ଆନନ୍ଦପୁର: ଆନନ୍ଦପୁର ତରତରା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ୧୨ ଚକିଆ ଟ୍ରକ୍ ଲୁଟ୍ ହୋଇଛି। ଲୁଟେରାମାନେ ଗାଡ଼ିରେ ଥିବା ହେଲପର୍ଙ୍କୁ ଗୋଡ଼ହାତ ବାନ୍ଧି ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗାଡ଼ି ମାଲିକ ଆନନ୍ଦପୁରର ପ୍ରଶାନ୍ତ କୁମାର ସାହୁ ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ପ୍ରଶାନ୍ତଙ୍କ ଏକ ୧୨ ଚକିଆ ଟ୍ରକ୍ (ଓଡି-୧୧-ଏ-୬୯୫୧) ୪ ତାରିଖରେ ଗୋପାଳପୁରରୁ ଲୁହାପଥର ଖାଲି କରି ଫେରିବା ପରେ ତରତରା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା। ଗାଡ଼ିକୁ ଜଗିଥିଲେ ହେଲପର୍ ଦଧିବାମନପୁର ଗ୍ରାମର ଜୀବନ ଜେନା। ଗତକାଲି ରାତି ପ୍ରାୟ ୨ଟା ୫୦ରେ ଏ କାର୍ରେ ୬/୭ଜଣ ଦୁର୍ବୃତ୍ତ ଆସି ଜୀବନଙ୍କ ହାତଗୋଡ଼ ଏବଂ ମୁହଁ ବାନ୍ଧି ଉଠାଇ ନେଇଥିଲେ। ସାଙ୍ଗରେ ଟ୍ରକ୍ ମଧ୍ୟ ନେଇ ଯାଇଥିଲେ। ଟ୍ରକ୍କୁ ଯାଜପୁର ଆଡ଼କୁ ନିଆଯାଇଛି। ଭୋର ପ୍ରାୟ ୩ ଟା ୪୬ ମିନିଟ୍ ସମୟରେ ଗାଡ଼ିଟି ହସନପୁର ଟୋଲ୍ପ୍ଲାଜା ଅତିକ୍ରମ କରିଥିବା ଜଣାପଡ଼ିଛି। ଭୋର ୪ଟା୧୫ ମିନିଟରେ ଯାଜପୁର ନିକଟରେ ହେଲପର୍ ଜୀବନଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଦୁର୍ବୃତ୍ତମାନେ ଟ୍ରକ୍ ନେଇ ଫେରାର ହୋଇଯାଇଥିଲେ। ଗାଡ଼ି ମାଲିକ ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଗାଡ଼ିର ସନ୍ଧାନ ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/26-20.jpg)