ପିପିଲି/ବଳଙ୍ଗା : ପିପିଲି ତହସିଲ ସରସ୍ବତୀପୁର ପଞ୍ଚାୟତ ଅର୍ନ୍ତଗତ ବାଲିଉପର ଗାଁରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ତ ଘଟି ୯ବଖରା ବାସଗୃହ ଜଳି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତମାନେ ସାହିର ନକୁଳ ସ୍ବାଇଁଙ୍କ ଘରେ ନିଁଆ ଲଗାଇ ଦେଇଛନ୍ତି ବୋଲି ନକୁଳଙ୍କ ପତ୍ନୀ ରେଣୁକା ସ୍ବାଇଁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ତରେ ନକୁଳଙ୍କ ଘର ସମେତ ଗଦାଧର ସ୍ବାଇଁ, ସୁରଥ ସ୍ବାଇଁ, ସୁବ୍ରତ ସ୍ବାଇଁ, ସେବତୀ ସ୍ବାଇଁ ଓ ସହଦେବ ସ୍ବାଇଁଙ୍କର ପ୍ରାୟ ୧୦ବଖରା ଚାଳ ଓ ଆଜ୍ବେଷ୍ଟସ ଘର ପୋଡ଼ି ପାଉଁଶ ହୋଇଯାଇଛି। ଘର ମଧ୍ୟରେ ଥିବା ମୋଟର୍ସାଇକେଲ, ସାଇକେଲ, ଧାନ, ଚାଉଳ ଓ ବିରି ସହ ଘରର ସମସ୍ତ ଆସବାବପତ୍ର ଆଦି ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି।
ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଅଗ୍ନିକାଣ୍ତ ଘଟଣା ଘଟିଥିବାବେଳେ ପିପିଲି, ସାକ୍ଷୀଗୋପାଳ ଓ ନିମାପଡ଼ାରୁ ଦମକଳ ବାହିନୀ ଆସି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଁଆକୁ ଆୟତ କରିଥିଲେ। ଖବରପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆଜି ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ପଲିଥିନ ପ୍ରଦାନ କରିଛନ୍ତି। ଏଥିସହ ଅଗ୍ନିବିପନ୍ନଙ୍କ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଏସ୍ପିଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-2.jpg)