ଭୁବନେଶ୍ବର: ମଞ୍ଚେଶ୍ବର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍ପିଏଲ୍ ହୋମ୍ସ ଆପାର୍ଟମେଣ୍ଟରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର ଆଜି ସିନ୍ ରିକ୍ରିଏସନ୍ କରାଯାଇଥିଲା। ହତ୍ୟା ଅଭିଯୁକ୍ତ ଅନିରୁଦ୍ଧକୁ ହତ୍ୟାକାଣ୍ଡସ୍ଥଳ ନିଆଯାଇଥିଲା। ସିନ୍ ରିକ୍ରିଏସନରେ ଅନିରୁଦ୍ଧ ପୁଲିସକୁ ପୂରା ସହଯୋଗ କରିଥିଲା। ରାତିରେ ଜମି ବିକିବାକୁ ନେଇ ସେ ବାପାଙ୍କ ସହ କେମିତି ଝଗଡ଼ା କରିଥିଲା, ନିଦ ବଟିକା ଖାଇବା ପରେ ବି ସେ କିଭଳି ଶୋଇପାରିନଥିଲା, ଭୋର୍ ସମୟରେ ସେ କିଭଳି ଅସ୍ତବ୍ୟସ୍ତ ହୋଇ ପଡ଼ିଲା ଏବଂ କିଚେନ୍କୁ ଯାଇ ଛୁରି ଆଣିଲା, ବାପାମା’ଙ୍କ ବେଡ୍ ନିକଟକୁ ସେ କେମିତି ଯାଇଥିଲା, ବାପାଙ୍କୁ ମାରିବା ପାଇଁ ସେ କିଭଳି ପ୍ରଥମେ ତକିଆରେ ତାଙ୍କ ମୁହଁକୁ ଚାପି ଧରିଲା ଏବଂ ପରେ ଛୁରି ଭୁସିଲା, ସବୁ ଘଟଣାର ଡେମୋ ଗୋଟିଗୋଟି କରି ଦେଖାଇଥିଲା। ଏହି ଅବସରରେ ସେ ପୁଲିସକୁ କହିଥିଲା ଯେ ବାପାଙ୍କୁ ମାରିଦେବା ପରେ ସେ ନିଜେ ଆତ୍ମହତ୍ୟା କରିବ ବୋଲି ନିଷ୍ପତ୍ତି ନେଇଥିଲା। କିନ୍ତୁ ମା’ ସୁନୀତାଙ୍କ ସହ ଠେଲାପେଲା ହେବା ଭିତରେ ଛୁରିଟି ହାତରୁ ଖସି ବେଡ୍ ତଳକୁ ପଡ଼ିଯାଇଥିଲା। ସେହି ଅଘଟଣ ମୁହୂର୍ତ୍ତରେ ମା’ଙ୍କ ବିକଳ ଅବସ୍ଥା ଦେଖିବା ପରେ ସେ ଆଉ ଖଟ ତଳକୁ ଯାଇ ଛୁରି ଆଣି ପାରିନଥିଲା କି ଆତ୍ମହତ୍ୟା କରିପାରିନଥିଲା। ତେଣୁ ମା’ଙ୍କ ପାଇଁ ହିଁ ବଞ୍ଚିଗଲା ବୋଲି ପୁଲିସକୁ ସିନ୍ ରିକ୍ରିଏସନ୍ ବେଳେ କହିଛି ପିତୃହନ୍ତା ଅନିରୁଦ୍ଧ।
ହତ୍ୟାକାଣ୍ଡକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ୍ ସିଂ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର କିଛି କାରଣ ଓ ପୁଲିସର ପରବର୍ତ୍ତୀ ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଇନ ଅଧ୍ୟାପକ ପୁଅ ଅନିରୁଦ୍ଧ ଋଣ ବୋଝରେ ମାନସିକ ଚାପଗ୍ରସ୍ତ ହୋଇ ନିଜ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ମୁଖ୍ୟତଃ ୨ଟି କାରଣରୁ ସେ ଚାପଗ୍ରସ୍ତ ଥିଲା ବୋଲି ଡିସିପି କହିଛନ୍ତି। ଚାକିରି ଚାଲିଯିବା ଓ ଋଣ ବୋଝ ତାର ମାନସିକ ଅବସ୍ଥାକୁ ବିଗାଡ଼ି ଦେଇଥିଲା। ତୁରନ୍ତ ଋଣ ବୋଝରୁ ମୁକୁଳିବାକୁ ସେ ଚାହୁଥିଲା। ମାତ୍ର ଜମି ବିକିବାକୁ ବାପା ରାଜି ହୋଇଥିଲେ ମଧ୍ୟ ଦରକୁ ନେଇ ବିଳମ୍ବ କରୁଥିଲେ। ବାପାଙ୍କ ବିଳମ୍ବ ତାଙ୍କ ଧୈର୍ଯ୍ୟଚ୍ୟୁତିର ବଡ଼ କାରଣ ଥିଲା। ସେଥିପାଇଁ ବାପାଙ୍କୁ ହତ୍ୟା କରିବା ପରେ ନିଜକୁ ବି ଶେଷ କରିଦେବାକୁ ଅନିରୁଦ୍ଧ ଯୋଜନା କରିସାରିଥିଲା।
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାକାଣ୍ଡର ଦିନକ ପୂର୍ବରୁ ଅନିରୁଦ୍ଧ ଚାକିରିରୁ ଇସ୍ତଫା ଦେଇଥିଲା। ଇସ୍ତଫା ପଛର କାରଣ ହେଉଛି ତାର ଡିଗ୍ରି ପ୍ରମାଣପତ୍ର। ସେ କୋଷ୍ଟାରିକାରୁ ଏଲ୍ଏଲ୍ଏ୍ଏମ୍ ପାସ୍ କରି ଭାରତ ଫେରିଥିଲା ଏବଂ ପଟିଆସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ବିଶ୍ବବିଦ୍ୟାଳୟର ଆଇନ କଲେଜରେ ୨୦୧୬ ମସିହାରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲା। କିନ୍ତୁ କୋଷ୍ଟାରିକା ବିଶ୍ବବିଦ୍ୟାଳୟରୁ ଡିଗ୍ରି ପ୍ରମାଣପତ୍ର ଆଣିପାରିନଥିଲା। ତେଣୁ ଅଣ୍ଡରଟେକିଂ ଦେଇ ସେ ଚାକିରି କରିଥିଲା। ଏହା ଭିତରେ ତାର ବିବାହ ହୋଇଯାଇଥିଲା। ପ୍ରେମ ବିବାହ ପରେ ବାପାଙ୍କ ସହ ତାର ଭଲ ସମ୍ପର୍କ ନଥିଲା। ତେଣୁ ସେ ଅଲଗା ଭଡ଼ା ଘର ନେଇ ରହୁଥିଲା। ଏମିତି ସ୍ଥିତିରେ ବିଦେଶ ଭ୍ରମଣ କରି ସେ ବହୁ ଟଙ୍କା କରଜ କରିିଥିଲା। କରଜ ବୋଝ ଅସହ୍ୟ ହୋଇପଡ଼ୁଥିବା ବେଳେ କଲେଜ ପକ୍ଷରୁ ତାକୁ ଡିଗ୍ରି ପ୍ରମାଣପତ୍ର ଦେବାକୁ ନୋଟିସ୍ କରାଯାଇଥିଲା। କୋଷ୍ଟାରିକା ବିଶ୍ବବିଦ୍ୟାଳୟରୁ ସାର୍ଟିଫିକେଟ୍ ଆଣିବା ପାଇଁ ପ୍ରଚୁର ଅର୍ଥ ଦରକାର ହୋଇଥିଲା। ମାତ୍ର ବାପା ଏହି ସମୟରେ ଆର୍ଥିକ ସହାୟତା ଦେଇନଥିଲେ। ଅନିରୁଦ୍ଧର ଏଭଳି ବୟାନ ପରେ ଡିସିପି କହିଛନ୍ତି ଯେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଏନେଇ ସମସ୍ତ ବିବରଣୀ ସଂଗ୍ରହ କରାଯିବ। ବରିଷ୍ଠ ପୁଲିସ ଅଧିକାରୀମାନେ ଖୁବ୍ଶୀଘ୍ର କଲେଜ କର୍ତ୍ତୃପକ୍ଷଙ୍କ ବୟାନ ନେବେ।
ଜେରାର ସମ୍ମୁଖୀନ ହେବେ ଅନିରୁଦ୍ଧଙ୍କ ପତ୍ନୀ ଜଣେ ଆଇନ ଅଧ୍ୟାପକ ନିଜ ବାପାଙ୍କୁ ହତ୍ୟା କରିବା ଏକ ବିରଳ ଘଟଣା। ତା ଉପରେ କୌଣସି ବଡ଼ଧରଣର ମାନସିକ ଚାପ ଥିଲା ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି। ଅନିରୁଦ୍ଧ ଭଲ ପାଇ ବାହା ହୋଇଥିଲା ଏବଂ ବାପାମା’ଙ୍କଠାରୁ ଅଲଗା ହୋଇ ଭଡ଼ା ଘରେ ରହୁଥିଲା। ନିଜ ଦରମା ଅନୁସାରେ ଚଳୁ ନଥିବାରୁ ସେ କରଜ କରିବାକୁ ବାଧ୍ୟ ହେଉଥିଲା। ବାପାଙ୍କ ପାଖରେ କୋଟିକୋଟି ଟଙ୍କାର ସମ୍ପତ୍ତି ଥାଇ ବି ଏକମାତ୍ର ପୁଅ ଚଳିବା ପାଇଁ ବହୁ ହୀନସ୍ତା ହେଉଥିଲା। ତେଣୁ ତାଙ୍କ ଦାମ୍ପତ୍ୟ ଜୀବନ ବି ଭଲ ନଥିଲା। ସ୍ତ୍ରୀ ବହୁ ସମୟରେ ବାପଘରକୁ ଚାଲିଯାଉଥିଲେ। ହତ୍ୟାକାଣ୍ଡର ୩ ଦିନ ପୂର୍ବରୁ ଅନିରୁଦ୍ଧଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। କୁହାଯାଉଛି ବାପାଙ୍କଠାରୁ ଟଙ୍କା ଆଣିବା ପାଇଁ ପତ୍ନୀ ବାରମ୍ବାର ଅନିରୁଦ୍ଧ ଉପରେ ଚାପ ପକାଉଥିଲେ। ତେଣୁ ଏହା ପଛରେ କେତେ ସତ ରହିଛି ଜାଣିବାକୁ ପୁଲିସ ଅନିରୁଦ୍ଧଙ୍କ ପତ୍ନୀଙ୍କୁ ଜେରା କରିବ ବୋଲି ଡିସିପି କହିଛନ୍ତି।