ଭୁବନେଶ୍ବର: ସବୁ ଗାଁରେ ପାଇପ୍ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି। ହେଲେ ଗାଁ ଗାଁରେ ପାଣିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ତାହା ଆଜି ବିଧାନସଭାର ଶୂନ୍ୟକାଳରୁ ଜଣାପଡ଼ିଯାଇଛି। ବିରୋଧୀ ବିଜେପି, କଂଗ୍ରେସ ବିଧାୟକଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ବିଧାୟକଙ୍କ ପର୍ଯ୍ୟନ୍ତ ପ୍ରାୟ ୧୧ଜଣ ବିଧାୟକ ଆଜି ସେମାନଙ୍କ ଅଞ୍ଚଳରେ ପାଣି ପାଇଁ କିପରି ଲୋକ ହଇରାଣ ହେଉଛନ୍ତି ତାହା ବଖାଣିଛନ୍ତି। ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ପାଇଁ କରୁଥିବା ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ଅବଧି ପରେ ବି ସରିନଥିବାରୁ ଏହା କେବେ ସରିବ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଧାୟକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣମନ୍ତ୍ରୀ ପ୍ରଦୀପ କୁମାର ଅମାତ ଦେଇଥିଲେ ବି ୨୦୨୫ ସୁଦ୍ଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ ବୋଲି ମନ୍ତ୍ରୀ କହିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀ ଛେଣ୍ଡିପଦାରେ ପାନୀୟ ଜଳଯୋଗାଣ ନେଇ ଥିବା ସମସ୍ୟା ବିଷୟରେ ପଚାରିଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ ଶ୍ରୀ ଅମାତ ଦେଇଥିଲେ। ହେଲେ ଶ୍ରୀ ବେହେରା କହିଥିଲେ ଡିଏମ୍‌ଫ୍ ପାଣ୍ଠିରେ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ ହେଉଛି ତା’ର ପାଇପ୍ ଲାଇନ୍ ଯେଉଁ ଦୁଇଟି ପଞ୍ଚାୟତ ଦେଇ ଯାଇଛି ସେଠାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନି? ୨୦୧୯ରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ବି ୫ବର୍ଷରେ ଏହା ଶେଷ ହେଲାନି? କେବେ ସରିବ?

ବିଧାୟକ ସମୀର ରଂଜନ ଦାଶ କହିଥିଲେ ଏବେଠୁ ପ୍ରବଳ ଖରା ହେଲାଣି, ଆଗକୁ ଆହୁରି ଖରା ବଢ଼ିବ। ହେଲେ ଯେଉଁ ସଂସ୍ଥାଗୁଡ଼ିକ ପାନୀୟ ଜଳ ଯୋଗାଇବାକୁ କାମ ନେଇଛନ୍ତି ସେମାନେ ବହୁତ ମନ୍ଥର କାମ କରୁଛନ୍ତି। କୁଆଁପଡ଼ା ପଞ୍ଚାୟତ ଦେଇ ପାଇପ ଲାଇନ୍ ଯାଉଥିଲେ ବି ସେଠାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନି। ବିଧାୟକ ସୁଧାଂଶୁ ଶେଖର ପରିଡ଼ା ରେମୁଣା ଅଞ୍ଚଳରେ କିପରି ଫ୍ଲୋରାଇଡ ଓ ଲବଣାକ୍ତ ପାଣି ଆସୁଛି ଓ ଲୋକମାନେ ସମସ୍ୟା ଭୋଗୁଛନ୍ତି କହିଥିଲେ। ନରସିଂହ ମିଶ୍ର ପଚାରିଥିଲେ ସାରା ରାଜ୍ୟରେ କେବେ ସବୁ ଗାଁକୁ ପାନୀୟ ଜଳ ଯୋଗାଣ ହେବ?

ମୋହନ ଚରଣ ମାଝୀ କହିଥିଲେ ୭ବର୍ଷ ହେଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେଉଥିଲେ ବି ଏବେ ସୁଦ୍ଧା ୩୩% ଗାଁକୁ ପାନୀୟ ଜଳ ଯୋଗାଣ ହୋଇଛି। ୨୦୨୪ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ ବୋଲି ସରକାର କହୁଛନ୍ତି। ବର୍ଷକରେ କିପରି ୭୦% ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରିବେ?
ନୃସିଂହ ଚରଣ ସାହୁ କହିଥିଲେ ଜଳକ୍ଲୀଷ୍ଟ ଅଞ୍ଚଳରେ ଖରାଦିନେ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରିବାକୁ ପଞ୍ଚାୟତକୁ ଅନୁଦାନ ମିଳୁଥିଲା। ହେଲେ ଏବେ ତାହା ବନ୍ଦ ହୋଇଯାଇଛି। କିପରି ଖରାଦିନେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହେବ?

ପ୍ରଫୁଲ ସାମଲ ବଅଁର ବ୍ଲକରେ ପାନୀୟ ଜଳ ଯୋଗାଣ ନେଇ ଥିବା ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସୁକାନ୍ତ କୁମାର ନାୟକ ତରତରିରେ ଦେଖାଯାଉଥିବା ପିଇବା ପାଣି ସମସ୍ୟା ଉପରେ କହିଥିଲେ। ଜ୍ୟେତି ପାଣିଗ୍ରାହୀ ରାଜ୍ୟରେ କେତୋଟି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଛି କେବେ ସୁଦ୍ଧା ସରିବ ସେନେଇ ପ୍ରଶ୍ନ କରିଥିଲେ। ଅଶୋକ କୁମାର ବଳ କହିଥିଲେ କୋରେଇରେ ଟେଣ୍ଡର ଅବଧି ଭିତରେ ପାନୀୟ ଜଳ ପ୍ରକଳ୍ପ ଶେଷ ହେଉନି। ଯେଉଁଠି ଟ୍ୟୁବୱେଲ୍‌ ଖରାପ ହୋଇପଡ଼ିଛି ସେଠାରେ ନୂଆ ଟ୍ୟୁବୱେଲ ବସାଯାଉନି, ଯେଉଁଠି ଟ୍ୟୁବୱେଲ ବସିଛି ତା’ର ବିଲ୍‌ ହେଉନି। ଏମିତି ହେଲେ କେମିତି ଲୋକଙ୍କୁ କୁସୁମ ଟେଟେ କହିଥିଲେ କେନ୍ଦ୍ର ସରକାର ଜଳ ଜୀବନ ମିସନରେ ଅର୍ଥ ଦେଉଥିଲେ ବି ରାଜ୍ୟ ସରକାର କହୁଛନ୍ତି ସୁନ୍ଦରଗଡ଼ରେ ପାନୀୟ ଜଳ ଯୋଗାଣରେ କେନ୍ଦ୍ର ସରକାରଙ୍କ ଅନୁଦାନ ମିଳିନି। ଏହା ସଂପୂର୍ଣ୍ଣ ମିଛ। ବିଧାୟକମାନେ ଏହିଭଳି ଭାବେ ସେମାନଙ୍କ ଅଞ୍ଚଳରେ ଥିବା ପାନୀୟ ଜଳ ସମସ୍ୟା, ଦୀର୍ଘ ଦିନ ଧରି ଚାଲିଥିବା ପାଇପ୍ ବିଛା କାମ, ଧାର୍ଯ୍ୟ ସମୟରେ କାମ ସରୁନଥିବାରୁ ବଢ଼ୁଥିବା ଜନଅସନ୍ତୋଷ ନେଇ କହିଥିଲେ।
ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ, ରାଜ୍ୟରେ ୩୩ହଜାର କୋଟି ବ୍ୟୟରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେଉଥିବାବେଳେ ଏଥିରୁ ୧୯୧ଟି ନିର୍ମାଣାଧୀନ ଅଛି। ୧୬ଟି ନିର୍ମାଣ ସରିଛି। ୨୫ଟି ମାର୍ଚ୍ଚ, ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଅଧିକାଂଶ ପ୍ରକଳ୍ପକୁ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ବହୁ ସ୍ଥାନରେ ଜାଗା ସମସ୍ୟା, ଜଳ ଉତ୍ସ ସମସ୍ୟାରୁ ପ୍ରକଳ୍ପ କାମ ଆଗେଇ ପାରୁନି। ସେଗୁଡ଼ିକ ୨୦୨୫ରେ ଶେଷ ହେବ। ରାଜ୍ୟ ସରକାର ପ୍ରତି ୭୦ଜଣରେ ଗୋଟିଏ ନଳକୂପ ବସାଇ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରୁଛନ୍ତି। ଯେଉଁଠି ନଳକୂପ ଖରାପ ହୋଇଛି ତାହାକୁ ମରାମତି କରିବା କିମ୍ବା ନୂଆ ନଳକୂପ ବସାଇବାକୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।