ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ନିର୍ବାଚିତ ଜନପ୍ରତିନିଧି ନ ଥିବାର ଫାଇଦା ଉଠାଉଛନ୍ତି କେତେକ ଅଧିକାରୀ ଓ କର୍ମଚାରୀ। ପରିବହନ, ପରିମଳ ପରେ ଏବେ ସମାଜମଙ୍ଗଳ ବିଭାଗରେ ବଡ଼ଧରଣର ଦୁର୍ନୀତି ପଦାକୁ ଆସିଛି। କୋଟିଏ କି ଦୁଇ କୋଟି ନୁହେଁ, ଗରିବଙ୍କ ମାସିକ ଭତ୍ତା ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ମିଳିମିଶି ଚଳୁ କରିଦେଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଦୁର୍ନୀତିରେ ସମ୍ପୃକ୍ତ ବିଭାଗର ୬ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି। ଚାକିରିରୁ ଅବସର ନେଇଥିବା କର୍ମଚାରୀଙ୍କ ପେନ୍ସନ୍କୁ ମଧ୍ୟ ଆର୍ଏମ୍ସି କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି। ଡେପୁଟି କମିସନରଙ୍କ ନେତୃତ୍ବରେ ତିନିଜଣିଆ କମିଟି ଦୁର୍ନୀତିର ତଦନ୍ତ କରୁଛନ୍ତି। ଆର୍ଏମ୍ସି କମିସନର ଧୀନା ଦସ୍ତାଗୀର କହିଛନ୍ତି, ଭତ୍ତା ଟଙ୍କା ଆତ୍ମସାତ୍ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ମିଳିଥିବା ସୂଚନା ଅନୁସାରେ, ଆର୍ଏମ୍ସି ସମାଜ ମଙ୍ଗଳ ବିଭାଗ ପକ୍ଷରୁ ମାସକୁ ପ୍ରାୟ ୩୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ୩ କୋଟିରୁ ଅଧିକ ଟଙ୍କାର ଭତ୍ତା ବଣ୍ଟନ କରାଯାଉଛି। ଭତ୍ତା ବିଭାଗର ୬ରୁ ଅଧିକ କର୍ମଚାରୀ କାରସାଦି କରି ପାଖାପାଖି ୬ ହଜାର ମୃତ ଓ ନକଲି ହିତାଧିକାରୀଙ୍କ ନାଁରେ ମାସକୁ ୪ରୁ ୬ ଲକ୍ଷ ଟଙ୍କା ଆତ୍ମସାତ୍ କରୁଥିଲେ। ଏଭଳି ଭାବେ ବର୍ଷକୁ ୪୫ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଟଙ୍କା ଚଳୁ ହେଉଥିଲା। ବିଭାଗର ଅଧିକାଂଶ କର୍ମଚାରୀ ଓ ତଦାରଖ ଦାୟିତ୍ବରେ ଥିବା ତତ୍କାଳୀନ ଅଧିକାରୀ ସମ୍ପୃକ୍ତ ଥିବାରୁ ଘଟଣା ପଦାକୁ ଆସୁ ନ ଥିଲା। ନିକଟରେ ଭତ୍ତା ଟଙ୍କା ହେରଫେର ନେଇ କିଛି ହିତାଧିକାରୀ ଆର୍ଏମ୍ସିର୍ ତତ୍କାଳୀନ କମିସନର ଆଶୁତୋଷ କୁଲକର୍ଣ୍ଣିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିସନର ଶ୍ରୀ କୁଲକର୍ଣ୍ଣି ଭତ୍ତା ବିଭାଗର କିଛି କାଗଜପତ୍ର ଯାଞ୍ଚ କରିବାରୁ ମୃତ ଓ ନକଲି ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଥିବା ଦେଖିବାକୁ ପାଇଥିଲେ। ପରେ ଡେପୁଟି କମିସନରଙ୍କ ଜରିଆରେ ଭତ୍ତା ବିଭାଗର ସମସ୍ତ କାଗଜପତ୍ର ଯାଞ୍ଚ କରିବାରୁ ବଡ଼ଧରଣର ଦୁର୍ନୀତି ହୋଇଥିବା ପଦାକୁ ଆସିଥିଲା। ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ମୃତ ଓ ନକଲି ହିତାଧିକାରୀଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଇ ଆତ୍ମସାତ୍ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଏସବୁ ବିବାଦ ଭିତରେ ଆଶୁତୋଷ କୁଲକର୍ଣ୍ଣି ଜିଲ୍ଲାପାଳ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଗଲେ। ଏବେ ନୂତନ କମିସନର ଭାବେ ଧୀନା ଦସ୍ତାଗୀର ଦାୟିତ୍ବ ନେବା ପରେ ଦୁର୍ନୀତି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/27/money-2025-08-27-04-58-15.jpg)