ଟେନିସ୍‌ କୋର୍ଟରେ ବଲ୍‌ ଗୋଟାଉଥିଲେ, ଏବେ ତାରକା

ଉଦୀୟମାନ ଟେନିସ ତାରକା ରବି ନାରାୟଣ

ରାଉରକେଲା: ଅବସର ବିନୋଦନ ପାଇଁ କିଛି ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଟେନିସ ଖେଳୁଥିଲେ। ସେମାନଙ୍କୁ ଦୂରରୁ ଦେଖୁଥିଲେ। ବଲ୍‌ କୋର୍ଟ ବାହାରକୁ ପଲାଇଆସିଲେ ତାକୁ ଗୋଟାଇ ପୁଣି କୋର୍ଟ ଭିତରକୁ ପଠାଉଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଜଣେ ନିୟମିତ ବଲ୍‌ ବୟ ପାଲଟିଗଲେ। ଏମିତିକି କେବେ କେମିତି ଅନ୍ୟମାନଙ୍କର ରୢାକେଟ୍‌ରେ କିଛି ସମୟ ପାଇଁ ଖେଳୁଥିଲେ। ତାଙ୍କର ଟେନିସ୍‌ ପ୍ରତି ଆକର୍ଷଣକୁ କିନ୍ତୁ ଅନ୍ୟମାନେ ଠଉରାଇନେଇଥିଲେ। ପରେ ଏକ ପ୍ରତିଯୋଗିତାରେ ଖେଳିବାକୁ ଆବଶ୍ୟକୀୟ ଉପକରଣ, ଅର୍ଥ ଯୋଗାଡ଼ କରିଦେଲେ। ବାସ୍‌ ସେବେଠାରୁ ଆରମ୍ଭ ହୋଇଥିବା ଟେନିସ୍‌ ଯାତ୍ରାରେ ଆଉ ବିରାମ ଲାଗିନି। ଗୋଟିଏପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି ରାଉରକେଲାର ୧୭ ବର୍ଷୀୟ ଯୁବ ଉଦୀୟମାନ ଟେନିସ୍‌ ତାରକା ରବି ନାରାୟଣ ସାହୁ।

ରବିଙ୍କ ବାପା ଜୟ ନାରାୟଣ ସାହୁ ପୁଲିସ୍‌ ହୋମ୍‌ଗାର୍ଡ‌୍ ଭାବେ କାର୍ଯ୍ୟରତ ଥିବାବେଳେ ମା’ ଲକ୍ଷ୍ମୀ ସାହୁ ଗୃହିଣୀ ଓ ତିନି ଭଉଣୀ। ପରିବାର ସେକ୍ଟର-୧୫ ଆନନ୍ଦ ବସ୍ତିରେ ରୁହନ୍ତି। ରବିଙ୍କୁ ସେତେବେଳକୁ ୧୨ ବର୍ଷ। ବାପା ସେକ୍ଟର-୯ ସ୍ଥିତ ଟେନିସ୍‌ କୋର୍ଟ ପାଖରେ କାର୍ଯ୍ୟରତ ଥିବାବେଳେ ସେଠାକୁ ରବି ଯିବା ଆସିବା କରୁଥିଲେ। ଉକ୍ତ କୋର୍ଟରେ ରାଉରକେଲା ଟେନିସ୍‌ ଆସୋସିଏସନର ବରିଷ୍ଠ କର୍ମକର୍ତା ନିୟମିତ ପ୍ରାକ୍ଟିସ କରୁଥିବାବେଳେ ତାକୁ ଦୂରରୁ ଥାଇ ଦେଖୁଥିଲେ ରବି। ପରବର୍ତ୍ତୀ ସମୟରେ ରବି ସେଠାରେ ଜଣେ ନିୟମିତ ବଲ ବୟ ପାଲଟିଯାଇଥିଲେ। ଯଦି କୌଣସି ସଦସ୍ୟ ଅନୁପସ୍ଥିତ ରୁହନ୍ତି, ତା’ହେଲେ ସ୍ଥାନ ପୂରଣ କରିବାକୁ କିଛି ସମୟ ପାଇଁ ଖେଳିବାର ସୁଯୋଗ ବି ଜୁଟୁଥିଲା। ତେବେ ରବିଙ୍କ ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନିସାରିଥିଲେ ସଂଘର କର୍ମକର୍ତା। ୨୦୧୪ ମସିହାରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୬ତମ ନାଲକୋ ଓପନ ଅଲ୍‌ ଓଡ଼ିଶା ଟେନିସ ପ୍ରତିଯୋଗିତାରେ ୧୨ ବର୍ଷରୁ କମ୍‌ ବର୍ଗରେ ଭାଗନେଇ ଏକକ ବର୍ଗରେ ଦ୍ବିତୀୟ ସ୍ଥାନରେ ରହିଥିଲେ।

ବିନା କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ସତ୍ତ୍ବେ ପ୍ରଥମ ପଦାର୍ପଣରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ତେବେ ଏହି ପ୍ରତିଯୋଗିତାରେ ସାମିଲ ହେବା, ଏତେ ସହଜ ନଥିଲା। ଉକ୍ତ ପ୍ରତିଯୋଗିତାରେ ଖେଳିବାକୁ ସଂଘ କର୍ମକର୍ତା ଉତ୍ସାହିତ କରିଥିଲେ। ବାପାଙ୍କ ସ୍ବଳ୍ପ ଦରମାରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିଥିବାବେଳେ ଟେନିସ୍‌ ଭଳି ଆଭିଜାତ୍ୟ ତଥା ବ୍ୟୟବହୁଳ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବାକୁ ପଛଘୁଞ୍ଚା ଦେଇଥିଲେ। ତେବେ ସଂଘ କର୍ମକର୍ତା ହିଁ ଟେନିସ୍‌ ରୢାକେଟ୍‌, ଜୋତା ଯୋଗାଇବା ସହ ଆର୍ଥିକ ସହାୟତା ଦେଇଥିଲା।

ଏହାପରଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି ରବି। ପରବର୍ତ୍ତୀ ସମୟରେ ୧୮ତମ ନାଲ୍‌କୋ ଓପନ ଟେନିସ ପ୍ରତିଯୋଗିତା(୨୦୧୬)ରେ ଦ୍ବିତୀୟ ସ୍ଥାନ, ଉତ୍କଳ ଓପନ୍‌ ଚାମ୍ପିଅନସିପ୍‌(୨୦୧୭)ରେ ୧୪ ବର୍ଷରୁ କମ୍‌ ବର୍ଗର ସେମିଫାଇନାଲ ପ୍ରବେଶ, ୨୦୧୮ରେ ସିଙ୍ଗଲ୍‌ସରେ ଚାମ୍ପିଅନ, ମେଣ୍ଢାଶାଳରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ରେ ୧୪ ବର୍ଷରୁ କମ୍‌ ବର୍ଗର ଏକକରେ ଚାମ୍ପିଅନ ଓ ଯୁଗଳରେ ସେମିଫାଇନାଲ ପ୍ରବେଶ, ୨୦୧୬ରେ ଛତିଶଗଡ଼ରେ ଅନୁଷ୍ଠିତ ଅଳ୍‌ଇଣ୍ଡିଆ ଟେନିସ ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ବର୍ଗରେ ଦ୍ବିତୀୟ ସ୍ଥାନ, ମେଣ୍ଢାଶାଳରେ ଅନୁଷ୍ଠିତ ଗୁରୁକୁଳ ଜୁନିଅର ଟେନିସ ଚାମ୍ପିଅନସିପ୍‌(୨୦୧୯) ୧୬ ବର୍ଷରୁ କମ୍‌ ଏକକ ଓ ଯୁଗଳରେ ଚାମ୍ପିଅନ୍‌, ୧୪ ବର୍ଷରୁ କମ୍‌ ଏସିଆନ ରୢାଙ୍କିଂ ଟେନିସ ଚାମ୍ପିଅନସିପ୍‌(୨୦୧୮)ର ଏକକ ବର୍ଗରେ ୧୭ତମ ସ୍ଥାନ ଓ ଯୁଗଳରେ ୧୬ତମ ସ୍ଥାନରେ ରହିଥିଲେ।

ନିକଟ ଅତିତରେ ହରିୟାଣାର କର୍ଣ୍ଣାଲ୍‌ରେ ଅନୁଷ୍ଠିତ ଏଆଇଟିଏ ନ୍ୟାସନାଲ ଚାମ୍ପିଅନ ସିରିଜ୍‌ର ୧୮ରୁ କମ୍‌ ଏକକ ବର୍ଗରେ ବିଜେତା ଓ ଯୁଗଳ ବର୍ଗରେ ଉପବିଜେତା ହୋଇଥିଲେ। ସଂପ୍ରତି ସେ କର୍ଣ୍ଣାଲ୍‌ ସ୍ଥିତ ଚାମୁଣ୍ଡା ଟେନିସ ଏକାଡେମୀରେ କୋଚ୍‌ ମୟଙ୍କ କ୍ରିଷ୍ଣାତ୍ରେଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। କିଛି ମାସ ପୂର୍ବେ  ସେ ଚାମୁଣ୍ଡା ସ୍ପୋର୍ଟ‌୍ସ ଫାଉଣ୍ଡେସନ ଟ୍ରଷ୍ଟର୍‌ର ଅକ୍ଷ୍ୟୟ ଜେ.କେ. ଶର୍ମାଙ୍କ ନେତୃତ୍ବରେ ଅନୁଷ୍ଠିତ ଟ୍ୟାଲେଣ୍ଟ୍‌ ହଣ୍ଟ୍‌ କାର୍ଯ୍ୟକ୍ରମରେ ଉନ୍ନତ ପ୍ରଦର୍ଶନ କରି ଏକାଡେମୀରେ ଦାଖଲ ହୋଇଥିଲେ।

ଗୋଟିଏପଟେ ଆର୍ଥିକ ସମସ୍ୟା ଲାଗିରହିଥିଲେ ମଧ୍ୟ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି ରବି। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ଫିନେସ୍ତା ନ୍ୟାସନାଲ ପ୍ରତିଯୋଗିତାରେ ସଫଳତା ଦୋହରାଇବା ଲକ୍ଷ୍ୟରେ କଡ଼ା ଅଭ୍ୟାସ ଜାରି ରଖିଛନ୍ତି। ପ୍ରତିକ୍ରିୟାରେ ରବି କହିଛନ୍ତି, ଟେନିସ ଏକ ବ୍ୟୟବହୁଳ କ୍ରୀଡ଼ା। ଏଥିପାଇଁ ଭଲଜୋତା, ଭଲ ରୢାକେଟ୍‌ ଆବଶ୍ୟକ। ମାସକରେ ଜୋତା ଫାଟିଯାଉଥିବାବେଳେ ନିୟମିତ ବ୍ୟବଧାନରେ ରୢାକେଟ୍‌ର ଷ୍ଟ୍ରିଙ୍ଗ୍‌ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ତେବେ ଏହି କ୍ଷେତ୍ରରେ କିଛି କରିବାର ଦୃଢ଼ ମନସ୍ଥ ଥିଲି।

ଏଣୁ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ସମ୍ମୁଖୀନ  କଲି। କ୍ରୀଡ଼ା ଜୀବନର ପ୍ରତିଟି କ୍ଷେତ୍ରରେ ବାପା-ମା, ଭଉଣୀଙ୍କ ସମେତ ରାଉରକେଲା ଟେନିସ ଆସୋସିଏସନର ଆକୁଣ୍ଠ ସମର୍ଥନ ରହିଛି। ଏହାସହ ରାଉରକେଲା ସ୍ପୋର୍ଟ‌୍ସ ଆସୋସିଏସନ(ଆର୍‌ଏସ୍‌ଏ) ପକ୍ଷରୁ କ୍ରୀଡ଼ା ବୃତ୍ତି ବି ମିଳିଥିଲା; ଯାହାକି ଉଭୟ ଆର୍ଥିକ ଓ ମାନସିକ ସ୍ତରରେ ବଳ ଯୋଗାଇଥିଲା। ନୂଆ କୀର୍ତ୍ତିୀମାନ ସ୍ଥାପନ କରି ଜନ୍ମମାଟି ପାଇଁ ଗୌରବ ଆଣିବାକୁ ନିଷ୍ଠାପର ପରିଶ୍ରମ ଜାରି ରଖିବିବୋଲି କହିଛନ୍ତି।

ସମ୍ବନ୍ଧିତ ଖବର