ଓଡ଼ିଶା ସାହିତ୍ୟ ଏ‌କାଡେମି ପକ୍ଷରୁ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ: ଓଡ଼ିଶା ମାଟିର ଥିଲେ ଆଦର୍ଶ ବ୍ୟକ୍ତିତ୍ବ

ଭୁବନେଶ୍ବର: ସୁରେନ୍ଦ୍ର ମହାନ୍ତି ଓଡ଼ିଶା ମାଟିର ଜଣେ ଶ୍ରଦ୍ଧାଶୀଳ ଓ ଆଦର୍ଶ ବ୍ୟକ୍ତିତ୍ବ। ସେ ଜଣେ ପ୍ରଜ୍ଞା ପୁରୁଷ ଭାବେ ସର୍ବଜନବିଦିତ। ଓଡ଼ିଆ ଭାଷା ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି ଆଦି କ୍ଷେତ୍ରକୁ ସେ ଋଦ୍ଧିମନ୍ତ କରିବାରେ ସଫଳ ହୋଇପାରିଛନ୍ତି। ବର୍ତ୍ତମାନ ଯୁବ ପିଢ଼ି ତାଙ୍କ ପଦାଙ୍କ ଅନୁସରଣ କଲେ ଆମ ସମାଜର ଉନ୍ନତି ହୋଇପାରିବ। ଏହାସହ ଏବେକାର ଯୁବବର୍ଗ ତାଙ୍କ ରଚିତ ପୁସ୍ତକକୁ ପଢ଼ି ତତ୍କାଳୀନ ସମୟର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଶୋକା ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ଅମିତ୍‌ ଚୌଧୁରୀ ‘ଆଧୁନିକତା ବନାମ ଆଧିଭୌତିକତା’ ଉପରେ ଆଲୋଚନା କରି କହିଲେ ଯେ, ଓଡ଼ିଆ ସାହିତ୍ୟର ସୁରେନ୍ଦ୍ର ମହାନ୍ତି ଏଭଳି ଜଣେ ବ୍ୟକ୍ତିତ୍ବ ଯାହାଙ୍କ କୃତିକୁ ଏବେ କେବଳ ଅନୁଭବ କରିହେବ। ସେ ତାଙ୍କ ଲେଖା ମାଧ୍ୟମରେ ସେ ସବୁକୁ ସାଇତି ରଖିଛନ୍ତି। ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ କହିଲେ, ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତିଟି ସୃଷ୍ଟି ଅନନ୍ୟ। ଆମ ରାଜ୍ୟର ପ୍ରତିଟି କଥାକୁ ସେ ତାଙ୍କ ଲେଖନୀଚାଳନାରେ ସ୍ଥାନ ଦେଇ ପାରିଥିଲେ। ଯାହା ବେଶ ପାଠକୀୟ ଆଦୃତି ପାଇପାରିଛି। ବରେଣ୍ୟ ଅତିଥି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଲେ, ତାଙ୍କ ଅନନ୍ୟ କୃତୀ ଆମ ବାଣୀ ଭଣ୍ଡାରକୁ ପରିପୃଷ୍ଟ କରିପାରିଛି। ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ପଥ ଓ ପୃଥିବୀ’ ଅନେକଙ୍କୁ ପ୍ରଭାବିତ କରିବା ସହ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ତାଙ୍କ ସାରସ୍ବତ ଜୀବନର ଗଭୀର ଅନୁଶୀଳନ ଉପରେ ଆଲୋକପାତ କରିଥିଲେ। ସଚିବ ପ୍ରବୋଧ ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପ ସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର