କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ ! ହ୍ବାଟ୍‌ସ୍‌ଆପ୍‌ ମାଧ୍ୟମରେ ବାପାଙ୍କ ଶେଷକୃତ୍ୟ ଦେଖିଥିଲେ ରଂଜନ

‘ଆମେରିକାରେ ସ୍ଥିତି ଅତି ସାଂଘାତିକ ହୋଇ ପଡ଼ିଛି। ବାହାରକୁ ବାହାରିବାକୁ ଡର ଲାଗୁଛି। ବର୍ତ୍ତମାନ ଅଫିସ ଯିବା ସଂପୂର୍ଣ୍ଣ ବନ୍ଦ ରହିଛି। ଘରେ ରହି କାମ କରିବାକୁ ହେଉଛି। ଦରକାର ହେଲେ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ଅଫିସ୍‌ ମିଟିଂରେ ସାମିଲ ହେଉଛି।’ ଲକ୍‌ଡାଉନ୍‌ ଯୋଗୁ ନିଜର ଦୈନନ୍ଦିନ ଜୀବନ କିଭଳି ପ୍ରଭାବିତ ହୋଇଛି, ‘ସମ୍ବାଦ’କୁ ସେ ସମ୍ପର୍କରେ କହିଛନ୍ତି କାଲିଫର୍ଣ୍ଣିଆରେ ରହୁଥିବା ରଂଜନ ପଟେଲ। ରଂଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ଅନ୍ତର୍ଗତ ସାହସପୁର ଗ୍ରାମର ସ୍ବର୍ଗତ ଦିଲ୍ଲୀପ ପଟେଲଙ୍କ ସାନ ପୁଅ ରଞ୍ଜନ। ରଂଜନ ଆମେରିକାରେ ପତ୍ନୀ ସୁପ୍ରିୟା ଓ ସାତ ବର୍ଷର ଝିଅ ଧୃତି ସହିତ ରହୁଛନ୍ତି। ଆପଲ କମ୍ପାନିରେ ମ୍ୟାନେଜର ଥିବା ରଂଜନଙ୍କ କହିବା ଅନୁଯାୟୀ, ‘ କାଲିଫର୍ଣ୍ଣିଆ ଅପେକ୍ଷା ନ୍ୟୁୟର୍କ ଅବସ୍ଥା ଅତି ଖରାପ। ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଠାରେ ଲକ୍‌ଡାଉନ୍‌ କଡ଼ାକଡ଼ି ହୋଇନାହିଁ। ଲୋକେ ଗାଡ଼ି ମଟର ଧରି ବାହାରେ ବୁଲୁଛନ୍ତି। ଲୋକଙ୍କୁ କାଶ ଓ ଥଣ୍ଡା ହେଲେ ବି ସେମାନେ ନ ଡରି ବାହାରେ ବୁଲୁଥିଲେ। ଅଧିକ ଆତ୍ମବିଶ୍ବାସ ଆମେରିକାର ଖରାପ ପରିସ୍ଥିତି ଖରାପ ପାଇଁ ଦାୟୀ।’ ‘ଆମେରିକାରେ ସ୍ଥିତିକୁ ଦେଖି ସଉଦାପତ୍ର କିଣାକିଣିକୁ ସୀମିତ କରିଦେଇଛୁ। ପନିପରିବାରେ ଭୂତାଣୁ ଭୟ ରହିଥିବାରୁ ଯେତେ ସମ୍ଭବ କମ୍‌ ସେତେ ପନିପରିବା ଖାଉଛୁ। ଗୋଟିଏ ସପ୍ତାହର ଜିନିଷରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡୁଛି। ବେଳେବେଳେ କେବଳ ଭାତ ଡାଲି ଖାଇ ରହିବାକୁ ପଡୁଛି,’ ବୋଲି ରଂଜନ ଅତି ଦୁଃଖର ସହିତ କହିଛନ୍ତି।

ଏହି ସମୟରେ ରଂଜନଙ୍କ ଜୀବନରେ ବି ଏକ ଦୁଃଖଦ ଘଟଣା ଘଟିଯାଇଛି। ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ସେତେବେଳେ ଆମେରିକାରେ ଲକ୍‌ଡାଉନ୍‌ ଚାଲିଥାଏ। ବିମାନ ଓ ଭିସା ବାତିଲ ହୋଇ ଯାଇଥିବାରୁ ଓଡ଼ିଶା ଫେରି ପାରିନଥିଲେ। ମହାମାରୀ କରୋନା ଯୋଗୁଁ ବାପାଙ୍କୁ ଶେଷ ସମୟରେ ଦେଖି ପାରିନଥିଲେ। ତେବେ, ହ୍ବାଟ୍‌ସଆପ୍‌ ମାଧ୍ୟମରେ ବାପାଙ୍କର ଶେଷକୃତ୍ୟ ଦେଖିଥିଲେ। ୨୦୧୮ ଏପ୍ରିଲରେ ସେ ଶେଷଥର ପାଇଁ ଓଡ଼ିଶା ଆସିଥିଲେ। ଏପରି ସମୟରେ ସେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ‘କରୋନା ହେଉଛି ବହୁତ ଭୟଙ୍କର ରୋଗ। କାହାର ବୟସ, ଜାତି କି ଶକ୍ତି ଓ ଦକ୍ଷତା ଦେଖେନାହିଁ। କେବେ ବି କାହାକୁ କୌଣସି ସ୍ଥାନରେ ଆକ୍ରାନ୍ତ କରିପାରିବ। ଏଥିପାଇଁ ଏକମାତ୍ର ବିକଳ୍ପ ସରକାରଙ୍କର ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ମାନି ଘରେ ରହିବା। ସୁରକ୍ଷିତ ରୁହନ୍ତୁ ଓ ପରିବାର ସହିତ ଖୁସିରେ ସମୟ କାଟନ୍ତୁ।’
(କାର୍ଲିଫର୍ଣ୍ଣିଆରୁ ରଞ୍ଜନଙ୍କ ସହିତ କଥା ହୋଇଥିଲେ ‘ସମ୍ବାଦ’ ଲାଇକେରା ପ୍ରତିନିଧି ଭରତ ପାତ୍ର)

‘ଲକ୍‌ଡାଉନ୍‌ ମୋତେ ଆନନ୍ଦ ଦେଉଛି’
କିଛି ସପ୍ତାହ ହେଲା ନ୍ୟୁଜିଲାଣ୍ଡରେ କୋଭିଡ-୧୯ ଭୂତାଣୁ କାରଣରୁ ଲକ୍‌ଡାଉନ୍‌ ଚାଲିଛି। ସଉଦା ସମେତ ନିହାତି ଆବଶ୍ୟକୀୟ ସାମଗ୍ରୀ ଦୋକାନ ଏବଂ ଡାକ୍ତରଖାନା ଖୋଲା ଅଛି। ଅନ୍ୟ ‌ଦୋକାନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରହୁଥିବା ସ୍ଥାନର ଆଖପାଖରେ ବୁଲିହେବ ମାତ୍ର ଅଧିକ ଦୂରକୁ ଯାଇହେବ ନାହିଁ ବୋଲି ନିର୍ଦ୍ଦେଶନାମା ରହିଛି। ଏହି ଦେଶରେ କରୋନା ଜନିତ ପରିସ୍ଥିତି ସମ୍ପର୍କରେ ‘ସମ୍ବାଦ’କୁ ଏହା କହିଛନ୍ତି ୱେଲିଙ୍ଗଟନ୍‌ରେ ରହୁଥିବା ଭୂବିଜ୍ଞାନୀ ତୁଷାର ରଂଜନ ସାହୁ। କଥାବାର୍ତ୍ତା ସମୟରେ ଏକ ମଜାଦାର ଘଟଣା ସମ୍ପର୍କରେ କହିଛନ୍ତି ଶ୍ରୀ ସାହୁ। ‘ ଦିନେ ଆମେ ଦେଖିଲୁ ଆମର ପଡ଼ୋଶୀ ଗ୍ରେସ୍ ସେମାନଙ୍କ ୱିଣ୍ଡୋସିଲରେ ଏକ ଟେଡିବେୟାର ଲଗାଉଛନ୍ତି। ତା’ପରେ ଆମେ ମଧ୍ୟ ଆମର ୱିଣ୍ଡୋସିଲରେ ଗୋଟିଏ ରଖିଲୁ। ଏହା ବହୁତ ମଜାଦାର ଥିଲା କାରଣ ଆମର ସମସ୍ତ ପଡ଼ୋଶୀ ପିଲାମାନେ ସେମାନଙ୍କର ଝରକା ଏବଂ ଫାଟକରେ ଟେଡିବେୟାର ଲଗାଉଥିଲେ। ଯେତେବେଳେ ପିଲାମାନେ ବୁଲିବାକୁ ଯିବେ, ସେଗୁଡ଼ିକୁ ଗଣନା କରିପାରିବେ। ଆମେ ଏଠାକାର ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ, ନ୍ୟୁଜିଲାଣ୍ଡର ସମସ୍ତ ଲୋକ ନିଜ ଝରକା ଏବଂ ବଗିଚାରେ ଟେଡିବେୟାର ଲଗାଉଛନ୍ତି। ଯଦିଓ ଏହାର କାରଣ ମୁଁ ଜାଣି ନାହିଁ। ମାତ୍ର ଏହା ଦେଖିବାକୁ ବେଶ୍‌ ଭଲ ଲାଗୁଛି ଏବଂ ସମସ୍ତଙ୍କ ପରି ମୁଁ ମଧ୍ୟ ଝରକାରେ ଏହା ଲଗାଇଛି।’

ଏହି ସମୟରେ କଥାବାର୍ତ୍ତା ହେବାକୁ ଚାହିଁଥିଲେ ଶ୍ରୀ ସାହୁଙ୍କ ୮ ବର୍ଷର ପୁଅ ରୁଦ୍ରାଂଶ। ଲକ୍‌ଡାଉନ୍‌ ସମୟରେ ଗୋଟିଏ ଛୋଟ ପିଲାର ମାନସିକତା କିଭଳି ରହିଛି, ତାଙ୍କ ସହିତ କଥାବାର୍ତ୍ତାରୁ ଜଣାପଡ଼ିଥିଲା। ସେ କହିଥିଲେ, ‘ ମୁଁ ଲକଡାଉନ ପସନ୍ଦ କରୁଛି। କାରଣ ମୋ ମା’ଙ୍କୁ ଅନ୍ୟ ସହରକୁ ଯାତ୍ରା କରିବାକୁ ପଡୁନି। ମା’ ଏବଂ ବାପାଙ୍କ ସହ ଅନେକ ଖେଳ ଖେଳିପାରୁଛି। ମୋର ମା’ ମୋତେ ନିଜର ଇମେଲ୍ ଆଇଡି ତିଆରି କରିବାରେ ସାହାଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ମୁଁ ମୋର ଜେଜେବାପା, ଜେଜେମା, ପିଇସୀ ଏବଂ ପିଇସାମାନଙ୍କୁ ଇମେଲ୍ ଲେଖିପାରୁଛି। ବେଳେବେଳେ ମୁଁ ପାୱାରପଏଣ୍ଟରେ କାହାଣୀ ଲେଖୁଛି। ଯାହାକୁ ମୋ ଜେଜେବାପାଙ୍କ ନିକଟକୁ ପଠାଏ। ବେଳେବେଳେ ମୁଁ ଏହାକୁ ମୋ ବାପାଙ୍କ ନିକଟକୁ ପଠାଏ। କାରଣ ସେ କୌଣସି ପ୍ରକାରେ ଜାଣନ୍ତି ଯେ ଏହାକୁ କିପରି ହ୍ୱାଟ୍ସଆପରେ ରଖି ଇ-ମେଲ ବିନା ଲୋକମାନଙ୍କୁ ପଠାଯିବ।’ ‘ଏହି ବାପାଙ୍କ ଜନ୍ମଦିନ ପାଳନ କରିଛୁ। ଆମେ ଏକ କେକ୍ ତିଆରି କରି ଏହାକୁ କ୍ରିମ୍ ରେ ସଜାଇଥିଲୁ। ମୋତେ ଲକଡାଉନ ଭଲଲାଗୁଛି, ତଥାପି ମୋ ସ୍କୁଲ, ମୋର ବନ୍ଧୁ ଏବଂ ଖେଳପଡ଼ିଆକୁ ମନେ ପକାଉଛି। ଆମର ଶିକ୍ଷକ ଆମକୁ ଅନଲାଇନ୍ ଲାଇବ୍ରେରୀ ଆଇଡି ପଠାଇଛନ୍ତି ଯାହାଦ୍ୱାରା ଆମ ମଜାଳିଆ ଗପ ବହି ସବୁ ପଢିପାରୁଛୁ ,’ କହିଛନ୍ତି ରୁଦ୍ରାଂଶ।
(ରୁଦ୍ରାଂଶୁ ଏବଂ ତାଙ୍କ ବାପା ତୁଷାର ରଂଜନ ସାହୁଙ୍କ ସହିତ କଥା ହୋଇଥିଲେ ‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ)

ସମ୍ବନ୍ଧିତ ଖବର