଖାଇଲେ, ରକ୍ତାକ୍ତ ହେଲେ। ଅଧିକାରୀ ଜଣଙ୍କ ନ୍ୟାୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ପ୍ରଶାସନଙ୍କୁ ଜଣାଇଲେ, ହେଲେ କିଛି ହେଲାନି। ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସେ ଯାହା ଦୋଷ କରିବେ ଖସିଯିବେ? ତାଙ୍କୁ କ’ଣ ସାତ ଖୁଣ୍ ମାଫ୍? ବିଜେପି ସରକାରରେ ଆଇନ ଦୁଇ ପ୍ରକାରର କି ? ସାଧାରଣ ଲୋକ ଓ ରାଜନୈତିକ ଲୋକଙ୍କ ପାଇଁ କ’ଣ ଆଇନ୍ ଅଲଗା ଅଲଗା? ନବୀନ ପଟ୍ଟନାୟକ ସରକାରରେ ଆଇନ୍ ସମସ୍ତଙ୍କ ପାଇଁ ସମାନ ଥିଲା, ହେଲେ ମୋହନ ସରକାରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାରା ଭାରତରେ ଓଡ଼ିଶାର ଛବିକୁ ମଳିନ କରିଥିବା ଏହି ଘଟଣାକୁ ନେଇ ମୋହନ ମାଝୀ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଦୋଷ କରିଥିବା ଅଣଓଡ଼ିଆ ଲୋକ କଲର୍ ଟେକି ବୁଲୁଛନ୍ତି। ଆଉ ପୀଡ଼ିତ ଓଡ଼ିଆ ଲୋକଙ୍କ ଅସହାୟ ଅବସ୍ଥାରେ ବଦଳି ହେଉଛି। ଏହା କ’ଣ ଓଡ଼ିଆ ଅସ୍ମିତା? ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ।