ଦିବ୍ୟାଙ୍ଗ ବୋଲି ଅଲୋଡ଼ା: ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗିଦେଲେ

ମାଲକାନଗିରି: ଦିବ୍ୟାଙ୍ଗ ବୋଲି ଅଲୋଡ଼ା ହେଲା ଶିଶୁକନ୍ୟା। ମରିବାକୁ ଜଙ୍ଗଲରେ ଛାଡ଼ି ଚାଲିଗଲେ ଜନ୍ମକଲା ବାପା ଓ ମା’। ଦେବଦୂତ ସାଜି ଦୁଇ ଜଣ ମହିଳା ଗଛ ତଳୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଏହି ନିଷ୍ଠୁର ଘଟଣା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚିବା ପରେ ସାମ୍ନାକୁ ଆସିଛି। ପ୍ରଶାସନ ଶିଶୁକନ୍ୟାର ଥଇଥାନ ସହ ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛି।

ପ୍ରାୟ ୫ଦିନ ତଳେ ଡାଇକ-୩ ଗାଁର ସୁକଳଦେଈ ହନ୍ତାଳ ଏବଂ ମଙ୍ଗୁଳି ମାଝୀ ମାଛ ଧରିବାକୁ ଯାଉଥିଲେ। ଜଙ୍ଗଲ ରାସ୍ତାରେ ଯିବା ସମୟରେ ଗୋଟିଏ ଗଛ ତଳେ ଶିଶୁକନ୍ୟା ଶୋଇଥିବା ଦେଖିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ବି ସେଠାକୁ କେହି ଆସିନଥିଲେ। ଯାହା ଉଭୟଙ୍କୁ ଚକିତ କରିଥିଲା, ତେବେ ହିଂସ୍ରଜନ୍ତୁଙ୍କ ଭୟ ରହିଥିବାରୁ ଶିଶୁକନ୍ୟାକୁ ନିଜ ଘରକୁ ନେଇଆସିଥିଲେ। ପ୍ରାୟ ୪ଦିନ ଧରି ନିଜ ଘରେ ରଖି ଯତ୍ନ ନେଇଥିଲେ। ଏହାରି ଭିତରେ ଶିଶୁକନ୍ୟାକୁ ଖୋଜାଖୋଜି କରି କେହି ଗାଁକୁ ଆସିନଥିଲେ। ଶିଶୁକନ୍ୟା ଅଧିକାଂଶ ସମୟ ଶୋଇ ରହୁଛି। ଚାଲିପାରୁ ନଥିବା ବେଳେ କଥା ମଧ୍ୟ କରିପାରୁନି। ଦିବ୍ୟାଙ୍ଗ ହୋଇଥିବାରୁ ବାପା, ମା’ଙ୍କ ପାଇଁ କାଳେ ବୋଝ ପାଲଟି ଯାଇଥିଲା। ଏହି କାରଣରୁ ଏଭଳି ନିର୍ଦୟ କାମ କରିଥିବା ଅନୁମାନ କରାଯାଉଛି। ବନ୍ୟଜନ୍ତୁଙ୍କ ଶିକାର ପାଇଁ ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ ବୋଲି କୁହାଯାଉଛି। ଶିଶୁକନ୍ୟାର ଅବସ୍ଥା ସଂପର୍କରେ ଜଣାଇବା ନିମନ୍ତେ ଉଦ୍ଧାର କରିଥିବା ଦୁଇ ମହିଳା ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ। ଜିଲ୍ଲାପାଳ ସଚିନ ପାଵାର ଶିଶୁକନ୍ୟାକୁ ଦେଖି ତୁରନ୍ତ ପଦକ୍ଷେପ ନେବାକୁ ସିଡିଏମ୍‌ଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର