ଜଗମୋହନପୁର : ତେଲକୋଇ ବ୍ଲକ୍ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ବଜାରରେ ଥିବା ଏକ ହୋଟେଲ ଭିତରକୁ ଗତକାଲି ବିଳମ୍ବିତ ରାତିରେ ଏକ କମଳା ବୋଝେଇ ଟ୍ରକ୍ ପଶିଯାଇଥିଲା। ହୋଟେଲରେ ଶୋଇଥିବା ମାଲିକ ପଦୁ ସ୍ବାଇଁ ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ କମଳା ବୋଝେଇ ଟ୍ରକ୍ (ଡବ୍ଲ୍ୟୁବି-୨୫-ଜେ-୮୯୩୭) ସମ୍ବଲପୁର ପଟୁ ଦ୍ରୁତଗତିରେ ଆସୁଥିଲା। ଜଗମୋହନପୁର ବଜାରରେ ଥିବା ହମ୍ପସ୍ ପାର ହେବା ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାଡ଼କରେ ଥିବା ସଞ୍ଜୟ ନାୟକଙ୍କ ପାନ ଦୋକାନକୁ ପ୍ରଥମେ ଧକ୍କା ଦେଇ ହୋଟେଲ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ଉଭୟ ପାନ ଦୋକାନ ଏବଂ ହୋଟେଲ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଟ୍ରକ୍ର କ୍ୟାବିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ହମ୍ପସ ପୂର୍ବରୁ କୌଣସି ସତର୍କ ସୂଚନାଫଳକ ନଥିବାରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।