୧୬ ବର୍ଷ ପୁଲିସ କନେଷ୍ଟବଳ ଥିଲେ, ଏବେ କଲେଜ ଅଧ୍ୟାପକ ହେଲେ

ଯୋଗଦାନ ପରେ ଭବ୍ୟ ସମ୍ବର୍ଦ୍ଧନା

ଏସ୍‌. ରାମପୁର: ସେ ଥିଲେ ଜଣେ ପୁଲିସ କନେଷ୍ଟବଳ। ୨୨ ଡିସେମ୍ବର ୨୦୦୬ରେ ଆରମ୍ଭ କରିଥିଲେ ଚାକିରି ଜୀବନ। ୧୬ ବର୍ଷରୁ ଅଧିକ କାଳ ଧରି ପୁଲିସ ବିଭାଗରେ ଚାକିରି କରିବା ପରେ ବି କିଛି ବଡ଼ କରି ଦେଖାଇବା ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନଥିଲେ। ଆଉ ଶେଷରେ ତା’ଙ୍କ ପରିଶ୍ରମକୁ ମିଳିଛି ସ୍ବୀକୃତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ ଡିଗ୍ରି କଲେଜରେ ଓଡ଼ିଆ ଅଧ୍ୟାପକ ଭାବରେ ତା’ଙ୍କୁ ମିଳିଛି ନିଯୁକ୍ତି। ନାଁ ତାଙ୍କର ଲମ୍ବୋଦର ପ୍ରଧାନ। ଅତୀତରେ ୨୦୧୬ ପରଠାରୁ ବିଶିଷ୍ଟ ରାଜନେତା ନରସିଂହ ମିଶ୍ରଙ୍କ ପିଏସ୍‌ଓ ଭାବରେ ନିଯୁକ୍ତ ଥିଲେ ଲମ୍ବୋଦର।

ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଖାଲି ସେତିକି ନୁହେଁ, ନେଟ୍ ଯୋଗ୍ୟତା ହାସଲ କରିବା ସାଙ୍ଗକୁ ‘ଜୁନିଅର ରିସର୍ଚ୍ଚ ଫେଲୋସିପ୍’ ମଧ୍ୟ ପାଇଥିଲେ। ତା’ ସହିତ ରାଜ୍ୟ ସିଲେକ୍ସନ ବୋର୍ଡର ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ବି ହେଲେ। ଆଉ ଚଳିତ ମାସରେ ଓଡ଼ିଆ ଅଧ୍ୟାପକ ଭାବରେ ଶ୍ରୀରାମ ଡିଗ୍ରି ମହାବିଦ୍ୟାଳୟରେ ଯୋଗଦେଲେ। ତାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ନିଜ ପରିଶ୍ରମ କଥା ବର୍ଣ୍ଣନା କରି ଭାବବିହ୍ବଳ ହୋଇଥିଲେ ଲମ୍ବୋଦର। ଉତ୍ସବରେ ବିଭାଗୀୟ ମୁଖ୍ୟ ଡ. ଲିଙ୍ଗରାଜ ସାହୁ ସଭାପତିତ୍ବ କରିଥିଲେ। ଅଧ୍ୟାପକ ଟିକେଚାନ୍ଦ ବାଗ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପିକା ପ୍ରଜ୍ଞାସିନୀ ସାହୁ ଧନ୍ୟବାଦ ଦେଇଥିଲେ। କର୍ମଚାରୀ ସୁରେଶ ମେହେର ଓ ଭବାନୀଶଙ୍କର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର