ଗାନ୍ଧୀଙ୍କୁ ଦେଖିବା ପାଇଁ ଚାଲିଥିଲେ ଦେଢ଼ଶହ କିମି

ପାଳଲହଡ଼ା : ଭାରତ ସ୍ୱାଧୀନତା ଲାଭର ୭୫ ବର୍ଷପୂର୍ତ୍ତି ପାଳନ କରୁଥିବାବେଳେ ପ‌ାଳଲହଡ଼ା ବ୍ଲକ୍‌ ନାଇକାଣିପାଲି ଗାଁର ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ପ୍ରଧାନ ସ୍ବାଧୀନତା ଆନ୍ଦୋଳନ ସମୟର ସ୍ମୃତିଚାରଣକରି ପୁଲକିତ ହୋଇଛନ୍ତି। ସ୍ବାଧୀନତା ଆନ୍ଦୋଳନର ପୁରୋଧା ମହାତ୍ମା ଗାନ୍ଧୀଙ୍କୁ ଦେଖିବା ପାଇଁ ଶ୍ରୀ ପ୍ରଧାନ ବାଳକ ବୟସରେ ଯେଉଁ ଦୁଃସାହସିକ ଯାତ୍ରା କରିଥିଲେ ‘ସମ୍ବାଦ’କୁ ସାକ୍ଷାତକାର ଦେବା ଅବସରରେ ତାହାର ରୋମନ୍ଥନ କରିଛନ୍ତି।

ଶ୍ରୀ ପ୍ରଧାନ କହିବା ମୁତାବକ, ମହାତ୍ମା ଗାନ୍ଧୀ ସମ୍ବଲପୁର ଆସିବେ ଶୁଣିବା ପରେ ତାଙ୍କୁ ଦେଖିବା ପାଇଁ ତାଙ୍କ ସ୍କୁଲ୍‌ର ଛାତ୍ରମାନେ ଉତ୍କଣ୍ଠିତ ହୋଇପଡ଼ିଥିଲେ। ଶ୍ରୀ ପ୍ରଧାନଙ୍କ ଘର ଦେବଗଡ଼ ଜିଲ୍ଲା ଗୋଗୁଆ ପଞ୍ଚାୟତ ଚାରିମଞ୍ଚା ଗାଁରେ । ରେଙ୍ଗାଳି ଜଳଭଣ୍ଡାର ଯୋଗୁଁ ତାଙ୍କ ଗାଁ ବିସ୍ଥାପିତ ହେବାରୁ ୧୯ ୮୦ ମସିହାରୁ ସେ ପାଳଲହଡ଼ା ନାଇକାଣିପାଲି ଗାଁରେ ବାସକରୁଛନ୍ତି। ଏବେ ତାଙ୍କ ବୟସ ପାଖାପାଖି ୮୮ ବର୍ଷ। ଗୋଗୁଆ ସ୍କୁଲ୍‌‌ରେ ସେ ଯେତେବେଳେ ୪ର୍ଥ ଶ୍ରେଣୀରେ ପଢ଼ୁଥିଲେ, ସେହି ସମୟରେ ମହାତ୍ମାଗାନ୍ଧୀ ସମ୍ବଲପୁର ଆସିଥିଲେ। ଗୋଗୁଆରୁ ସମ୍ବଲପୁର ପ୍ରାୟ ଦେଢ଼ଶହ କିଲୋମିଟର ଦୂର। ମହାତ୍ମା ଗାନ୍ଧୀଙ୍କୁ ଦେଖିବା ପାଇଁ ସେମାନେ ୩୦ ଜଣ ଛାତ୍ର ସମ୍ବଲପୁର ବାହାରିଥିଲେ। ହାତରେ ଠେଙ୍ଗା, ମୁଣ୍ଡରେ ଡେକ୍‌ଚି, ଗଣ୍ଠିଲିରେ ଚାଉଳ, ପିଆଜ, ଖଟା ଧରି ଚାଲି ଚାଲିଯାଇ ସମ୍ବଲପୁର ବଡ଼ବାହାଳରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ। ଦେବଗଡ଼ର ତତ୍କାଳୀନ ରାଜାସାହେବ ଭାନୁଗଙ୍ଗ ତ୍ରିଭୁବନଦେବଙ୍କ ନିର୍ଦ୍ଦେଶରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଛାତ୍ରମାନେ ତାହାକୁ ଏଡ଼ାଇ ଗାନ୍ଧୀଜୀଙ୍କୁ ଭେଟିପାରିଥିଲେ।

ଆଣ୍ଠୁ ଯାଏଁ ଖଦଡ଼ ଲୁଗା ପିନ୍ଧିଥିବା, ଗାମୁଛାଟିଏ କାନ୍ଧରେ ପକାଇଥିବା ମହାତ୍ମା ଗାନ୍ଧୀ ଛାତ୍ରମାନଙ୍କ ଗହଣରେ ବସି ଭାରତର ସ୍ବାଧୀନତା ପାଇଁ ସ୍ଲୋଗାନ୍‌ ଦେଇଥିଲେ। ‘ଇନ୍‌ କିଲାବ୍‌ ଜିନ୍ଦାବାଦ୍‌, ଭାରତ ମାତା କୀ ଜୟ, ହମ୍‌ ନେହିଁ ଚାହତେ ଇଂରେଜ ରାଜ, ଲଡ଼କା ଲଡ଼କୀ କରୋ ଆଓ୍ବାଜ’ ବୋଲି ସେ ଆହ୍ବାନ କରିଥିଲେ। ଓଡ଼ିଆରେ ତାଙ୍କ ସ୍ଲୋଗାନ ଥିଲା ‘ଢେଙ୍କିକୁଟା ଚାଉଳ ଖାଦ୍ୟ ହେବ ମୋହର, ହାତକଟା ସୂତା ପୋଷାକ ମୋର, ମୋ ଗାଁର ମକଦ୍ଦମା ନ ନେବି କଚେରି ଥାନା, ବିନା ଖରଚରେ ବୁଝିବେ ଗ୍ରାମ ପଞ୍ଚାୟତ ମୋର।’ ମହାତ୍ମା ଗାନ୍ଧୀ ଅଣ୍ଟାରେ ଘଣ୍ଟାଟିଏ ଓହଲାଇଥିଲେ। ‘ଆପଣ କାହିଁକି ଘଣ୍ଟା ଓହଳାଇଛନ୍ତି?’ ଏହା ପଚାରିବାରୁ ସେ ତାଙ୍କ ପିଠି ଆଉଁଶିଦେଇ କହିଲେ ‘ ଘଣ୍ଟା ଓହଳାଇବା ଆମ ଆଦର୍ଶ। ତୁମମାନଙ୍କ ଲଢ଼େଇରେ ଯେଉଁଦିନ ଭାରତ ସ୍ବାଧୀନ ହେବ ତୁମେ ସେଦିନ ହାତରେ ପିନ୍ଧିବ ଘଣ୍ଟା।’ ତାଙ୍କୁ ଦେଖିବାକୁ ହଜାର ହଜାର ଆଦିବାସୀ , ସ୍ବାଧୀନତା ସଂଗ୍ରାମୀ ଆସିଥିଲେ। ଯେତେବେଳେ ତାଙ୍କୁ ଖାଦ୍ୟ ଦିଆଯାଇଥିଲା, ତାହା ନଖା‌ଇ ଆ‌ଦିବାସୀମାନେ ଆଣିଥିବା ଫଳମୂଳ ଖାଇଥିଲେ ବାପୁ।

ଶ୍ରୀ ପ୍ରଧାନ ୧୯୫୫ ମସିହାରେ ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ଚାକିରି ଆରମ୍ଭକରି ୧୯୮୯ ମସିହାରେ ଅବସର ନେଇଛନ୍ତି। ଚାକିରି ଆରମ୍ଭ କରିବା ପର୍ଯ୍ୟନ୍ତ ସେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରୁଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଉଥିଲେ। ଏବେ ଭାରତ ବହୁ ଆଗକୁ ଯାଇଛି। ଖାଦ୍ୟଶସ୍ୟର ଅଭାବ ନାହିଁ। ବିଜ୍ଞାନ, ପ୍ରତିରକ୍ଷା ‌କ୍ଷେତ୍ରରେ ଦେଶ ଅନେକ ଆଗରେ। କିନ୍ତୁ ଲୋକମାନଙ୍କର ଅହଂକାର ଯୋଗୁଁ ସମାଜରେ ଶାନ୍ତି ନାହିଁ। ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁଦିନ ଅଧରାତିରେ ଜଣେ ମହିଳା ନିର୍ଭୀକ ଭାବେ ରାଜରାସ୍ତାରେ ଯାଇପାରିବେ, ଆମେ ଠିକ୍‌ ସ୍ବାଧୀନତା ପାଇଛେ ବୋଲି ସେହିଦିନ ଜାଣିବା। ଏବେ ଦିନବେଳେ ସୁଦ୍ଧା ନାରୀ ସୁରକ୍ଷିତ ନୁହେଁ। ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟର ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଆଜିର ଯୁବପିଢ଼ି ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର