୧୫ ବର୍ଷ ସଜା କାଟିବା ପରେ ନିର୍ଦୋଷରେ ଖଲାସ

୩ ଜେଲରେ ଭିନ୍ନ ଅନୁଭବ, କାହିଁକି ଏ ବିଳମ୍ବିତ ନ୍ୟାୟ

ଭୁବନେଶ୍ବର : ଦୀର୍ଘ ୧୫ ବର୍ଷ ଜେଲରେ ସଜା କାଟିବା ପରେ ନିର୍ଦୋଷରେ ଖଲାସ ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର ମଞ୍ଜୁଲତା ମୁଦୁଲି (୩୬)। ରାଷ୍ଟ୍ର ବିରୋଧରେ ଯୁଦ୍ଧ ଘୋଷଣା ସମେତ ବିଭିନ୍ନ ପ୍ରକାର ମାମଲାକୁ ନେଇ ମାତ୍ର ୨୧ ବର୍ଷରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପର୍ଯ୍ୟାୟକ୍ର‌ମେ ଭଞ୍ଜନଗର, ବ୍ରହ୍ମପୁର ଏବଂ ନୟାଗଡ଼ ଜେଲରେ ରଖିଥିଲା। ଜେଲ୍‌ ରହଣି ମଧ୍ୟରେ ମଞ୍ଜୁଲତାଙ୍କ ବାପାଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇସାରିଛି। ମା’ ରୁଗ୍‌ଣ ହୋଇପଡ଼ିଛନ୍ତି। ଗାଁ ଚିତ୍ର ମଧ୍ୟ ବଦଳି ସାରିଛି। ଝିଅ ସାଙ୍ଗ ଗାଁରେ ନାହାନ୍ତି ତ ପୁଅ ସାଙ୍ଗଙ୍କୁ ଚିହ୍ନି ହେଉନି। ଏଭଳି ସ୍ଥିତିରେ ମୁକ୍ତିର ଆନନ୍ଦ ଥିଲେ ବି ଭବିଷ୍ୟତକୁ ନେଇ ଅନିଶ୍ଚିତତା ଥିବା ସେ କହିଛନ୍ତି।

ଯାତ୍ରା କଳାକାର ଶ୍ରୀଧର ଏବଂ ଗୀତାଞ୍ଜଳି ମୁଦୁଲି। ଅନୁସୂଚିତ ଜାତି ବର୍ଗର ଭୂମିହୀନ ଏବଂ ଅଭାବୀ ପରିବାର। ସେମାନଙ୍କ ଦୁଇ ଝିଅ, ପୁଅ ମଧ୍ୟରୁ ବଡ଼ ଝିଅ ମଞ୍ଜୁଲତା ଛୋଟ ବେଳୁ ହିଁ ଗାଁର ଯେକୌଣସି ପ୍ରକାର ଭେଦଭାବ ଏବଂ ଅନ୍ୟାୟକୁ ବରଦାସ୍ତ କରିପାରୁ ନଥିଲେ। ଏପରିକି ସେ ନବମ ଶ୍ରେଣୀ ପଢ଼ୁଥିବା ବେଳେ ଘରେ ବାଲ୍ୟ ବିବାହ କରାଇବା ପାଇଁ ଉଦ୍ୟମ କରୁଥିବା ଜାଣି ୨୦୦୬ ମସିହାରେ ଘର ଛାଡ଼ି ସମ୍ପର୍କୀୟଙ୍କ ପାଖକୁ ଚାଲି ଯାଇଥିଲେ। ଦଶମ ପଢ଼ିବା ସହ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିଲେ।

ମଞ୍ଜୁଲତା କହନ୍ତି, ଅଚାନକ ୨୦୦୮ ମସିହାରେ ଭଞ୍ଜନଗରରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଯାହା ତାଙ୍କ ପାଇଁ ଅସହ୍ୟ ଥିଲା। ପ୍ରଥମେ ତ କିଛି ବୁଝି ହିଁ ପାରି ନଥିଲେ। ଏପରିକି ତାଙ୍କୁ ଲୁହା କଡ଼ିରେ ବାନ୍ଧି ଜେଲରେ ପୂରାଇ ଦିଆଯାଇଥିଲା। ତାଙ୍କ ସହ ଆଉ ୪ ଅଭିଯୁକ୍ତ ଥିଲେ। ସେ ଦିନ ମଞ୍ଜୁଲତା ଜାଣିଲେ ତାଙ୍କ ଉପରେ ମାଓବାଦୀ ଟ୍ୟାଗ୍‌ ଲଗାଯାଇଛି। ୪ ଦିନ ହାଜତରେ ରଖିବା ପରେ ଅଦାଲତରେ ହାଜର କରାଯାଇଥିଲା। ସେଠାରୁ ଭଞ୍ଜନଗର ଜେଲକୁ ଅଣାଯାଇଥିଲା। ମଞ୍ଜୁ କହନ୍ତି, ଏହି ସମୟ ପର୍ଯ୍ୟନ୍ତ କୌଣସି ପ୍ରକାର ନିଜକୁ ସ୍ବାଭାବିକ ରଖିଥିଲେ। କିନ୍ତୁ ଭଞ୍ଜନଗର ଜେଲ୍‌ର ଗୁମ୍ଫା ଭଳି ରାସ୍ତା ଦେଖି ଧୈର୍ଯ୍ୟହରା ହୋଇ କାନ୍ଦି ପକାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଅଜଣା ଦୃଷ୍ଟିହୀନା ବୃଦ୍ଧା ବନ୍ଦିନୀ ମୋ ନାତୁଣୀ ଆସିଲାକି କହି ଏଭଳି କୋଳେଇ ନେଇଥିଲେ ଜୀବନ ତମାମ ସେ ସ୍ପର୍ଶ ଭୁଲି ହେବନାହିଁ। ଏହି ଜେଲରେ ୧୦ରୁ ୧୨ ଅନ୍ତେବାସୀଙ୍କ ସହିତ ୮ ମାସ ରହିବା ପରେ ପହଞ୍ଚିଥିଲେ ବ୍ରହ୍ମପୁର ଜେଲ। ଭଞ୍ଜନଗର ଭଳି ଏଠାରେ କେହି କୋଳେଇ ନଥିଲେ, ବରଂ ପାଖରେ କେହି ଶୁଆଇ ଦିଅନ୍ତି ନାହିଁ। ଗୋଟିଏ ଛୋଟ କକ୍ଷରେ ୧୨-୧୩ ଜଣଙ୍କୁ ଏକାସହ ରହିବାକୁ ହେଉଥିଲା। ୨୦ଜଣଙ୍କ ପାଇଁ ୨ଟି ଶୌଚାଳୟ ରହିଥିଲା। ଅବସ୍ଥା ଅତି ଦୁର୍ବିଷହ ଥିଲେ ମଧ୍ୟ ବ୍ରହ୍ମପୁର ଜେଲରେ ଥିବା ପାଠାଗାର କିନ୍ତୁ କଷ୍ଟ ଭୁଲାଇ ଦେଇଥିବା କହନ୍ତି ମଞ୍ଜୁ।

ଜେଲରେ ରହିବାର ଏକ ବର୍ଷ ପର୍ଯ୍ୟନ୍ତ ବାପା, ମା’ କେହି ଦେଖା କରିବାକୁ ଆସିନଥିଲେ। ପ୍ରଥମ କରି ସାନଭାଇ ହିଁ ତାଙ୍କୁ ଜେଲରେ ଭେଟିଥିଲା। ବ୍ରହ୍ମପୁର ଜେଲରେ ଥିବା ବେଳେ ମାଓବାଦୀ-ପୁଲିସ ଗୁଳି ବିନିମୟ ଏବଂ ଫାଣ୍ଡି ଭଙ୍ଗାରୁଜା ମାମଲାରେ ଭଞ୍ଜନଗର ଏଡିଜେ ତାଙ୍କୁ ନିର୍ଦୋଷରେ ଖଲାସ କରିଥିଲେ।

ଆଶା ଥିଲା, ସେ ଜେଲ ଜୀବନରୁ ମୁକ୍ତି ପାଇବେ। କିନ୍ତୁ ଠିକ୍‌ ବେଳକୁ ନୟାଗଡ଼ ଅସ୍ତ୍ର ଲୁଟ୍‌ ମାମଲାରେ ପୁଲିସ ତାଙ୍କୁ ବ୍ରହ୍ମପୁରରୁ ନୟାଗଡ଼ ଜେଲକୁ ପଠାଇ ଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ଼ ଜେଲର ଅନୁଭବ ଅତି ଭୟଙ୍କର ଥିଲା। ଜେଲ କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ଜେଲ ଅନ୍ତେବାସୀ କେହି କଥା ହେବାତ ଦୂରର କଥା, ପାଖ ହିଁ ମାଡ଼ୁ ନଥିଲେ। ଜେଲ କର୍ତ୍ତୃପକ୍ଷଙ୍କ ଭୟ ଥିଲା, ମାଓବାଦୀ ଅଭିଯୁକ୍ତ ମଞ୍ଜୁଲତା ପାଚେରି ଡେଇଁ ଚାଲିଯିବେ। ତେଣୁ ତାଙ୍କ ଉପରେ କଡ଼ା ନଜର ସହିତ ଶକ୍ତ କଟକଣା ଥିଲା। ଯାହା ସମସ୍ତଙ୍କୁ ଅଣନିଶ୍ବାସୀ କରି ଦେଉଥିଲା। କିନ୍ତୁ ଜେଲ କର୍ତ୍ତୃପକ୍ଷଙ୍କ କଟକଣାକୁ ବିରୋଧ କରି ସାଥୀ ବନ୍ଦିନୀ ଇତିଶ୍ରୀ ପ୍ରଥମେ ବନ୍ଧୁତା ସ୍ଥାପନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ମାନସିକ ବଳ ଦେଇଥିବା କହନ୍ତି ମଞ୍ଜୁଲତା। ଏହି ସମୟରେ ଅଧୀକ୍ଷକଙ୍କ ନିର୍ଦେଶରେ ନୟାଗଡ଼ ଜେଲ ଅନ୍ତେବାସୀଙ୍କୁ ଅଧିକ ସମୟ କାର୍ଯ୍ୟ କରାଇବା ସହିତ ଅତି ନିମ୍ନମାନର ଖାଦ୍ୟ ଦେଉଥିଲେ। ତାହା ବି ଯଥେଷ୍ଟ ହେଉନଥିଲା। ୨ ବର୍ଷ ପରେ ଅଧୀକ୍ଷକ ପ୍ରଫୁଲ୍ଲ କବି ନାମରେ ନୂତନ ଅଧୀକ୍ଷକଙ୍କ ଯୋଗଦାନ ପରେ ଜେଲରେ ଅନେକ ସଂସ୍କାର ଅଣାଯାଇଥିଲା। ଜେଲରେ ସେ ସିଲେଇ ପ୍ରଶିକ୍ଷଣ ମଧ୍ୟ ପାଇଛନ୍ତି। ଶେଷରେ ଏଡିଜେ ନୟାଗଡ଼ ପକ୍ଷରୁ ତାଙ୍କୁ ନିର୍ଦୋଷ ଖଲାସ କରାଯାଇଛି।

ମଞ୍ଜୁଲତା କହନ୍ତି, ନୟାଗଡ଼ ଜେଲରୁ ସାଥୀ ବନ୍ଦିନୀଙ୍କ ଠାରୁ ବିଦାୟ ନେଇଥିଲେ ମଧ୍ୟ ଏହା ଭାବବିହ୍ବଳ କରିଥିଲା। ଜେଲରେ ରହିବା ପରେ ସେ ସର୍ବଦା ରୋଗଗ୍ରସ୍ତ ଅନୁଭବ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ସବୁ ରୋଗ ଏବଂ କଟକଣାରୁ ମୁକ୍ତି ପାଇଥିବା ଅନୁଭବ କରନ୍ତି। ମଞ୍ଜୁଲତାଙ୍କ ସହିତ ରାୟଗଡ଼ାର ପ୍ରତାପ କିମ୍ବିକା ମଧ୍ୟ ନୟାଗଡ଼ ଅସ୍ତ୍ରଲୁଟି ମାମଲାରେ ଗିରଫ ହୋଇ ୧୫ ବର୍ଷ ଜେଲରେ ରହିବା ପରେ ଖଲାସ ହୋଇଥିଲେ। ପ୍ରତାପ ଜଙ୍ଗଲକୁ କାଠକାଟିବାକୁ ଯାଉଥିବା ବେଳେ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର